ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ

ମୁମ୍ବାଇ: ଫିଲ୍ମ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଅନୁପମ ଶ୍ୟାମଙ୍କ ୬୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ। କିଛି ଦିନ ତଳେ ଅବସ୍ଥା ହଠାତ୍ ଗୁରୁତର ହେବାରୁ ସେ ମୁମ୍ବାଇର ଗୋରେଗାଓଁର ଲାଇଫ ଲାଇନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ସିରିଏଲ ‘ମନ୍ କି ପ୍ରତିଜ୍ଞା’ରେ ଠାକୁର ସଜ୍ଜନ ସିଂଙ୍କ ଚରିତ୍ରରେ ଅଭିନୟ ପାଇଁ ସେ ଘରେ ଘରେ ଏକ ପରିଚିତ ଚେହେରା ପାଲଟିଥିଲେ ।

ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ତାଙ୍କ ମୃତ୍ୟୁ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ବଡ଼ କ୍ଷତି ଘଟିଛି। ଏକାଧିକ ଅଙ୍ଗ ଅକାମୀ କାରଣରୁ ଭେଟେରାନ ଅଭିନେତା ଅନୁପମ ଶ୍ୟାମଙ୍କର ଦେହାନ୍ତ ହୋଇଛି।

ଅନୁପମ ଶ୍ୟାମ ୨୦ ସେପ୍ଟେମ୍ବର ୧୯୫୮ରେ ଉତ୍ତରପ୍ରଦେଶର ପ୍ରତାପଗଡରେ ଜନ୍ମଗ୍ରହଣ କରିଥିଲେ। ପ୍ରତାପଗଡରେ ସ୍କୁଲ୍ ଶିକ୍ଷା ସମାପ୍ତ କରିଥିଲେ । ପରେ ଲକ୍ଷ୍ନୌ ଭର୍ତେନ୍ଦୁ ନାଟ୍ୟ ଏକାଡେମୀରୁ ଶ୍ୟାମ ଥିଏଟର ଶିକ୍ଷା ଲାଭ କରିଥିଲେ । ଏହା ପରେ ସେ ଦିଲ୍ଲୀର ଶ୍ରୀ ରାମ କେନ୍ଦ୍ର ଥିଏଟରରେ କାମ କରିଥିଲେ। ପରବର୍ତ୍ତୀ ସମୟରେ ଶ୍ୟାମ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଯୋଗ ଦେଇଥିଲେ।

ସେ ମଧ୍ୟ ଶେଖର କାପୁରଙ୍କ ଫିଲ୍ମ “ବ୍ୟାଣ୍ଡିଟ୍ କୁଇନ”ରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ | ଏହା ବ୍ୟତୀତ ସେ ଦି ୱାରିଅର୍ ଏବଂ ଥ୍ରେଡ୍ ଫିଲ୍ମରେ ମଧ୍ୟ କାମ କରିଥିଲେ। ଏହାଛଡ଼ା ଅନୁପମ ଶ୍ୟାମ
ହିନ୍ଦୀ ଫିଲ୍ମ ଶକ୍ତି, ହଲ୍ଲାବୋଲ ଏବଂ ରକ୍ତଚରିତ, ପରଜାନିଆ, ଦାସ କ୍ୟାପିଟାଲ, ପାନ ସିଂ ତୋମାର, ହଜାର ଚୌରସି କି ମା’, ଦୁଷ୍ମନ, ସତ୍ୟ, ଦିଲ୍ ସେ, ଜଖମ, କଚେ ଧାଗେ, ତକ୍ଷକ, ବଓ୍ବଣ୍ଡର, ନାୟକ, କସୁର, ଲଗାନ ଏବଂ ଲଜ୍ଜା ଭଳି ଲୋକପ୍ରିୟ ଫିଲ୍ମରେ କାମ କରିଥିଲେ ।

Comments are closed.