ଟେଲରଙ୍କ ମୁଣ୍ଡକାଟି ହତ୍ୟା ଘଟଣାର ତଦନ୍ତ କରିବ ଏନ୍ଆଇଏ

ନୂଆଦିଲ୍ଲୀ:ରାଜସ୍ଥାନର ଉଦୟପୁରରେ କହ୍ନେୟା ଲାଲ ନାମକ ଜଣେ ଟେଲରଙ୍କ ମୁଣ୍ଡକାଟି ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) କୁ ହସ୍ତାନ୍ତର କରିଛି। ଗୃହ ମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ଦେଇଛି ।

ଟ୍ୱିଟ୍‌ରେ କୁହାଯାଇଛି- ରାଜସ୍ଥାନର ଉଦୟପୁରରେ ଗତକାଲି କହ୍ନେୟା ଲାଲଙ୍କ ଜଘନ୍ୟ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ଗୃହ ମନ୍ତ୍ରଣାଳୟ ଏନଆଇଏକୁ ନିର୍ଦ୍ଦେଶ ଦେଇଛି। ଏହି ମାମଲାରେ ଯେକୌଣସି ସଂସ୍ଥା କିମ୍ବା ଆନ୍ତର୍ଜାତୀୟ ଲିଙ୍କ୍ ର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ |

ମଙ୍ଗଳବାର ରାଜସ୍ଥାନର ଉଦୟପୁରରେ ତାଙ୍କ ଦୋକାନରେ ପଶି ଦୁଇ ଜଣ ଦୁର୍ବୃତ୍ତ କହ୍ନେୟା ଲାଲଙ୍କ ମୁଣ୍ଡ କାଟି ନିର୍ମମ ଭାବେ ହତ୍ୟା କରିଥିଲେ। ଉଭୟ ଅଭିଯୁକ୍ତ ଏହି ହତ୍ୟାକାଣ୍ଡର ଭିଡିଓ ମଧ୍ୟ କରିଥିଲେ । ପ୍ରଫେଟ୍ ମହମ୍ମଦଙ୍କ ଉପରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟର ଏହା ପ୍ରତିଶୋଧ ବୋଲି ସେମାନେ କହିଥିଲେ। ଏହି ଘଟଣାର କିଛି ଘଣ୍ଟା ପରେ ଅଭିଯୁକ୍ତଙ୍କୁ ରାଜସମନ୍ଦ ଜିଲ୍ଲାର ଭୀମାରୁ ପୋଲିସ ଗିରଫ କରିଥିଲା ।

ଦୁଇ ଅଭିଯୁକ୍ତ ମହମ୍ମଦ ରିଆଜ ଏବଂ ଘାଉସ୍ ମହମ୍ମଦ ବୋଲି ଜଣା ପଡିଛି। ଉଭୟ ଏକ ଭିଡିଓରେ କହ୍ନେୟା ଲାଲଙ୍କ ମୁଣ୍ଡ କାଟି ଦେଇଥିବା ସ୍ୱୀକାର କରୁଛନ୍ତି। ଏହି ଭିଡିଓରେ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ପରେ ଉଦୟପୁରେ ଉତ୍ତେଜନା ଲାଗି ରହିଛି । ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଉଦୟପୁର ସହ ରାଜ୍ଯର ସବୁ ଜିଲ୍ଲାରେ ମାସକ ପାଇଁ ଧାରା ୧୪୪ ଜାରି କରିବାକୁ ଅଶୋକ ଗେହଲୋଟ୍ ସରକାର ନିଷ୍ପତ୍ତି ନେଇଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି।

Comments are closed.