ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗଜପତି ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପରିଚାଳନା ବୈଠକ: ଅଂଶୁଘାତ ଚିକିତ୍ସା ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ପାରଳାଖେମୁଣ୍ଡି: ସ୍ଥାନୀୟ ଗଜପତି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଳାପାଳ ସ୍ମୃତିରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ ଯେ- ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଣୁ ଜିଲ୍ଳାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ମାସ ଗୁଡିକରେ ସମସ୍ତ ଜନସାଧାରଣ ସତର୍କ ରହିବା ଓ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି [...]

Admin•ଅପ୍ରେଲ 7, 2024
Share Article:

ପାରଳାଖେମୁଣ୍ଡି: ସ୍ଥାନୀୟ ଗଜପତି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଳାପାଳ ସ୍ମୃତିରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ ଯେ- ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଣୁ ଜିଲ୍ଳାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ମାସ ଗୁଡିକରେ ସମସ୍ତ ଜନସାଧାରଣ ସତର୍କ ରହିବା ଓ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ଲାଇନ୍ ବିଭାଗୀୟ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା। ବିଶେଷ କରି ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସକାଶେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଗଜପତି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ତୀବ୍ର ରୂପ ନେବାର ଆଶଙ୍କା ରହିଛି। ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉପଯୁକ୍ତ ପରିମାଣ ଓଆରଏସ୍ ପ୍ୟାକେଟ ଏବଂ ଔଷଧ ମହଜୁଦ ରଖିବାକୁ କୁହାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ବ୍ୟବସ୍ଥା କରାଯିବ। ଅଂଶୁଘାତରେ କାହାର ମୃତ୍ୟୁ ଘଟେ ତେବେ ତୁରନ୍ତ ରିପୋର୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମସ୍ତ ଗ୍ରାମାଞ୍ଚଳ, ପାରଳାଖେମୁଣ୍ଡି ଓ କାଶୀନଗର ପୌରାଞ୍ଚଳ ସମେତ ସମସ୍ତ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ଜାଗାରେ ଜଳଛତ୍ର ଖୋଲାଯିବ। ପାନୀୟ ଜଳ ସମସ୍ୟାର ପ୍ରତିକାର ଦୃଷ୍ଟିରୁ ଅଚଳ ନଳକୂଅକୁ ତୁରନ୍ତ ମରାମତି କରାଯିବ। ମଧ୍ୟାହ୍ନ ସମୟରେ ବାହାରେ ବୁଲିବା ବେଳେ ପାଣି ବୋତଲ, ଛତା, ଟୋପି ତଥା ଓଦା କପଡା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟତ କରିବା, ମଧ୍ୟାହ୍ନରେ କୌଣସି ଜରୁରୀ କାମ ନଥିଲେ ଟାଣ ଖରାରେ ପଦାକୁ ନବାହାରିବା ନେଇ ଲୋକଙ୍କୁ ସଚେତନ କରାଯିବ। ଜିଲ୍ଳାର ସମସ୍ତ ସ୍କୁଲ ସକାଳ ୬.୩୦ରୁ ୧୦.୩୦ ସମୟ ପର୍ଯ୍ୟନ୍ତ ଖୋଲିବ। ଅଙ୍ଗନବାଡ଼ି କେନ୍ଦ୍ର ସକାଳ ୬.୩୦ରୁ ୯.୩୦ ସମୟ ପର୍ଯ୍ୟନ୍ତ ଖୋଲିବ। ଶ୍ରମିକମାନେ ସରକାରୀ ଧାର୍ଯ୍ୟ ସମୟ ମୁତାବକ ହିଁ କାମ କରିବେ। ବିଦ୍ୟୁତ୍ ବିଭ୍ରାଟ ଯେପରି ନ ଘଟେ, ମଣିଷ ଓ ପଶୁପକ୍ଷୀଙ୍କ ପାଇଁ ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା, ଜଙ୍ଗଲ ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ, ଉପ-ଜିଲ୍ଲାପାଳ ଅନୁପ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜଗନ୍ନାଥ ପାଢ଼ୀ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପରାମର୍ଶଦାତା ପ୍ରଦୋଷ କୁମାର ଶତପଥୀ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ, ସମସ୍ତ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles