ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତୀୟ ବକ୍ସରଙ୍କ କମାଲ, ସ୍ୱର୍ଣ୍ଣ ଜିତିଲେ ନିତୁ ଓ ସ୍ୱିଟି

ନୂଆଦିଲ୍ଲୀ: ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଶନିବାର ଭାରତର ଦୁଇ ବକ୍ସର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୪୮ କେଜି ବର୍ଗରେ ନିତୁ ଘଙ୍ଘାସ ବିଶ୍ବ ଚାମ୍ପିୟନ ହୋଇଥିବା ବେଳେ ୮୦ କେଜି ବର୍ଗରେ ଟାଇଟଲ୍ ଜିତିଛନ୍ତି ସ୍ୱିଟି ବୋରା । ୪୮ କେଜି ବର୍ଗରେ ବର୍ଗର ଫାଇନାଲରେ ୨୨ ବର୍ଷୀୟା ନିତୁ ମଙ୍ଗୋଲିଆର ଲୁସାଇଖାନ୍ ଅଲତାନସେତସେଗଙ୍କୁ ୫-୦ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଦର୍ଶକ ଭର୍ତ୍ତି ଷ୍ଟାଡିୟମରେ ନିତୁ ଚମତ୍କାର ପ୍ରଦର୍ଶନ କରି ଟାଇଟଲ ହାତେଇଥିଲେ । ଏହି ଟାଇଟଲ ମୁକାବିଲା ବେଳେ ଷ୍ଟାଡିୟମରେ ନିତୁଙ୍କ ଆଦର୍ଶ ତଥା ବେଜିଂ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବକ୍ସର ବିଜେନ୍ଦର ସିଂ ମଧ୍ୟ ଉପସ୍ଥିତ ଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଓ ୨୦୨୨ ଷ୍ଟ୍ରାଣ୍ଡଜା ମେମୋରିଆଲ ସ୍ୱର୍ଣ୍ଣ ବିଜେତା ନିତୁ ଭାରତର ଷଷ୍ଠ (ପୁରୁଷ ଓ ମହିଳା) ବକ୍ସର ଭାବେ ବିଶ୍ୱ ଚାମ୍ପିୟନସିପ ଟାଇଟଲ ଜିତିଥିଲେ । ଏହାର କିଛି ମିନିଟ୍ ପରେ ଏହି ତାଲିକାରେ ସାମିଲ ହୋଇଥିଲେ ସ୍ୱିଟି । ସ୍ୱିଟି ୮୦ କେଜି ବର୍ଗରେ ଚୀନର ୱାଙ୍ଗ୍ ଲିନାଙ୍କୁ ହରାଇ ସପ୍ତମ ଭାରତୀୟ ଭାବେ ଜିତିଥିଲେ ବିଶ୍ୱ ଚାମ୍ପିୟନସିପ୍ ଟାଇଟଲ୍ ।

ଦିଲ୍ଲୀରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନସିପର ୪୮ କେଜି ବର୍ଗର ଫାଇନାଲରେ ନିତୁ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଆଲତାନସେତସେଗଙ୍କ ଉପରେ ପଞ୍ଚ୍‌, ଜାବ୍ ଓ ହୁକ୍ ବର୍ଷା କରିଥିଲେ । ନିତୁଙ୍କ ଆକ୍ରମଣରେ ତାଙ୍କ ପ୍ରତିପକ୍ଷ ନିରୁପାୟ ମନେ ହୋଇଥିଲେ । ହରିୟାଣା ଭିୱାନିର ଏହି ବକ୍ସର ପ୍ରଥମ ରାଉଣ୍ଡକୁ ୫-୦ରେ ଜିତିଥିଲେ । ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଏହି ଭାରତୀୟ ବକ୍ସର ଆତ୍ମବିଶ୍ୱାସର ସହ ପ୍ରଦର୍ଶନ କରିଥିଲେ । ଯେତେବେଳେ ଆଲତାନସେତସେଗ୍ ପାଲଟା ଆକ୍ରମଣ କରିଥିଲେ, ନିତୁ ତାହାର କଡ଼ା ଜବାବ ଦେଇଥିଲେ । ଦ୍ୱିତୀୟ ରାଉଣ୍ଡ ଅପେକ୍ଷାକୃତ ସଂଘର୍ଷପୂର୍ଣ୍ଣ ହୋଇଥିଲା । ରାଉଣ୍ଡ ଶେଷ ବେଳକୁ ନିତୁଙ୍କୁ ଫାଉଲ ପାଇଁ ପେନାଲ୍ଟି ମିଳିଥିଲା । ତଥାପି ସେ ଦ୍ୱିତୀୟ ରାଉଣ୍ଡ ମୁକାବିଲାକୁ ମଧ୍ୟ ୩-୨ରେ ଜିତିବାରେ ସଫଳ ହୋଇଥିଲେ ।

ନିତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ତିନୋଟି ମ୍ୟାଚକୁ ଆରଏସସି (ରେଫରୀ ମ୍ୟାଚ୍ ରୋକିବା) ମାଧ୍ୟମରେ ଜିତିଥିଲେ ।

ନିତୁ ଓ ସ୍ୱିଟିଙ୍କ ଟାଇଟଲକୁ ମିଶାଇ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପ ଇତିହାସରେ ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ କିମ୍ବଦନ୍ତୀ ବକ୍ସର ଏମସି ମେରୀକମ୍ ହିଁ ୬ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମେରୀକମ (୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮)ଙ୍କ ବ୍ୟତୀତ ସରିତା ଦେବୀ (୨୦୦୬), ଜେନି ଆରଏଲ୍ (୨୦୦୬), ଲେଖା କେସି (୨୦୦୬), ନିଖତ ଜରିନ୍ (୨୦୨୨) ବିଶ୍ୱ ଟାଇଟଲ୍ ଜିତିଛନ୍ତି ।

ନିତୁ ଓ ସ୍ୱିଟି ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଶେଷ କରିଥିବା ବେଳେ ଏବେ ଆଉ ଦୁଇ ଭାରତୀୟ ନିଖତ (୫୦ କେଜି), ଲଭଲିନା ବୋରଗୋହେଁ (୭୫ କେଜି)ଙ୍କ ଉପରେ ନଜର ରହିଛି । ଏହି ଦୁଇ ଭାରତୀୟ ମଧ୍ୟ ନିଜ ନିଜ ବର୍ଗରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଭାରତକୁ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିବା ଆଶା କରାଯାଉଛି ।

Comments are closed.