ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅଛନ୍ତି ଆର୍ୟନ, ଜାମିନକୁ ବିରୋଧ କଲା ଏନସିବି

ମୁମ୍ବାଇ: କ୍ରୁଜ ଜାହାଜ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି କୋର୍ଟରେ ଜବାବ ଦାଖଲ କରିଛି। ଏନସିବି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନକୁ ବିରୋଧ କରିଛି। ଏନସିବି ନିଜ ଜବାବରେ କହିଛି ଯେ ଯଦିଓ ତାଙ୍କ ନିକଟରୁ ଡ୍ରଗ୍ସ ଜବତ କରାଯାଇ ନାହିଁ, ଆର୍ଯ୍ୟନଙ୍କ ସମେତ ସମସ୍ତ ଅଭିଯୁକ୍ତ ଏହି ଷଡଯନ୍ତ୍ରରେ ଜଡିତ ଅଛନ୍ତି।

ଆର୍ୟନ ଖାନଙ୍କୁ ଡ୍ରଗ୍ସ କିଣିବା ପାଇଁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ମର୍ଚାଣ୍ଟଙ୍କ ଠାରୁ ନିଶାଦ୍ରବ୍ୟ ଜବତ କରାଯାଇଛି। ଏନସିବି କହିଛି ଯେ ବିଦେଶରେ ହୋଇଥିବା କାରବାର ସମ୍ପର୍କରେ ତଦନ୍ତ କରାଯିବା ଉଚିତ ଏବଂ ଏହି ତଦନ୍ତ ଚାଲିଛି।

ସ୍ୱତନ୍ତ୍ର ନାର୍କୋଟିକ୍ ଡ୍ରଗ୍ସ ଓ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଆଇନ (ଏନଡିପିଏସ୍) କୋର୍ଟରେ ଆର୍ଯ୍ୟନ୍ ଖାନ ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଚାଲିଛି। ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ ଏନସିବି ପାଇଁ କୋର୍ଟରେ ମାମଲା ପରିଚାଳନା କରୁଛନ୍ତି ।

ଏନସିବି ପୁଣି କହିଛି ଯେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ ଜାହାଜରେ ଡ୍ରଗ୍ସ ସେବନ କରିଥିଲେ। ଏନଡିପିଏସ୍ ଆଇନ, ୧୯୮୫ ଅନୁଯାୟୀ ଏହା ଭାରତରେ ଏକ ଅପରାଧ। ଆର୍ଯ୍ୟନ୍ ଖାନ ବେଆଇନ ନିଷିଦ୍ଧ ନିଶାଦ୍ରବ୍ୟ ବିକ୍ରୟ ଏବଂ ରଖିବା ଅଭିଯୋଗ ମଧ୍ୟ କରିଛି ଏନସିବି ।

ଅକ୍ଟୋବର ୨ରେ ମୁମ୍ବାଇ ଉପକୂଳବର୍ତ୍ତୀ କର୍ଡେଲିଆ କ୍ରୁଜ୍ ଜାହାଜରେ ଏକ ଡ୍ରଗ୍ସ ପାର୍ଟି ମାମଲାରେ ଏପର୍ଯ୍ୟନ୍ତ ଦୁଇ ଜଣ ନାଇଜେରିଆ ନାଗରିକଙ୍କ ସମେତ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇଛି।

Comments are closed.