ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ନୀତୀଶ, କହିଲେ ଏମିତି

ପାଟଣା: ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନୀତୀଶ କୁମାର ବିଜେପି ଉପରେ ଆକ୍ରମଣ କରିଛନ୍ତି। ସେ ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସହ ଶପଥ ନେଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଶପଥ ନେବା ପରେ ନୀତୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦୀଙ୍କ ନାମ ନ ନେଇ ନୀତୀଶ କହିଛନ୍ତି, ୧୪ରେ ଯିଏ ଆସିଥିଲେ, ୨୪ରେ କ’ଣ ସେ ଜିତି ପାରିବେ?”

ଶପଥ ଗ୍ରହଣ କରିବା ପରେ ନୀତୀଶ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ଗତ ଦୁଇ ମାସ ଧରି ପରିସ୍ଥିତି ଭଲ ନଥିଲା। ସେ କହିଛନ୍ତି, ସେ ୨୦୨୦ ରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲେ । କିନ୍ତୁ ତାଙ୍କ ଉପରେ ଚାପ ପକାଇ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

୨୦୨୦ରେ ନୀତୀଶ କୁମାର ବିଜେପି ସହ ଏକାଠି ମିଶି ନିର୍ବାଚନ ଲଢ଼ିଥିଲେ। ଜେଡିୟୁକୁ ଭଲ ବ୍ୟବହାର କରାଯାଉନଥିଲା ବୋଲି ନୀତୀଶ କୁମାର ଅଭିଯୋଗ କରିଛନ୍ତି। ବିଜେପି ଠାରୁ ଅଲଗା ହେବାପାଇଁ ତାଙ୍କ ଦଳର ନେତାଙ୍କ ଇଚ୍ଛା ଥିଲା ବୋଲି ସେ କହିଛନ୍ତି ।

ନୀତୀଶ କୁମାର ଆହୁରି କହିଛନ୍ତି ଯେ ବିଜେପି ସହ ମେଣ୍ଟ କରି ବହୁତ କ୍ଷତି ହୋଇଛି। ମେଣ୍ଟ ଭାଙ୍ଗିବା ପାଇଁ ସେ ବିଜେପିକୁ ଦାୟୀ କରିଛନ୍ତିି । ନୀତୀଶ କୁମାର କହିଛନ୍ତି- ଆମେ ବିଜେପିକୁ ଦୃଢ ସମର୍ଥନ କରିଥିଲୁ। କିନ୍ତୁ ତାଙ୍କ ତରଫରୁ ଜେଡିୟୁକୁ ହରାଇବାକୁ ଉଦ୍ୟମ କରାଯାଇଥିଲା।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂଙ୍କ ନାମ ନ ନେଇ କହିଛନ୍ତି ଯେ ଯେଉଁମାନେ ଦଳ ପକ୍ଷରୁ ସେଠାକୁ ଯାଇଥିଲେ ସେମାନେ ଅନ୍ୟ କିଛି ସ୍ଥାନକୁ ଚାଲି ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଅଭିଳାଷ ନେଇ ନୀତୀଶ କୁମାର କହିଛନ୍ତି- ମୋର କୌଣସି ଦାବି ନାହିଁ। ଆମେ କିଛି ଦାବି କରୁନାହୁଁ | କିନ୍ତୁ ବିଜେପିର ନାମ ନ ନେଇ ସେ କହିଛନ୍ତି ଯେ ବିରୋଧୀଦଳ ଶେଷ ହେବ ବୋଲି କିଛି ଲୋକ ଭାବୁଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ବିରୋଧୀ ଆସନରେ ବସିବେ।

ନୀତୀଶ କୁମାର କହିଛନ୍ତି- ଭବିଷ୍ୟତରେ ଆମେ ସବୁକିଛି କରିବୁ। ସବୁ ବିରୋଧୀଙ୍କୁ ୨୦୨୫ ପାଇଁ ଏକଜୁଟ ହେବାକୁ ପଡ଼ିବ ଏବଂ ଭବିଷ୍ୟତ ପାଇଁ କିଛି କରିବାକୁ ହେବ |

ଯେତେବେଳେ ଅଟଳ ବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦୀଙ୍କ ବିଷୟରେ ପ୍ରଶ୍ନ ପଚରାଗଲା, ନୀତୀଶ କୁମାର କହିଛନ୍ତି- ସମ୍ମାନୀୟ ଅଟଳ ବିହାରୀ ବାଜପେୟୀ ଜୀ, ସେ ଆମକୁ କେତେ ଭଲ ପାଉଥିଲେ, ବିଶ୍ୱାସ କରୁଥିଲେ। ଆମେ ତାଙ୍କୁ କେବେ ଭୁଲି ପାରିବୁ ନାହିଁ | ସେହି ସମୟ ଅଲଗା ଥିଲା | ନରେନ୍ଦ୍ର ମୋଦୀ ଏବଂ ବିଜେପିର ନାମ ନ ଧରି ସେ କହିଛନ୍ତି – ଯେଉଁମାନେ ୧୪ରେ ଆସିଥିଲେ, ସେମାନେ ୨୪ ପରେ ରହିପାରିବେ କି ନାହିଁ?

Comments are closed.