ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆକ୍ସନ ମୁଡ୍ ରେ ଚନ୍ନି; ଚାଷୀଙ୍କ ଜଳ, ବିଦ୍ୟୁତ୍ ବିଲ୍ ଛାଡ଼ କଲେ, କୃଷି ଆଇନ ରଦ୍ଦ କରିବାକୁ ଦାବି କଲେ

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଚରଣଜିତ ସିଂ ଚନ୍ନି ଅନେକ ବଡ଼ ଘୋଷଣା କରିଛନ୍ତି।

ଚନ୍ନି ଚାଷୀଙ୍କ ଜଳ ଏବଂ ବିଦ୍ୟୁତ୍ ବିଲ୍ ଛାଡ କରିବାକୁ ଘୋଷଣା କରିଛନ୍ତି। ବାଲି ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ। ଏଥି ସହିତ ସେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସିଏମ ଚନ୍ନି କଂଗ୍ରେସ ହାଇକମାଣ୍ଡକୁ ଧନ୍ୟବାଦ ଜଣାଇବା ସହ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

ଶପଥ ଗ୍ରହଣ କରିବା ପରେ ଚନ୍ନି ପ୍ରଥମେ କଂଗ୍ରେସ ହାଇକମାଣ୍ଡଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଛନ୍ତି, ‘କଂଗ୍ରେସ ଜଣେ ସାଧାରଣ ଲୋକଙ୍କୁ ପଞ୍ଜାବର ସିଏମ୍ କରିଛି। ଆମେ ଯେଉଁଠି ଜନ୍ମ ହୋଇଥିଲୁ, ସେଇଠି ମୁଣ୍ଡ ଉପରେ ଛାତ ନଥିଲା | କଂଗ୍ରେସ ଦଳ ଗରିବ ଲୋକଙ୍କୁ ସୁଯୋଗ ଦେଇଛି। ମୋର ସେଭଳି ଯୋଗ୍ୟତା ନଥିଲା ।

ଚରଣଜିତ ସିଂ ଚନ୍ନି ଚାଷୀଙ୍କ ବିଷୟରେ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ‘ଏହା ହେଉଛି କୃଷକଙ୍କ ସରକାର। ଯଦି ଚାଷୀଙ୍କ କୌଣସି କ୍ଷତି ହୁଏ, ତେବେ ମୁଁ ମୋର ଗଳା କାଟିବି। ଯଦି ଚାଷୀ ବୁଡ଼ିଯାଏ ତେବେ ଦେଶ ବୁଡ଼ିଯିବ। ଅର୍ଥନୀତି ବୁଡ଼ିଯିବ। କୃଷି ଖୁସି ହେଲେ ହିଁ ପଞ୍ଜାବ ଖୁସି ହେବ। ଚାଷୀଙ୍କ ପାଇଁ ବିଦ୍ୟୁତ୍ ଏବଂ ପାଣି ମାଗଣା ହେବା ଉଚିତ୍। ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଆମ ସରକାର ଛାଡ କରିବେ। ଯଦି କାହାର ବିଦ୍ୟୁତ୍ କାଟ୍ ହୁଏ, ତେବେ ଆମେ ତାଙ୍କ ଘରକୁ ବିଦ୍ୟୁତ୍ ପୁନଃ ସଂଯୋଗ କରିବୁ | ଏହା ହେଉଛି ପଞ୍ଜାବର ସାଧାରଣ ଲୋକଙ୍କ ସରକାର। ଆମେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁ ଯେ କାହାର କିଛି ଅନିଷ୍ଟ ହେବ ନାହିଁ | ଆଇନ ସମସ୍ତଙ୍କ ପାଇଁ ସମାନ ହେବ ।

ଚନ୍ନି ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ପ୍ରଶଂସା କରି କହିଛନ୍ତି ଯେ ପଞ୍ଜାବରେ କ୍ୟାପଟେନ ବହୁତ ଭଲ କାମ କରିଥିଲେ।

ପଞ୍ଜାବ ଇତିହାସରେ ଚରଣଜିତ୍ ଚନ୍ନି ହେଉଛନ୍ତି ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ । ଆଜି ଚନ୍ନିଙ୍କ ସହ ଜାଟ୍ ଶିଖ ସମ୍ପ୍ରଦାୟର ସୁଖଜିନ୍ଦର ସିଂ ରାନ୍ଧୱା ଏବଂ ହିନ୍ଦୁ ନେତା ଭାବରେ ଓପି ସୋନିଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ପଞ୍ଜାବର ରାଜନୈତିକ ଇତିହାସରେ ପ୍ରଥମ ଥର ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି ।

Comments are closed.