ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ଼ ନିଷ୍ପତ୍ତି, ଆଉ ଓଟିଟି ଶୋ’ କରିବେ ନାହିଁ, କାହିଁକି ଜାଣନ୍ତୁ

ମୁମ୍ବାଇ: ବଲିଉଡର ଅନ୍ୟତମ ଶ୍ରେଷ୍ଠ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଆଉ ଓଟିଟି ଶୋ’ କରିବେ ନାହିଁ ବୋଲି ନୱାଜୁଦ୍ଦିନ କହିଛନ୍ତି । ଯଦିଓ ଡିଜିଟାଲ୍ ପ୍ଲାଟଫର୍ମରେ ନୱାଜୁଦ୍ଦିନଙ୍କ ଶୋ’ଗୁଡ଼ିକ ଲୋକପ୍ରିୟ ଓ ଆଦୃତ ହେଉଥିଲା, ଏବେ ତାଙ୍କୁ କୌଣସି ଓଟିଟି ଶୋ’ରେ ଆଉ ଦେଖିବାକୁ ମିଳିବ ନାହିଁ | ନୱାଜୁଦ୍ଦିନଙ୍କ ଅଭିନୀତ ନେଟଫ୍ଲିକ୍ସର ପ୍ରଥମ ଭାରତୀୟ ଶୋ’ ‘ସେକ୍ରେଡ୍ ଗେମ୍ସ’ ବେଶ୍ ଲୋକପ୍ରିୟ ହୋଇଥିଲା ।

ନୱାଜୁଦ୍ଦିନ କହିଛନ୍ତି ଯେ ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମର କଣ୍ଟେଣ୍ଟ୍ ତାଙ୍କୁ ନିରାଶ କରିଛି। ଆଗ ଭଳି ଓଟିଟି ଶୋ’ ଗୁଡ଼ିକରେ ଆଉ ଗୁଣାତ୍ମକ ମାନ ନାହିଁ । ସମ୍ପ୍ରତି ଓଟିଟି ପ୍ଲାଟଫର୍ମ ଗୁଡ଼ିକ ନିମ୍ନମାନର ଶୋ’ ତଥା ସିରିଜର
ଏକ ଡମ୍ପିଂ ଗ୍ରାଉଣ୍ଡ ପାଲଟିଛି। ଡିଜିଟାଲ୍ ପ୍ଲାଟଫର୍ମ ପାଇଁ ଏବେ କୌଣସି ଭଲ ଶୋ’ ନାହିଁ । ଏବେ କେବଳ ପୁରୁଣା ଶୋ’ ଗୁଡ଼ିକର ସିକ୍ୱେଲ୍ ପ୍ରସାରଣ କରାଯାଉଛି ଯେଉଁଥିରେ ଦେଖାଇବାକୁ କିଛି ବାକି ନଥାଉଛି |

ଏହି ବିଷୟରେ ଅଧିକ ଆଲୋଚନା କରି ନୱାଜୁଦ୍ଦିନ କହିଛନ୍ତି, ‘ଯେତେବେଳେ ମୁଁ ନେଟଫ୍ଲିକ୍ସ ପାଇଁ ‘ସେକ୍ରେଡ୍ ଗେମ୍ସ’ କରିଥିଲି, ସେତେବେଳେ ମୁଁ ବହୁତ ଉତ୍ସାହିତ ଥିଲି ଏବଂ ଡିଜିଟାଲ୍ ପ୍ଲାଟଫର୍ମକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଥିଲି। ଏଠାରେ ନୂଆ ପ୍ରତିଭାମାନେ ମଧ୍ୟ ସୁଯୋଗ ପାଉଥିଲେ ‌। କିନ୍ତୁ ଏବେ ଏହି ସତେଜତା ଗାଏବ ହୋଇଯାଇଛି | ଏବେ ବଡ଼ ବଡ଼ ପ୍ରଡକ୍ସନ ହାଉସ୍ ଓ ଓଟିଟିର ତଥାକଥିତ ସୁପରଷ୍ଟାର କୁହାଯାଉଥିବା କଳାକାରମାନଙ୍କ ପାଇଁ ଏହା ଏକ ବ୍ୟବସାୟରେ ପରିଣତ ହୋଇଛି | ବଡ ପ୍ରଡକ୍ସନ ହାଉସ୍ ଅଧିକରୁ ଅଧିକ କଣ୍ଟେଣ୍ଟ ସୃଷ୍ଟି କରି ମୋଟା ଅର୍ଥ ପାଉଛନ୍ତି, ଯେଉଁ କାରଣରୁ ଶୋ’ ଗୁଡ଼ିକରେ ଗୁଣାତ୍ମକ ମାନ କମିଯାଉଛି | ନୱାଜୁଦ୍ଦିନ କହିଛନ୍ତି ଯେ ବର୍ତ୍ତମାନ ଓଟିଟି ଶୋ’ ଦେଖିବା ମଧ୍ୟ ଭଲ ଲାଗୁନି । ଏଭଳି ପରିସ୍ଥିତିରେ ସେ ଏପରି ବେକାର କଣ୍ଟେଣ୍ଟର ଅଂଶ ହେବାକୁ ଚାହୁଁନାହାଁନ୍ତି ବୋଲି ଏହି ଲୋକପ୍ରିୟ ଅଭିନେତା କହିଛନ୍ତି ।

Comments are closed.