ଉଦୟପୁର ଟେଲର ହତ୍ୟାକାଣ୍ଡ: ୟୁଏପିଏ ଅଧୀନରେ ମାମଲା ରୁଜୁ କଲା ଏନଆଇଏ, କହିଲା ଅଭିଯୁକ୍ତ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିଲେ

ନୂଆଦିଲ୍ଲୀ: ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ବୁଧବାର ରାଜସ୍ଥାନର ଉଦୟପୁରରେ ଦୁଇଜଣଙ୍କ ଦ୍ୱାରା ଜଣେ ଟେଲରଙ୍କ ନିର୍ମମ ହତ୍ୟା ମାମଲାରେ ଆତଙ୍କବାଦ ନିରୋଧୀ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ (ୟୁଏପିଏ) ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଏହା ସହ ଏନଆଇଏ କହିଛି ଯେ ଅଭିଯୁକ୍ତମାନେ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିଲେ ।

ଏଜେନ୍ସିର ମୁଖପାତ୍ର କହିଛନ୍ତି ଯେ ଏନଆଇଏ ଟିମ୍ ଉଦୟପୁରରେ ପହଞ୍ଚିଛି ଏବଂ ଏହି ଘଟଣାର ତ୍ୱରିତ ତଦନ୍ତ ପାଇଁ ସେମାନେ ଆବଶ୍ୟକ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ କହିଛନ୍ତି, “ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିବା ଅଭିଯୁକ୍ତମାନେ ମଧ୍ୟ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆରେ ଏହି ବୀଭତ୍ସ ହତ୍ୟାର ଏକ ଭିଡିଓ ପୋଷ୍ଟ କରିଥିଲେ।

ସେ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି (ଆଇପିସି)ର ବିଭିନ୍ନ ଦଫା ଏବଂ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନର ବିଭିନ୍ନ ଧାରା ଅଧୀନରେ ଏକ ମାମଲା ରୁଜୁ ହୋଇଛି।

ପ୍ରାରମ୍ଭରେ ଏହି ଘଟଣା ସଂପର୍କରେ ଉଦୟପୁରର ଧାନମଣ୍ଡି ପୋଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

ମୁଖପାତ୍ର କହିଛନ୍ତି ଯେ ଆଇପିସିର ଧାରା ୪୫୨, ୩୦୨, ୧୫୩ (ଏ), ୧୫୩ (ବି), ୨୯୫ (ଏ) ଏବଂ ୩୪ ସହିତ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ)ଆଇନ, ୧୯୬୭ର ଧାରା ୧୬, ୧୮ ଏବଂ ୨୦ ଅନୁଯାୟୀ ଅଭିଯୁକ୍ତଙ୍କୁ ବିରୋଧରେ ମାମଲା ପୁନଃ ରୁଜୁ ହୋଇଛି |

ସେ କହିଛନ୍ତି ଯେ ଉଭୟ ଅଭିଯୁକ୍ତ ଗ୍ରାହକ ଭାବେ ପରିଚୟ ଦେଇ ଟେଲର କହ୍ନେୟା ଲାଲଙ୍କ ଦୋକାନରେ ପଶି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ କହ୍ନେୟା ଲାଲଙ୍କ ମୃତ୍ୟୁ ହୋଇଥିଲା ।

Comments are closed.