ପେଗାସସ୍ ପ୍ରସଙ୍ଗରେ ଆଲୋଚନା ପାଇଁ ସଂସଦର ମୌସୁମୀ ଅଧିବେଶନ ଅବଧି ବଢାଇବାକୁ ବିରୋଧୀଙ୍କ ଦାବି | News Room Odisha

ପେଗାସସ୍ ପ୍ରସଙ୍ଗରେ ଆଲୋଚନା ପାଇଁ ସଂସଦର ମୌସୁମୀ ଅଧିବେଶନ ଅବଧି ବଢାଇବାକୁ ବିରୋଧୀଙ୍କ ଦାବି

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି | ବିରୋଧୀ ଦଳ ସଦସ୍ୟମାନେ ପେଗାସସ୍ ଗୁଇନ୍ଦାଗିରି ଏବଂ କୃଷି ଆଇନ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ହଟ୍ଟଗୋଳ ଜାରି ରଖିଛନ୍ତି । ମୌସୁମୀ ଅଧିବେଶନର ଅନ୍ତିମ ସପ୍ତାହ
ଆରମ୍ଭ ହେବା ପୂର୍ବରୁ ଆରଜେଡିର ରାଜ୍ୟସଭା ସାଂସଦ ମନୋଜ କୁମାର ଝା ସଂସଦର ମୌସୁମୀ ଅଧିବେଶନର ଅବଧି ବୃଦ୍ଧି କରି ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି। ମନୋଜ ଝା ଗଣମାଧ୍ୟମକୁ କହିଛନ୍ତି ଯେ ପେଗାସସ୍ ମାମଲାରେ ସଂସଦରେ ଅଚଳାବସ୍ଥା ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ହସ୍ତକ୍ଷେପ କରିବା ଉଚିତ୍। ନଷ୍ଟ ହୋଇଥିବା ସମୟର ଭରଣା କରିବା ପାଇଁ ଚଳିତ ଅଧିବେଶନର ଅବଧି ବୃଦ୍ଧି କରାଯିବା ଉଚିତ୍ |

ବିରୋଧୀ ଦଳ ସହ ଆଲୋଚନା କରିବାକୁ ଚେଷ୍ଟା କରାଯାଉଥିବା ବାରମ୍ବାର କହୁଥିଲେ ମଧ୍ୟ ସଂସଦର ସୃଷ୍ଟ ଅଚଳାବସ୍ଥା ପାଇଁ ଝା ସରକାରଙ୍କୁ ସମାଲୋଚନା କରିଛନ୍ତି।
ସରକାର “ନିଜ ପକେଟରେ ହାତ ରଖି, ମୁହଁରେ କଠୋର ଆଭିମୁଖ୍ୟ ସହ ବିରୋଧୀଙ୍କୁ ଦେବାକୁ ଆମ ପାଖରେ ଏହା ହିଁ ଅଛି ବୋଲି କହୁଛନ୍ତି ଏଭଳି ଆଳରେ| ଆଲୋଚନା କରିବା ପାଇଁ ସରକାର ଦ୍ୱାର ବନ୍ଦ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ସମେତ ସମଗ୍ର ବିରୋଧୀଙ୍କୁ ସଂସଦରେ ଅଚଳାବସ୍ଥା ପାଇଁ ସମାଲୋଚନା କରିଥିଲେ । ରବି ଶଙ୍କର ପ୍ରସାଦ କହିଥିଲେ ଯେ ବିରୋଧୀଙ୍କ ପାଟିତୁଣ୍ଡ ଯୋଗୁଁ ସଂସଦ କାର୍ଯ୍ୟ ଚାଲିପାରୁନଥିବାରୁ ଏପର୍ଯ୍ୟନ୍ତ ୧୩୦ କୋଟି ଟଙ୍କା କ୍ଷତି ହୋଇଛି।

ତୃତୀୟ ସପ୍ତାହରେ ରାଜ୍ୟସଭାରେ ଉତ୍ତେଜନା ଯୋଗୁଁ ୨୧ ଘଣ୍ଟା ୩୬ ମିନିଟର ସମୟ ନଷ୍ଟ ହୋଇଯାଇଛି | ତଥ୍ୟ ଅନୁଯାୟୀ, ମୌସୁମୀ ଅଧିବେଶନ ଆରମ୍ଭ ହେବାର ମୋଟ ୭୮ ଘଣ୍ଟା ୩୦ ମିନିଟ ମଧ୍ୟରୁ ୬୦ ଘଣ୍ଟା ୨୮ ମିନିଟ୍ ନଷ୍ଟ ହୋଇଛି। ଅଧିକାରୀ କହିଛନ୍ତି ଯେ ଗତ ତିନି ସପ୍ତାହ ମଧ୍ୟରେ ଗୃହରେ ମୋଟ ୧୭ ଘଣ୍ଟା ୪୪ ମିନିଟ୍ କାର୍ଯ୍ୟ କରାଯାଇଛି, ସେଥିମଧ୍ୟରୁ ଚାରି ଘଣ୍ଟା ୪୯ ମିନିଟ୍ ସରକାରୀ ବିଲ୍ ଉପରେ କଟିଛି, ପ୍ରଶ୍ନକାଳ ଉପରେ ତିନି ଘଣ୍ଟା ୧୯ ମିନିଟ୍ ଏବଂ ଚାରି ଘଣ୍ଟା ୩୭ ମିନିଟ ସମୟ କୋଭିଡ୍-୧୯ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଏକ ସଂକ୍ଷିପ୍ତ ଆଲୋଚନାରେ ବିତିଛି |