କାଟ୍ ଖାଇଲା ଭୁପେଶ ବାଘେଲ ସରକାରଙ୍କ ବିରୋଧରେ ବିଜେପି ଆଣିଥିବା ଅନାସ୍ଥା ପ୍ରସ୍ତାବ

ରାୟପୁର: ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ଛତିଶଗଡର ଭୁପେଶ ବାଘେଲଙ୍କ ସରକାର ବିରୋଧରେ ବିଜେପି ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି । ପ୍ରାୟ ୧୩ ଘଣ୍ଟାର ବିତର୍କ ପରେ ରାତି ଗୋଟାଏରେ ଅନାସ୍ଥା ପ୍ରସ୍ତାବ ବାଚନିକ ଭୋଟ୍ ଦ୍ୱାରା କାଟ୍ ଖାଇଥିଲା | ୯୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଶାସକ ଦଳ କଂଗ୍ରେସର ୭୧ ସଦସ୍ୟ ଥିବାବେଳେ ବିଜେପିର ୧୩ ଜଣ ବିଧାୟକ ଅଛନ୍ତି।

ଜୁଲାଇ ୨୧ରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସରଗରମ ଆଲୋଚନା ସମୟରେ ବିଜେପି ବାଘେଲ ସରକାରଙ୍କ ବିରୋଧରେ ୧୦୯ ସୂତ୍ରୀ ‘ଚାର୍ଜସିଟ’ ଉପସ୍ଥାପନ କରିଥିଲା ।ବାଘେଲ ସରକାର ଦୁର୍ନୀତିଗ୍ରସ୍ତ ଏବଂ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଥିଲା ବିଜେପି ।

ଟ୍ରେଜେରୀ ବେଞ୍ଚ କିନ୍ତୁ ଏହି ଅଭିଯୋଗକୁ ଖାରଜ କରିଥିଲା । ବିରୋଧୀ କୌଣସି ଠୋସ୍ ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଛନ୍ତି ଏବଂ ଏହାର ଚାର୍ଜସିଟରେ ତଥ୍ୟର ଅଭାବ ରହିଛି ବୋଲି ଶାସକ ଦଳ କହିଥିଲା । ଏହି ବିତର୍କର ଜବାବରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଥିଲେ ଯେ ବିରୋଧୀଙ୍କ ଚାର୍ଜସିଟରେ ତଥ୍ୟର ଅଭାବ ରହିଛି ଏବଂ ଏହାକୁ ଆଣି ବିଜେପି ଆମ ସରକାରଙ୍କୁ ବିଧାନସଭାରେ ନିଜର ସଫଳତା ଉପରେ ଆଲୋକପାତ କରିବାର ସୁଯୋଗ ଦେଇଛି। ଏହି ସମୟରେ ବିଜେପି ସଦସ୍ୟମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ‌। ସରକାର ସେମାନଙ୍କ ଅଭିଯୋଗର ସଠିକ୍ ଜବାବ ଦେବାରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ ଦାବି କରିଥିଲେ ।

Comments are closed.