୧୯୨୧ ମାର୍ଚ୍ଚ ୨୯କୁ ସ୍ମରଣ କରନ୍ତି ବ୍ରହ୍ମପୁରବାସୀ
ଲେଖକ: ପ୍ରତିଭା ନେପାକ ଆଜିକୁ ୧୦୦ ବର୍ଷ ତଳର କଥା । ଜାତିର ପିତା, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅଦ୍ବିତୀୟ ନାୟକ ମହାତ୍ମା ଗାନ୍ଧୀଙ୍କ ପାଦ ପ୍ରଥମ କରି ଓଡ଼ିଶା ମାଟିରେ ପଡ଼ିଥିଲା । ଆଉ ଗଞ୍ଜାମ ଜିଲ୍ଲାକୁ ମଧ୍ୟ ସେତେବେଳେ ପ୍ରଥମ କରି ପରିଦର୍ଶନ କରିଥିଲେ ବାପୁଜୀ।ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁରର ବାରାକ୍ସ ପଡ଼ିଆରେ ବିଶାଳ ସାଧାରଣ ସଭା କରି ହଜାର ହଜାର ଲୋକଙ୍କୁ ସ୍ୱାଧୀନତା ଆନ୍ଦୋଳନର ମନ୍ତ୍ର ଶୁଣାଇଥିଲେ । ତାଙ୍କୁ ଦେଖିବାକୁ, ଶୁଣିବାକୁ


ଲେଖକ: ପ୍ରତିଭା ନେପାକ
ଆଜିକୁ ୧୦୦ ବର୍ଷ ତଳର କଥା । ଜାତିର ପିତା, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅଦ୍ବିତୀୟ ନାୟକ ମହାତ୍ମା ଗାନ୍ଧୀଙ୍କ ପାଦ ପ୍ରଥମ କରି ଓଡ଼ିଶା ମାଟିରେ ପଡ଼ିଥିଲା । ଆଉ ଗଞ୍ଜାମ ଜିଲ୍ଲାକୁ ମଧ୍ୟ ସେତେବେଳେ ପ୍ରଥମ କରି ପରିଦର୍ଶନ କରିଥିଲେ ବାପୁଜୀ।ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁରର ବାରାକ୍ସ ପଡ଼ିଆରେ ବିଶାଳ ସାଧାରଣ ସଭା କରି ହଜାର ହଜାର ଲୋକଙ୍କୁ ସ୍ୱାଧୀନତା ଆନ୍ଦୋଳନର ମନ୍ତ୍ର ଶୁଣାଇଥିଲେ । ତାଙ୍କୁ ଦେଖିବାକୁ, ଶୁଣିବାକୁ କେବଳ ବ୍ରହ୍ମପୁର କି ଗଞ୍ଜାମ ନୁହେଁ, ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଏଠାକୁ ଛୁଟି ଆସିଥିଲା । ଏବେ ଉକ୍ତ ଗସ୍ତର ଶତବାର୍ଷିକୀ ଉତ୍ସବ ପାଳିତ ହେବାକୁ ଯାଉଛି । ଖୁସିର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିର ପିତାଙ୍କ ପ୍ରଥମ ଓଡ଼ିଶା ଗସ୍ତର ସ୍ମୃତିଚାରଣ ସ୍ଵରୂପ ଅନେକ ସୁନ୍ଦର କାର୍ଯ୍ୟକ୍ରମ କରି ଆଜିକାର ପୀଢ଼ିଙ୍କୁ ସେଇ ମହାପୁରୁଷଙ୍କ ଜୀବନାଦର୍ଶର ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି । ଏପରିକି ବିଧାନସଭାରେ ଏହି ଅବସରରେ ସ୍ଵତନ୍ତ୍ର ଆଲୋଚନା ଅଧିବେଶନ ମଧ୍ୟ କରାଯାଇ ଥିଲା । ଓଡ଼ିଶାବାସୀଙ୍କ ତଥା ରାଜ୍ୟ ସରକାରଙ୍କ ମହାତ୍ମାଙ୍କ ପ୍ରତି ଏହା ଅବିସ୍ମରଣୀୟ ଶ୍ରଦ୍ଧାଞ୍ଜଳି ।
୧୯୨୧ ମାର୍ଚ୍ଚ ୨୩ରେ ଓଡ଼ିଶାକୁ ପ୍ରଥମ ଥର ଆସିଥିଲେ ମହାତ୍ମା ଗାନ୍ଧୀ । କଟକରୁ ଆରମ୍ଭ ହୋଇଥିଲା ତାଙ୍କର ଏହି ପ୍ରଥମ ଓଡ଼ିଶା ଗସ୍ତ । ୨୪.୩.୧୯୨୧ରେ ସେଠିକାର କଦମ୍ – ଏ – ରସୁଲ ପଡ଼ିଆ, ବିନୋଦ ବିହାର ଓ କାଠଯୋଡ଼ି ନଦୀ ତଟରେ କରିଥିଲେ ବିଶାଳ ସଭା । ଅସହଯୋଗ ଆନ୍ଦୋଳନର ମନ୍ତ୍ର ଓଡ଼ିଆ ଲୋକଙ୍କ ମନ ଓ ହୃଦୟରେ ବୁଣି ଦେଇଥିଲେ । ସେମାନଙ୍କୁ ଦେଶର ସ୍ୱତନ୍ତ୍ରତା ଆନ୍ଦୋଳନରେ ମଜବୁତର ସହ ଯୋଡ଼ି ହୋଇଯିବାକୁ ପ୍ରେରଣା ଦେଇଥିଲେ । ମାର୍ଚ୍ଚ ୨୫ରେ ଭଦ୍ରକସ୍ଥିତ ଗାନ୍ଧୀ ପଡ଼ିଆରେ ସଭା ପରେ ସତ୍ୟବାଦୀ ବନ ବିଦ୍ୟାଳୟ ବୁଲି ୨୭ ତାରିଖରେ ପୁରୀରେ ବିଶାଳ ଜନସମାଗମକୁ ସମ୍ବୋଧିତ କରିଥିଲେ । ନିଜ ପ୍ରଥମ ଗସ୍ତର ଶେଷ ପର୍ଯ୍ୟାୟରେ ବ୍ରହ୍ମପୁରରେ ପହଞ୍ଚିଥିଲେ ଗାନ୍ଧିଜୀ । ବାରାକ୍ସ ପଡ଼ିଆରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ଅସହଯୋଗ ଆନ୍ଦୋଳନ ତଥା ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ନିଜକୁ ମନ – ପ୍ରାଣ – ହୃଦୟ ସହ ସାମିଲ ହେବାକୁ ଅଭିମନ୍ତ୍ରିତ କରିଥିଲେ ବାପୁଜୀ । ରେଳଷ୍ଟେସନରେ ଓହ୍ଲାଇ ପୁରୁଣା ବ୍ରହ୍ମପୁର ମ୍ୟୁନିସିପାଲିଟି ଅଫିସ୍ ଯିବା ସହ ସେଠାରୁ ବାରାକ୍ସ ପଡ଼ିଆ ଯାଇଥିଲେ । ସେହି ନିକଟ (ବର୍ତ୍ତମାନର ପୁରୁଣା ଆମ୍ବ ବଜାର ପାଖ) ଆଇନଜୀବୀ ମଧୁସୂଦନ ପାଣିଗ୍ରାହୀଙ୍କ ବାସଭବନ (ମଧୁ ମନ୍ଦିର)ରେ ରାତ୍ରଯାପନ କରିଥିଲେ ଗାନ୍ଧିଜୀ । ପରଦିନ ବ୍ରହ୍ମପୁରରୁ ବିଜୟୱାଡା ଯାତ୍ରା କରିଥିଲେ ସେ ।
ପ୍ରଥମ ବ୍ରହ୍ମପୁର ଗସ୍ତ ବେଳେ ଏହି କୋଠାରେ ରାତ୍ରଯାପନ କରିଥିଲେ ଗାନ୍ଧିଜୀ ୧୯୨୭ ଡିସେମ୍ବର ୪ – ୨୧ ତାରିଖ ମଧ୍ୟରେ ସ୍ୱଦେଶୀ ଆନ୍ଦୋଳନର ପ୍ରଚାର ତଥା ଖଦୀ ବସ୍ତ୍ରର ପ୍ରସାର ଲକ୍ଷ୍ୟରେ ସେ ଦ୍ବିତୀୟ ଥର ଗଞ୍ଜାମ ଗସ୍ତ କରିଥିଲେ । ସ୍ଵାଧୀନତାର ବର୍ଷକ ପୂର୍ବରୁ ୧୯୪୬ ଜାନୁଆରୀ ୨୦ରେ ସେ ଓଡ଼ିଶା ଦେଇ ଚେନ୍ନାଇ ଅଭିମୁଖେ ଟ୍ରେନରେ ଗଲା ବେଳେ ବ୍ରହ୍ମପୁର ଷ୍ଟେସନ୍ରେ ସହସ୍ରାଧିକ ସମର୍ଥକ, ଗାନ୍ଧୀବାଦୀଙ୍କୁ ଷ୍ଟେସନରେ ଭେଟିଥିଲେ । ଏହା ଥିଲା ଗାନ୍ଧିଜୀଙ୍କ ତୃତୀୟ ତଥା ଶେଷ ଗଞ୍ଜାମ (ବ୍ରହ୍ମପୁର) ଗସ୍ତ । ଓଡ଼ିଶାକୁ ମୋଟ ୮ ଥର ଗସ୍ତ କରିଥିବା ବେଳେ ସେଥିରୁ ୩ ଥର ଗଞ୍ଜାମବାସୀ ଏହି ଅଦ୍ବିତୀୟ ମହାନ ନେତାଙ୍କୁ ପାଖରୁ ଭେଟିବା, ଦର୍ଶନ କରିବାର ସୁଯୋଗ ପାଇଥିଲେ।। ବ୍ରହ୍ମପୁର ବ୍ୟତୀତ ଗଞ୍ଜାମ ଜିଲ୍ଲାର ରମ୍ଭା (ଲବଣ ସତ୍ୟାଗ୍ରହ), ଶେରଗଡ଼ ଆଦି ଅଞ୍ଚଳ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଗସ୍ତ ସହ ପରୋକ୍ଷ ଭାବେ ଜଡ଼ିତ ।
ଗାନ୍ଧିଜୀଙ୍କ ପ୍ରଥମ ବ୍ରହ୍ମପୁର ଗସ୍ତର ସନ୍ତକ ମଧୁ ମନ୍ଦିର। ଗାନ୍ଧୀଜୀଙ୍କ ବିଚାର ହେଉଛି ତାଙ୍କର ସବୁଠୁ ବଡ଼ ଅବଦାନ ବୋଲି ଶତବାର୍ଷିକୀ କାର୍ଯ୍ୟକ୍ରମର ପ୍ରଥମ ଦିନରେ ନିଜ ଉଦବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାପୁଙ୍କ ସହିଷ୍ଣୁତା , ସଂହତି ଓ ବହୁବାଦର ଆଜି ବି ପ୍ରାସଙ୍ଗିକତା ରହିଥିବା ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ସେହି ଅନୁସାରେ ତାଙ୍କ ବିଚାର ବାବଦରେ ସମସ୍ତଙ୍କୁ ଅବଗତ କରାଇବା ନେଇ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଡାକ ବିଭାଗ ତରଫରୁ ଡାକ ଟିକଟ ଓ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ଥିବା ସ୍ୱତନ୍ତ୍ର ଲଫାଫା ପ୍ରକାଶନ, କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଗାନ୍ଧିଜୀଙ୍କ ଫଟୋଚିତ୍ର ପ୍ରଦର୍ଶନୀ, ବ୍ରହ୍ମପୁର ସମେତ କଟକ, ଭଦ୍ରକ, ସତ୍ୟବାଦୀ ଓ ପୁରୀ ରେଳ ଷ୍ଟେସନରେ ଗସ୍ତର ନିଦର୍ଶନ ସ୍ବରୂପ ଫଟୋଚିତ୍ର ପ୍ରଦର୍ଶିତ ହେବ । କେନ୍ଦ୍ର କ୍ଷେତ୍ର ପ୍ରଚାର ସଂସ୍ଥା, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସଂସ୍କୃତି ବିଭାଗ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି । ବ୍ରହ୍ମପୁରରେ ବିଭିନ୍ନ ସଙ୍ଗଠନ ସମେତ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ କମିଟି ମଧ୍ୟ ଏଥିରେ ସହଯୋଗ କରି ଆସୁଛି । ବହୁ ଜନପ୍ରତିନିଧି, ସ୍ଵାଧୀନତା ସଂଗ୍ରାମୀ, ରାଜନେତା, ବୁଦ୍ଧିଜୀବୀ ଏହି କମିଟିରେ ସାମିଲ ଅଛନ୍ତି । ମାର୍ଚ୍ଚ ୩୦ ଅପରାହ୍ନରେ ବ୍ରହ୍ମପୁର ଷ୍ଟେସନରୁ ସର୍ବଦଳୀୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ବ୍ରହ୍ମପୁର ଷ୍ଟାଡିୟମ୍ (ପୁରାତନ ବାରାକ୍ସ ପଡ଼ିଆ)ରେ ପହଞ୍ଚିବ । ଏକ ପ୍ରଚାର ଯାନରେ ବାପୁଜୀଙ୍କ ଦର୍ଶନ, ନିଶା ନିବାରଣ, ଗାନ୍ଧୀ ସାହିତ୍ୟ, ସର୍ବଧର୍ମ ସମନ୍ବୟ ବୈଶିଷ୍ଟ୍ୟ ପ୍ରତିପାଦନ ସହ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଅହିଂସା ପ୍ରଜ୍ଞାପନ ମେଢ଼, ଗାନ୍ଧିଜୀଙ୍କ କାର୍ଯ୍ୟାବଳୀ ପ୍ରଦର୍ଶିତ ହେବ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କିତ ଏକ ସ୍ମରଣିକା ପ୍ରକାଶନ କରାଯିବ ସହ ୨୩ରୁ ହିଲପାଟଣାସ୍ଥିତ ସଂସ୍କୃତି ଭବନରେ ଆରମ୍ଭ ହେଉଥିବା ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପ୍ରଥମ ଦିନ ଗାନ୍ଧିଜୀଙ୍କ ଓଡ଼ିଶା ସହ ସମ୍ପର୍କ ଆଧାରିତ ଏକ ନାଟକ ପରିବେଷଣ କରାଯିବ ।
ପ୍ରତିଭା ନେପାକ
ଲେଖକ ତଥା ଇତିହାସ ଗବେଷକ
Odisha Assembly to Hold Special Discussion to Commemorate Completion of 100 Years of Mahatma Gandhi’s Visit to State
Next ArticleOn Shaheed Diwas, Naveen Pays Homage to Bhagat Singh, Sukhdev and Rajguru
Related Articles
ମତାମତଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା
ବ୍ରହ୍ମପୁର: କାହିଁ କେଉଁ ଆବହମାନ କାଳରୁ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ଯାଏଁ ଚୈତ୍ର ମାସରେ ଦଣ୍ଡ ନାଚ ହୋଇ ଆସୁଛି। ଗୋଟିଏ ପଟେ ସ୍ଥାନୀୟ ଜନଜୀବନର ପ୍ରତିଫଳନ କରୁଥିବା ଲୋକପରମ୍ପରା ଆଧାରିତ ନୃତ୍ୟ ସଙ୍ଗୀତ ତ ଆରପଟେ କଠିନତମ ସାଧନା କରି ଦୈବୀ କୃପା ହାସଲ କରିବା ନିମନ୍ତେ କଠୋର ସାଧନାର ଝଲକ ଯେଉଁଠି ଦେଖିବାକୁ ମିଳିଥାଏ ତାହା ହେଉଛି ଦଣ୍ଡ ନାଚ ବା ଦଣ୍ଡ ଯାତ୍ରା। ଜିଲ୍ଲାରେ ଗତ କିଛି ଦିନ [...]
ମତାମତମିଡିଆ ମୋଗଲ ରାମୋଜୀ ରାଓ : ସାମ୍ବାଦିକତା ଓ ସିନେମାର ବିପ୍ଲବୀ ପୁରୁଷ
ଲେଖକ: ବିଜନ କୁମାର ମହାପାତ୍ର ‘ମୁକ୍ତାର ସହର’ ହାଇଦ୍ରାବାଦ ଉପକଣ୍ଠରେ ପ୍ରତିଷ୍ଠା ହୋଇଛି ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଅ କମ୍ପେକ୍ଲ୍ସ – ‘ରାମୋଜୀ ଫିଲ୍ମ ସିଟି’ । ୧୯୯୬ ମସିହାରେ ଏହି ବିଶାଳ ଷ୍ଟୁଡିଅ କମ୍ପେକ୍ଲସର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ମିଡିଆ ମୋଗଲ ରାମୋଜୀ ରାଓ କିଛି ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଥିଲେ ଯେ, ‘ଫିଲ୍ମ ନିର୍ମାତାମାନେ ସ୍କ୍ରିପ୍ଟ ଧରି ଏଠାକୁ ଆସନ୍ତୁ ଓ ସଂପୂର୍ଣ୍ଣ ଫିଲ୍ମ ଧରି ଏଠାରୁ ଯାଆନ୍ତୁ ।’ [...]
ମତାମତସ୍ମୃତିର ଆଇନାରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ
ବିଜନ କୁମାର ମହାପାତ୍ର ୧୯୫୧-୫୨ ମସିହାରେ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଉପରେ ସାରାବିଶ୍ୱର ଥିଲା ନଜର ରହିଥିଲା । ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବା ଏକ ନୂତନ ସ୍ୱାଧୀନ ଦେଶରେ ସାଧାରଣ ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ସନ୍ଦେହ ଉପୁଜିଥିଲା । ବିଶେଷକରି ପାଶ୍ଚାତ୍ୟ ଜଗତ ଏ ଦିଗରେ ନିଶ୍ଚିତ ନ ଥିଲେ । କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ବର୍ଷ ମଧ୍ୟରେ ସଫଳତାପୂର୍ବକ ନିର୍ବାଚନ କରି ପାଶ୍ଚାତ୍ୟ ପୂର୍ବାନୁମାନକୁ [...]
