ନିଖତ୍ ଜରିନଙ୍କୁ ଲଗାତାର ଦ୍ୱିତୀୟ ବିଶ୍ୱ ବକ୍ସିଂ ଟାଇଟଲ୍

ନୂଆଦିଲ୍ଲୀ: ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପ୍‌ରେ ପୁଣି ଜଣେ ଭାରତୀୟ ଜିତିଛନ୍ତି ସ୍ବର୍ଣ୍ଣ ପଦକ । ଭାରତର ଷ୍ଟାର ବକ୍ସର ନିଖତ୍ ଜରିନ୍ ୫୦ କିଲୋଗ୍ରାମ ବର୍ଗରେ ଭିଏତନାମର ଥି ତାମ୍ ଏନଗୁନଙ୍କୁ ହରାଇ କ୍ରମାଗତ ଦ୍ବିତୀୟ ଥର ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ନିଖତ ୫-୦ରେ ଏନଗୁନଙ୍କୁ ହରାଇଥିଲେ ।

କିମ୍ବଦନ୍ତୀ ମେରୀକମଙ୍କ ପରେ ୨୬ ବର୍ଷୀୟା ନିଖତ୍ ହେଉଛନ୍ତି ଦ୍ବିତୀୟ ଭାରତୀୟ ଭାବେ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଏକାଧିକ ସ୍ବର୍ଣ୍ଣ ଜିତିବାର ବିରଳ କୀର୍ତ୍ତିମାନ ହାସଲ କରିଛନ୍ତି । ମେରୀକମ ସର୍ବାଧିକ ୬ ଥର ବିଶ୍ୱ ଚାମ୍ପିୟନ ହୋଇଥିଲେ ।

ଚଳିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତର ଏହା ତୃତୀୟ ସ୍ବର୍ଣ୍ଣ ପଦକ । ଶନିବାର ନିତୁ ଘଙ୍ଘାସ ୪୮ କେଜି ବର୍ଗରେ ଟାଇଟଲ୍ ଜିତିଥିବା ବେଳେ ସ୍ୱିଟି ବୋରା ୮୦ କେଜି ବର୍ଗରେ ସ୍ବର୍ଣ୍ଣ ଜିଣିଥିଲେ । ଏବେ ଲଭଲିନା ବୋରଗୋହେଁଙ୍କ ଉପରେ ନଜର ରହିଛି । ସେ ୭୫ କେଜି ବର୍ଗରେ ସ୍ବର୍ଣ୍ଣ ପାଇଁ ଲଢ଼ିବେ ।

Comments are closed.