ଆମାଜନ୍‌ର ବଡ଼ ବିଜୟ, ରିଲାଏନ୍ସ-ଫ୍ୟୁଚର ଗ୍ରୁପ୍ ଡିଲ୍ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲ୍ ଏବଂ ଫ୍ୟୁଚର ଗ୍ରୁପ୍ ବିଲୟ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ଆମାଜନ୍ ସପକ୍ଷରେ ସିଙ୍ଗାପୁର ଇମଜର୍ନ୍ସି ଆର୍ବିଟ୍ରେଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ୍ ରଖିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ସିଙ୍ଗାପୁର ଆର୍ବିଟ୍ରେଟରଙ୍କ ନିଷ୍ପତ୍ତି ଭାରତରେ ଲାଗୁ ହୋଇପାରିବ । ଜଷ୍ଟିସ୍ ଆରଏଫ୍ ନରିମାନ୍ ଏବଂ ବିଆର ଗାଭାଇଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆମାଜନ୍ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି । ରିଲାଏନ୍ସ ରିଟେଲ୍ ଓ ଫ୍ୟୁଚର ଗ୍ରୁପ୍ ମଧ୍ୟରେ ହୋଇଥିବା ପ୍ରାୟ ୨୪ ହଜାର କୋଟି ଟଙ୍କାର ଚୁକ୍ତି ବିରୋଧରେ ଆମାଜନ୍ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟଙ୍କ ରାୟ ଫ୍ୟୁଚର ଗ୍ରୁପ୍ ପାଇଁ ଏକ ଶକ୍ତ ଝଟ୍‌କା । ଫ୍ୟୁଚର ଗ୍ରୁପ୍ ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ରିଟେଲ୍ ଚେନ୍ ଗ୍ରୁପ୍ । ସାରା ଦେଶରେ ଏହାର ୧୭୦୦ ଷ୍ଟୋର୍ ରହିଛି । ଫ୍ୟୁଚର ଗ୍ରୁପ୍ ଏହାର ସମଗ୍ର ବ୍ୟବସାୟକୁ ରିଲାଏନ୍ସ ରିଟେଲକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲା । ତେବେ ଏହା ଚୁକ୍ତିର ଉଲ୍ଲଂଘନ ବୋଲି ଦର୍ଶାଇ ଆମାଜନ ଅଦାଲତର ଦ୍ୱାରସ୍ଥ ହୋଇଥିଲା । ଆମାଜନ ଓ ଫ୍ୟୁଚର ଗ୍ରୁପ୍ ମଧ୍ୟରେ ପୂର୍ବରୁ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତିର ଏକ ସର୍ତ୍ତ ମୁତାବକ ରିଲାଏନ୍ସ ରିଟେଲ ସହ କୌଣସି ବ୍ୟାବସାୟିକ ଚୁକ୍ତି କରିବା ଉପରେ ଫ୍ୟୁଚର ଗ୍ରୁପ୍‌କୁ ବାରଣ କରାଯାଇଥିଲା । ଫ୍ୟୁଚର ଗ୍ରୁପ୍ ଏହି ଚୁକ୍ତି ସର୍ତ୍ତାବଳୀର ଉଲ୍ଲଂଘନ କରିଥିବା ଦର୍ଶାଇଥିଲା ଆମାଜନ୍ ।

Comments are closed.