ଇଡି ସମ୍ମୁଖରେ ହାଜର ହେଲେ ଅଭିନେତ୍ରୀ ନୋରା ଫତେହି, ଏହି ମାମଲାରେ ହେବ ଜେରା

ନୂଆଦିଲ୍ଲୀ: ଏକ ମନି ଲଣ୍ଡ୍ରିଂ ମାମଲାରେ ଜେରା ପାଇଁ ବଲିଉଡ ଅଭିନେତ୍ରୀ ତଥା ମଡେଲ ନୋରା ଫତେହି ଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଦିଲ୍ଲୀର ତିହାର ଜେଲରୁ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ନୋରା ଫତେହିଙ୍କୁ ପଚରାଉଚରା କରାଯିବ। ଏହି ମାମଲାରେ ପଚରାଉଚରା ପାଇଁ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମଧ୍ୟ ଇଡି ସମନ୍ କରିଥିଲା। ଆସନ୍ତାକାଲି ଜ୍ୟାକଲିନ ଇଡି ସମ୍ମୁଖରେ ହାଜର ହେବା ସମ୍ଭାବନା ରହିଛି ।

ଏହି ମାମଲାରେ ପୂର୍ବରୁ ମଧ୍ୟ ନୋରା ଫତେହିଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ଇଡି କହିଥିଲା। ପୂର୍ବରୁ ରେକର୍ଡ କରାଯାଇଥିବା ନୋରାଙ୍କ ବୟାନରେ ତାଳମେଳ ରହିନଥିଲା। ତେଣୁ ତାଙ୍କୁ ପୁଣିଥରେ ଜେରା ପାଇଁ ଦିଲ୍ଲୀ କାର୍ଯ୍ୟାଳୟକୁ ସମନ କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି ।

ସୂତ୍ରରୁ ପ୍ରକାଶ ଯେ ଏହି ଘଟଣାରେ ନୋରା ଫତେହିଙ୍କୁ ସାକ୍ଷୀ ଭାବରେ ଦେଖାଯାଉଥିଲା। କିନ୍ତୁ ପଚରାଉଚରା ପରେ ଆଜି ସନ୍ଧ୍ୟା ତାଙ୍କ ସମ୍ପର୍କରେ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ମନେ କରାଯାଉଛି ।

ଏହି ମାମଲା ସୁକେଶ ଚନ୍ଦ୍ରଶେଖର ନାମକ ଜଣେ ଠକ ବ୍ୟକ୍ତିଙ୍କ ସହ ଜଡ଼ିତ। ସୁକେଶ ଚନ୍ଦ୍ର ଶେଖର ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ସେ ଜେଲରେ ଥାଇ ଲୋକଙ୍କ ଠାରୁ ପ୍ରାୟ ୨୦୦ କୋଟି ଟଙ୍କା ଠକି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ମାମଲାରେ ମୁକେଶ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଲୀନା ପଲଙ୍କ ଉପରେ ଇଡି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ନୋରାଙ୍କୁ ମଧ୍ୟ ତାଙ୍କ ଜାଲରେ ଫସାଇ ସୁକେଶ ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲା ।

ନୋରା ଫତେହିଙ୍କ ଜନ୍ମ କାନାଡାରେ । ସେ ଜଣେ କାନାଡିଆନ୍ ମଡେଲ ଓ ଅଭିନେତ୍ରୀ | ଭାରତ ସହ ମଧ୍ୟ ନୋରାଙ୍କର ସମ୍ପର୍କ ଅଛି । ନୋରାଙ୍କ ମାଆ ହେଉଛନ୍ତି ଜଣେ ଭାରତୀୟ | ଭାରତ ଆସିବା ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଆଡ଼କୁ ଆକୃଷ୍ଟ ହେବାକୁ ଲାଗିଲେ। ହିନ୍ଦୀ ବ୍ୟତୀତ ସେ ତେଲୁଗୁ ଏବଂ ମାଲାୟାଲମ୍ ଫିଲ୍ମରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିଛନ୍ତି। ସେ ‘ରୋର୍ – ଟାଇଗେର୍ସ ଅଫ୍ ସୁନ୍ଦରବନ’ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ସେ ରିଅଲିଟି ସୋ ବିଗ୍ ବସ୍ ଏବଂ ଝଲକ ଦିଖଲା ଜା’ରେ ମଧ୍ୟ ଭାଗ ନେଇଥିଲେ |

Comments are closed.