ଉଦୟପୁର ପରେ ଅମରାବତୀ: ନୂପୁର ଶର୍ମାଙ୍କୁ ସମର୍ଥନ କରି ପୋଷ୍ଟ ପାଇଁ ଔଷଧ ଦୋକାନୀଙ୍କୁ ହତ୍ୟା, ଏନଆଇଏକୁ ତଦନ୍ତ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କ ବିଭତ୍ସ ହତ୍ୟା ନେଇ ଉତ୍ତେଜନା ଥମି ନଥିବା ବେଳେ ମହାରାଷ୍ଟ୍ରର ଅମରାବତୀରେ ମଧ୍ୟ ଅନୁରୂପ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ଉମେଶ ପ୍ରହଲ୍ଲାଦ ରାଓ କୋହଲେ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଜୁନ୍ ୨୧ର ବୋଲି କୁହାଯାଇଛି । ଗୃହ ମନ୍ତ୍ରଣାଳୟ ଏବେ ଏହି ମାମଲାର ତଦନ୍ତ ମଧ୍ୟ ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)କୁ ହସ୍ତାନ୍ତର କରିଛି ।

ଏହି ହତ୍ୟା ପଛରେ ଷଡ଼ଯନ୍ତ୍ର, କେଉଁ ସଂଗଠନର ସମ୍ପୃକ୍ତି ଏବଂ ଆନ୍ତର୍ଜାତୀୟ ସମ୍ପର୍କ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଏକ ଇଂରାଜୀ ଖବରକାଗଜ ରିପୋର୍ଟ ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ସମର୍ଥନ କରିଥିବା ଯୋଗୁଁ କୋହଲେଙ୍କୁ ହତ୍ୟା କରାଯାଇଛି। କୋହଲେ ସୋସିଆଲ ମିଡିଆ ପୋଷ୍ଟ କରି ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ସମର୍ଥନ କରିଥିଲେ । ଏହା ପରେ ତାଙ୍କୁ ହତ୍ୟା କରାଯାଇଥିଲା।

ଉମେଶ ପ୍ରହଲ୍ଲାଦ ରାଓ କୋହଲେ (୫୪) ପେସାରେ ଜଣେ ଔଷଧ ଦୋକାନୀ ଥିଲେ।

ଉମେଶ କୋହଲେଙ୍କ ପୁଅ ସଙ୍କେତ କୋହଲେଙ୍କ ଅଭିଯୋଗ ପରେ ଅମରାବତୀର ସିଟି କୋଟୱାଲି ପୋଲିସ ଥାନା ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି। ଇତି ମଧ୍ୟରେ ପୋଲିସ ୨୨ ବର୍ଷୀୟ ମୁଦାସିଦ ଅହମ୍ମଦ ଏବଂ ୨୫ ବର୍ଷୀୟ ଶାହାରୁଖ ପଠାନଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ପଚରାଉଚରା ବେଳେ ଏହି ଘଟଣାରେ ଆଉ ଚାରି ଜଣ ଲୋକ ମଧ୍ୟ ଜଡିତ ଥିବା ଜଣାପଡ଼ିଥିଲା ।

ଉମେଶଙ୍କୁ ଜୁନ୍ ୨୧ ରାତି ୧୦ଟା ରୁ ୧୦.୩୦ ମଧ୍ୟରେ ହତ୍ୟା କରାଯାଇଥିଲା | ଉମେଶ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ | ଉମେଶଙ୍କ ପୁଅ ସଙ୍କେତ ଏବଂ ତାଙ୍କ ପତ୍ନୀ ଅନ୍ୟ ଏକ ସ୍କୁଟରରେ ଥିଲେ।

ଉମେଶଙ୍କ ପୁଅ ସଙ୍କେତଙ୍କ ଅଭିଯୋଗ କ୍ରମେ, “ଆମେ ପ୍ରଭାତ ଚୌକ୍ ରୁ ଘରକୁ ଯାଉଥିଲୁ । ଆମେ ମହିଳା କଲେଜ ନିକଟରେ ପହଞ୍ଚିବା ପରେ ହଠାତ୍ ମୋଟରସାଇକେଲରେ ଦୁଇଜଣ ଯୁବକ ମୋ ବାପାଙ୍କ ସ୍କୁଟର ସମ୍ମୁଖକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୋ ବାପାଙ୍କ ସ୍କୁଟରକୁ ଅଟକାଇ ଆକ୍ରମଣ କରିଥିଲା। ଏକ ଧାରୁଆ ଛୁରୀରେ ସେ ମୋ ବାପାଙ୍କ ଗଳା କାଟି ଦେଇଥିଲା। ମୋ ବାପା ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ବେକରୁ ରକ୍ତସ୍ରାବ ହେଉଥିଲା। ମୁଁ ସଙ୍ଗେ ସଙ୍ଗେ ମୋର ସ୍କୁଟରକୁ ଅଟକାଇ ସାହାଯ୍ୟ ପାଇଁ ଚିତ୍କାର କରିବାକୁ ଲାଗିଲି। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲ।”

କୋହଲେଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.