ଦ୍ୱିତୀୟ ଟି୨୦ରେ ପାକିସ୍ତାନକୁ ହରାଇ ନ୍ୟୁଜିଲାଣ୍ଡ ସିରିଜ୍ ବିଜୟୀ

ହାମିଲଟନ – ଓପନର ଟିମ୍ ସାଇଫର୍ଟଙ୍କ ବିସ୍ଫୋରକ ଇନିଂସ୍ ବଳରେ ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ୯ ୱିକେଟରେ ପାକିସ୍ତାନକୁ ହରାଇଛି । ଏଥିସହ ନ୍ୟୁଜିଲାଣ୍ଡ ୨-୦ ଅପରାଜେୟ ଅଗ୍ରଣୀ ସାଙ୍ଗକୁ ତିନି ମ୍ୟାଚ୍ ସିରିଜ୍ ଆଗୁଆ ଜିତିନେଇଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୪ଟି ବଲ୍ ବାକିଥାଇ ମ୍ୟାଚ୍ ଜିତିନେଇଥିଲା । ଦଳ ପକ୍ଷରୁ ସାଇଫର୍ଟ ମାତ୍ର ୬୩ ବଲ୍‌ରେ ୮ଟି ଚୌକା ଓ ୩ଟି ଛକା ସହାୟତାରେ ଅପରାଜିତ ୮୪ ରନ୍ କରିଥିଲେ । ଅଧିନାୟକ କେନ୍ ୱିଲିୟମସନଙ୍କ ସହ ମିଶି ସାଇଫର୍ଟ ଅବିଭକ୍ତ ଦ୍ୱିତୀୟ ୱିକେଟରେ ୧୨୯ ରନ୍ ଯୋଗ କରିଥିଲେ । ପ୍ରଥମ ମ୍ୟାଚରୁ ବଞ୍ଚିତ ହେବା ପରେ ଦଳକୁ ଫେରିଥିବା ୱିଲିୟମସନ୍ ୫୭ ରନ୍ କରି ନଟ୍ ଆଉଟ୍ ରହିଥିଲେ । ତାଙ୍କର ଏହି ଇନିଂସରେ ୮ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ୧୬୫ ରନର ବିଜୟଲକ୍ଷ୍ୟ ଜବାବରେ ମାର୍ଟିନ ଗପ୍ଟିଲ (୨୧) ଶୀଘ୍ର ଆଉଟ୍ ହୋଇଯାଇଥିଲେ । ହେଲେ ସାଇଫର୍ଟ-ୱିଲିୟମସନ ପାକିସ୍ତାନକୁ ଆଉ କୌଣସି ସୁଯୋଗ ନ ଦେଇ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ ।
ପୂର୍ବରୁ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଟି୨୦ ଭଳି ଦଳ ପୁଣି ଟପ୍ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏକଦା ୫୬ ରନରେ ୪ଟି ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ତେବେ ଭେଟେରାନ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କ ଲଢୁଆ ଇନିଂସ ବଳରେ ଦଳ ବିପର୍ଯ୍ୟୟରୁ ମୁକୁଳି ଏକ ସମ୍ମାନଜନକ ସ୍କୋର କରିଥିଲା । ହାଫିଜ୍ ୫୭ ବଲରେ ୧୦ଟି ଚୌକା ଓ ୫ଟି ଛକା ସହାୟତାରେ ୯୯ ରନ୍ କରି ଅପରାଜିତ ରହିଥିଲେ । ଅନ୍ତର୍ଜାତୀୟ ଟି୨୦ରେ ଏହା ହେଉଛି ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର । ଅନ୍ୟମାନଙ୍କ ମଧ୍ୟରେ ଓପନର ମହମ୍ମଦ ରିଜୱାନ ୨୨ ରନ୍ କରିଥିବା ବେଳେ ଖୁସଦିଲ ୧୪ ଏବଂ ଇମାଦ୍ ୱାସିମ ୧୦ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ୪ଟି ୱିକେଟ୍ ନେଇଥିଲେ ।

Comments are closed.