ସମ୍ବଲପୁରରେ ନକଲି ନୋଟ୍ କାରବାରର ପର୍ଦ୍ଦାଫାସ | News Room Odisha

ସମ୍ବଲପୁରରେ ନକଲି ନୋଟ୍ କାରବାରର ପର୍ଦ୍ଦାଫାସ

୧୩.୮୫ ଲକ୍ଷ ଟଙ୍କାର ନୋଟ୍ ଜବତ, ୬ ଗିରଫ

ସମ୍ବଲପୁର : ନକଲି ନୋଟ୍ କାରବାରର ଏକ ବଡ ବ୍ୟାକେଟ୍‌ର ପର୍ଦ୍ଦାଫାସ କରିବାରେ ସମ୍ବଲପୁର ପୁଲିସକୁ ବଡ଼ ସଫଳତା ମିଳିଛି । ଏକକାଳୀନ ୧୩.୮୫ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିବା ସହିତ ଏଥିରେ ୬ ଜଣଙ୍କୁ ଗିରଫ କରିଛି । ଏହା ସହିତ ନକଲି ନୋଟ୍ ଛାପା ପାଇଁ ବ୍ୟବହୃତ ବିଭିନ୍ନ ମେସିନ୍‌ ଜବତ କରିଛି । ଅଭିଯୁକ୍ତମାନେ ହେଲେ , ବରଗଡ଼ ଜିଲ୍ଲା ଭଟଲି ଥାନା ଗୋପାଳପୁର ଗ୍ରାମର ସାଗର ସାହୁ ( ୨୬ ) , ଅଶୋକ ସାହୁ ( ୨୭ ) , ଅମ୍ବାଭୋନା ବ୍ଳକ କୁମ୍ବୋ ଗ୍ରାମର ଶିବଶଙ୍କର ବଣିଆ ( ୩୦ ) , କାଶୀପାଲିର ଅଫି ଓରଫ ଗୁଣନିଧି ଭୋଇ ( ୩୮ ) , ଛତିଶଗଡ଼ ରାୟଗଡ଼ ଜିଲ୍ଲା କୋଶିରର ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ନିରଲା ( ୨୬ ) ଓ ଅଭିରାମ ଝଗେ ( ୪୮ ) । ଏମାନଙ୍କୁ ଟାଉନ ଥାନା ପୁଲିସ ଆଜି କୋର୍ଟଚାଲାଣ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ବାତୁଲା ଗଙ୍ଗାଧର ଏହି ଘଟଣା ନେଇ ବିଷଦ ସୂଚନା ଦେଇଛନ୍ତି ।

ପୁଲିସ୍ ସୂଚନା ଅନୁସାରେ , ୭ ଦିନ ପୂର୍ବେ ଲକ୍ଷ୍ମୀ ଟକିଜ ଛକର ଏକ ଚା ’ ଦୋକାନରୁ ଗୋଟିଏ ନକଲି ଶହେ ଟଙ୍କିଆ ନୋଟ୍ ମିଳିଥିବା ନେଇ ଶଙ୍କର ସିଂ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ୨ ଜଣ ବ୍ୟକ୍ତି ଏହି ନକଲି ନୋଟ୍ ଆଣି ସହରରେ ଦେଉଥିବା ଜଣାପଡିଥିଲା । ତେବେ , ତଦନ୍ତ ବେଳେ ଏହାର ଚେର ବରଗଡରୁ ଛତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଥିଲା । ଏନେଇ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ଟାଉନ୍ ପୁଲିସ୍ ପ୍ରକାଶ କର୍ଣ୍ଣଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଘଟଣାର ଛାନ୍‌ଭିନ୍ ଆରମ୍ଭ ହୋଇଥିଲା । ଏଠାରେ ନକଲି ଟଙ୍କା ବଦଳାଉଥିବା ଉକ୍ତ ୨ ଜଣଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଥିଲା । ଛତିଶଗଡ଼ର କୋସିରରେ ଏହି ଟଙ୍କା ଛପା ଯାଉଥିବା ବେଳେ ୧ ଲକ୍ଷ ଟଙ୍କାର ନକଲି ନୋଟକୁ ୧୫ରୁ ୨୦ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡ଼ିଥିଲା । ଏହି ନୋଟ୍‌ଗୁଡ଼ିକ ବରଗଡ଼ ଓ ଝାରସୁଗୁଡ଼ା ସୀମା ଦେଇ ଓଡ଼ିଶାକୁ ପ୍ରବେଶ କରୁଥିବା ନେଇ ଅଭିଯୁକ୍ତମାନେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ୬ ମାସ ତଳେ ଓଡ଼ିଶାର ଜଣେ ପଞ୍ଜାବୀ ବ୍ୟକ୍ତିଙ୍କୁ ୧୫ ଲକ୍ଷ ଟଙ୍କା ଟଙ୍କା ଦେଇଥିଲା । ତେବେ ଉକ୍ତ ଟଙ୍କା ବଜାରରେ ଠିକ୍ ଠାକ୍ ଚାଲିବା ପରେ ସେ ଏହି କାରବାରକୁ ଚେନ୍ ସିଷ୍ଟମରେ ବଦଳାଇ ଦେଇଥିଲା । ଅଭିଯୁକ୍ତଙ୍କ ନିକଟରୁ ପୁଲିସ୍ ନଗଦ ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ୍ , ଗୋଟିଏ ମଟର ସାଇକଲ ( ସିଜି ୧୩ ୟୁ ୭୦୬୫ ) , ଗୋଟିଏ ପ୍ୟାକେଟ୍ ଜେକେ ଏକ୍‌ସେଲ୍ ବଣ୍ଡ ପେପର , ୩ଟି ଡିଜାଇନର , ଗୋଟିଏ କଟର , ଗୋଟିଏ ପ୍ରିଣ୍ଟର ଓ ଗୋଟିଏ ଗାନ୍ଧୀ ମୁଣ୍ଡ ଥିବା ଷ୍ଟାମ୍ପ ଜବତ କରିଛି । ଅଭିଯୁକ୍ତଙ୍କ ନିକଟରୁ ମୋଟ ୬୮୦୦ ଅସଲି ଟଙ୍କା ଜବତ କରାଯାଇଛି ।