ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଦୃଷ୍ଟିହୀନଙ୍କ ପାଇଁ ଜୀବନ ବ୍ୟାପି ସାଧନାକୁ ସମ୍ମାନ: ଶିକ୍ଷାବିତ୍ ବିଜୟ କୁମାର ରଥଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସମ୍ମାନ ସୂଚକ ଡ଼କ୍ଟରେଟ୍ ଉପାଧି ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ବର: ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍, ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ l ସଂସ୍କୃତର ଏହି ଶ୍ଲୋକର ମହତ୍ତ୍ୱକୁ ପ୍ରତିପାଦନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁରର ଦୃଷ୍ଟିହୀନ ଶିକ୍ଷାବିତ୍ ବିଜୟ କୁମାର ରଥ । ଦୃଷ୍ଟିହୀନଙ୍କ ପାଇଁ ଶିକ୍ଷାଦାନ କ୍ଷେତ୍ରରେ ଅବିଶ୍ୱସନୀୟ ଅବଦାନ ପାଇଁ ବିଜୟ କୁମାର ରଥଙ୍କୁ ମଙ୍ଗଳବାର କଟକ ଠାରେ ଅନୁଷ୍ଠିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚକ ଡ଼କ୍ଟରେଟ୍ ଉପାଧି [...]

Admin•ଜୁଲାଇ 15, 2025
Share Article:
ଦୃଷ୍ଟିହୀନଙ୍କ ପାଇଁ ଜୀବନ ବ୍ୟାପି ସାଧନାକୁ ସମ୍ମାନ: ଶିକ୍ଷାବିତ୍ ବିଜୟ କୁମାର ରଥଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସମ୍ମାନ ସୂଚକ ଡ଼କ୍ଟରେଟ୍ ଉପାଧି ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ବର: ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍, ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ l ସଂସ୍କୃତର ଏହି ଶ୍ଲୋକର ମହତ୍ତ୍ୱକୁ ପ୍ରତିପାଦନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁରର ଦୃଷ୍ଟିହୀନ ଶିକ୍ଷାବିତ୍ ବିଜୟ କୁମାର ରଥ । ଦୃଷ୍ଟିହୀନଙ୍କ ପାଇଁ ଶିକ୍ଷାଦାନ କ୍ଷେତ୍ରରେ ଅବିଶ୍ୱସନୀୟ ଅବଦାନ ପାଇଁ ବିଜୟ କୁମାର ରଥଙ୍କୁ ମଙ୍ଗଳବାର କଟକ ଠାରେ ଅନୁଷ୍ଠିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚକ ଡ଼କ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି । ଦୃଷ୍ଟିହୀନ ହୋଇଥିବା ସତ୍ତ୍ୱେ, ଓଡ଼ିଶାର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପଥଦ୍ରଷ୍ଟା ସାଜିଥିଲେ ବିଜୟ କୁମାର ରଥ। ଜଣେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ, ସେ ଜୀବନର ପ୍ରତିଟି ଘାତ ପ୍ରତିଘାତକୁ ଅତିକ୍ରମ କରି ଆଜି ଜଣେ ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ହୋଇପାରିଛନ୍ତି। ପିତା ବୃନ୍ଦାବନ ରଥଙ୍କ ଆଦର୍ଶକୁ ପାଥେୟ କରି ସେ ଜୀବନରେ ଅଗ୍ରସର ହୋଇଥିଲେ । ନିଜ ଛାତ୍ର ଜୀବନରୁ ହିଁ ସେ ନିଜର ଅଙ୍ଗିକାରବଦ୍ଧତା ଓ କର୍ତ୍ତବ୍ୟନିଷ୍ଠା ପ୍ରତିପାଦିତ କରିଥିଲେ, ଯାହା ଦ୍ୱାରା ସେ ଆଜିର ସମାଜରେ ବହୁ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।

ବିଜୟଙ୍କ ପିଲାଦିନର ପରିସ୍ଥିତି ଆଜିର ସମୟ ଠାରୁ ପୂରାପୂରି ଭିନ୍ନ ଥିଲା କାରଣ ସେତେବେଳେ ଦୃଷ୍ଟିହୀନ ପିଲାଙ୍କ ପଢ଼ିବା ପାଇଁ ଓଡ଼ିଶାରେ କୌଣସି ବିଦ୍ୟାଳୟର ବ୍ୟବସ୍ଥା ନଥିଲା। ବିଜୟ କିନ୍ତୁ ପାଠ ପଢ଼ିବା ପାଇଁ ଜିଦ୍ ଧରିଥିଲେ। ସେଥିପାଇଁ ସେ ପିତାଙ୍କ ଅନୁମତି ନେଇ ୧୯୫୭-୫୮ ମସିହାରେ କଲିକତାସ୍ଥିତ ବେହାଲା ଦୃଷ୍ଟିହୀନ ବିଦ୍ୟାଳୟରେ ନାମ ଲେଖାଇଲେ । ସେଠାରେ କିଛି ବର୍ଷ ଅଧ୍ୟୟନ କରିବା ପରେ ସେ ଓଡ଼ିଶାକୁ ଫେରି ଆସିଲେ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ୧୯୬୦ ମସିହା ସେପ୍ଟେମ୍ୱର ୧ ତାରିଖରେ ଦୃଷ୍ଟିହୀନଙ୍କ ଶିକ୍ଷା ପାଇଁ ଏକ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ସେତେବେଳର ଓଡ଼ିଶା ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁଥଙ୍କରଙ୍କ ଉଦ୍ୟମରେ ପ୍ରାୟ ୧୦ ଏକର ଜାଗାରେ ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା। ସେତେବେଳେ ମହୀଶୂରର ଶିକ୍ଷାବିତ୍ ଡି. ଏନ୍ ରତ୍ନ ଏହି ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ପ୍ରଥମେ ଏହିଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ର ବ୍ୟବସ୍ଥା ରହିଥିଲା। ଏହାପରେ ଆଉ ଉଚ୍ଚ ଶ୍ରେଣୀ ପାଇଁ ସୁଯୋଗ ନଥିଲା। ପଞ୍ଚମ ଶ୍ରେଣୀ ପଢ଼ିବା ପରେ ସେ ସମୟରେ ଦୃଷ୍ଟିହୀନ ପିଲାମାନେ ଉଚ୍ଚ ଶ୍ରେଣୀରେ ପଢ଼ିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ । ଦୃଷ୍ଟିହୀନ ପିଲାମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ, ବିଭିନ୍ନ କାରଣ ଯୋଗୁଁ ଏହି ବିଦ୍ୟାଳୟଟିକୁ ସରକାର ବନ୍ଦ କରି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜୟ ଭାରତର ରାଷ୍ଟ୍ରପତି ଭି.ଭି. ଗିରି ଓ ସମାଜ କଲ୍ୟାଣ ମନ୍ତ୍ରୀ ଆର. ଜଗନ୍ନାଥ ରାଓଙ୍କୁ ବ୍ରହ୍ମପୁର ସର୍କିଟ ହାଉସ ଠାରେ ଭେଟି ଏହି ବିଦ୍ୟାଳୟକୁ ପୁନର୍ବାର ଖୋଲିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ରାଷ୍ଟ୍ରପତି ଗୁରୁତ୍ୱର ସହିତ ବିଚାର କରି ସ୍କୁଲ ବନ୍ଦ ନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ସ୍କୁଲରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ପାଠ ପଢ଼ା ଚାଲିଲା। ପ୍ରଥମ ବ୍ୟାଚରେ ୬ ଜଣ ଏକାଦଶ ଶ୍ରେଣୀ ପରୀକ୍ଷା ଦେଇ ସମସ୍ତେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ, ଏହି ଦୃଷ୍ଟିହୀନ ପିଲାମାନେ ଅଧ୍ୟୟନ ନିମନ୍ତେ ଓଡିଶା ସ୍ଥିତ କଲେଜ ଗୁଡିକରେ ଭର୍ତ୍ତି ହେବା ପାଇଁ ଚେଷ୍ଟା କରିଥିଲେ । ସେତେବେଳେ ବିଜୟଙ୍କ ନେତୃତ୍ୱରେ ଦୃଷ୍ଟିହୀନ ପିଲାମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟପାଳଙ୍କ ପରାମର୍ଶଦାତା କେ.ଟି. ସତାରାୱାଲା ଏହାକୁ ଗୁରୁତ୍ୱର ସହ ବିଚାର କରି ପ୍ରଥମ ଥର ପାଇଁ ଓଡ଼ିଶାର ୪ଟି କଲେଜରେ ଦୃଷ୍ଟିହୀନ ଶିକ୍ଷାର୍ଥୀ ଶିକ୍ଷା ଗ୍ରହଣ କରିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ସେହି କଲେଜ ମଧ୍ୟରେ ଖଲିକୋଟ, ରେଭେନ୍ସା, ବିଜେବି ଓ କେନ୍ଦ୍ରାପଡ଼ା କଲେଜ ଅନ୍ତର୍ଭୁକ୍ତ ଥିଲା ।

ବିଜୟ କୁମାର ରଥ ବିଜେବି ଓ ଖଲିକୋଟ କଲେଜରେ ଉଚ୍ଚ ଶିକ୍ଷା ଗ୍ରହଣ କରି ବ୍ରହ୍ମପୁରରେ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସେଠାରେ ଏକମାତ୍ର ଶିକ୍ଷକ ଭାବରେ ଯୋଗଦେଲେ। ଅଧ୍ୟାପନା ସମୟରେ ସେ ଇଂଲଣ୍ଡ ଏବଂ ଅନ୍ୟାନ୍ୟ ଦେଶ ଭ୍ରମଣ କରି ସେଠିକାର ଦୃଷ୍ଟିହୀନ ଶିକ୍ଷାଧାରା ସମ୍ପର୍କରେ ଅବଗତ ହୋଇ ଓଡ଼ିଶାରେ ସେହିଭଳି ଶିକ୍ଷାଦାନ ଢ଼ାଞ୍ଚା ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲେ। ଜୀବନସାରା ସେ ଦୃଷ୍ଟିହୀନ ପିଲାମାନଙ୍କୁ ଶିକ୍ଷାଦାନ ସହିତ ବିଦ୍ୟାଳୟର ଉନ୍ନତିକଳ୍ପେ ବହୁ କାର୍ଯ୍ୟ ହାତକୁ ନେଇଥିଲେ। ବିଶେଷକରି ବ୍ରହ୍ମପୁର ଆମ୍ୱପୁଆ ଠାରେ ଦୃଷ୍ଟିହୀନ ବିଦ୍ୟାଳୟ ସହିତ ମୂକ ବଧିର ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ବିଜୟ କୁମାର ରଥଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦୃଷ୍ଟିହୀନମାନେ ଅନ୍ତତଃ ରାସ୍ତାଘାଟରେ ଭିକ୍ଷାବୃତ୍ତି ନ କରନ୍ତୁ, ଏବଂ ସେଥିପାଇଁ ସେ ଜୀବନସାରା ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ। ଆମ୍ୱପୁଆ ଠାରେ ସେ ବୟସ୍କ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ନେଇ ସେ ଏକ ଭୋକେସନାଲ୍ ଟ୍ରେନିଂ ସେଣ୍ଟର ମଧ୍ୟ ଆରମ୍ଭ କରିଥିଲେ ଯେଉଁଠାରେ ଦୃଷ୍ଟିହୀନ ବ୍ୟକ୍ତିମାନେ ତାଲିମ ନେଇ ଚୌକି, ଦଉଡ଼ି, ମହମବତୀ ଇତ୍ୟାଦି ତିଆରି କରିବା ପ୍ରଶିକ୍ଷଣ ନେଉଥିଲେ।

ଓଡ଼ିଶାରେ ଦୃଷ୍ଟିହୀନ ପିଲାଙ୍କ ପଢ଼ିବା ପାଇଁ ପୁସ୍ତକ ନଥିଲା । ବିଜୟଙ୍କ ଉଦ୍ୟମରେ ବ୍ରହ୍ମପୁରରେ ଓଡ଼ିଶାର ପ୍ରଥମ ବ୍ରେଲ ପ୍ରେସ୍ ୧୯୮୬ ମସିହା ନଭେମ୍ୱର ୧୯ ତାରିଖରେ ପ୍ରତିଷ୍ଠା ହୋଇପାରିଥିଲା । ଏହି ବ୍ରେଲ୍ ପ୍ରେସରୁ ଓଡ଼ିଶାର ୩୫ଟି ସ୍କୁଲ ଓ ଅନ୍ୟାନ୍ୟ ସଂସ୍ଥାକୁ ପୁସ୍ତକ ଯୋଗାଇ ଦିଆଯାଉଛି । ଏହି ବ୍ରେଲ ପ୍ରେସରୁ ମଧ୍ୟ ବ୍ରେଲ କ୍ୟାଲେଣ୍ଡର, ବିଜ୍ଞାନ ଦିଗନ୍ତ ପତ୍ରିକା ଛପାଯିବା ସହିତ ୨୦୧୪ ମସିହାରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦୃଷ୍ଟିହୀନଙ୍କ ପାଇଁ ଡ଼ମି ବ୍ୟାଲେଟ ପେପର ପ୍ରସ୍ତୁତ କରାଯାଉଛି ।

ବିଜୟ କୁମାର ରଥ ଦୃଷ୍ଟିହୀନଙ୍କ ପାଇଁ ନିଜ ସମଗ୍ର ଜୀବନ ଉତ୍ସର୍ଗୀକୃତ କରିଦେଇଛନ୍ତି । ତାଙ୍କ ଉଦ୍ୟମରେ ଭୁବନେଶ୍ଵର ଓଡ଼ିଆ ବ୍ଲାଇଣ୍ଡ ଆସୋସିଏସନ (ଓଏବି) ର ପ୍ରତିଷ୍ଠା ହୋଇପାରିଛି। ଏହା ସହିତ ଓଡ଼ିଶା ବ୍ଲାଇଣ୍ଡ ଫାଉଣ୍ଡେସନ ପ୍ରତିଷ୍ଠା କରି ସେ ଦୃଷ୍ଟିହୀନମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି। ଏହି କ୍ଷେତ୍ରରେ ବିଜୟ କୁମାର ରଥଙ୍କ ଦୁଇ ଭାଇ ବରିଷ୍ଠ ସାମ୍ୱାଦିକ ରବି ରଥ ଓ ବ୍ରହ୍ମପୁର ବ୍ରେଲ୍ ପ୍ରେସର ପରିଚାଳକ ପ୍ରକାଶ ନାରାୟଣ ରଥ ମୁଖ୍ୟ ସହଯୋଗୀ ଭାବରେ ଅଦ୍ୟାବଧି ତାଙ୍କ ସହଯୋଗ କରୁଛନ୍ତି । ବିଜୟଙ୍କ ମାର୍ଗଦର୍ଶନରେ ବହୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଆଜି ଭାରତ ବର୍ଷର ବିଭିନ୍ନ ସ୍ଥାନରେ ବହୁ ପଦପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ତାଙ୍କ ଭଳି ଜଣେ ତ୍ୟାଗୀ, ପରୋପକାରୀ, ଅନ୍ୟନ୍ୟ ଉତ୍ସର୍ଗୀକୃତ ବ୍ୟକ୍ତିତ୍ତ୍ବଙ୍କୁ ରେଭେନ୍ସା ବବିଶ୍ୱବିଦ୍ୟାଳୟ ୧୩ତମ ସମାବର୍ତ୍ତନ ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନସୂଚନ ଡ଼କ୍ଟରେଟ୍ ଉପାଧିରେ ବିଭୂଷିତ କରିଥିବା ଯୋଗୁଁ ଓଡ଼ିଶା ଦୃଷ୍ଟିହୀନ ସମାଜ ସମେତ ବହୁ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

#Odia#Odisha#News
Share Article:

Related Articles