ହିମାଚଳ ପ୍ରଦେଶ ଭୂସ୍ଖଳନ: ଆଉ ଚାରି ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି | News Room Odisha

ହିମାଚଳ ପ୍ରଦେଶ ଭୂସ୍ଖଳନ: ଆଉ ଚାରି ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

କିନ୍ନର: ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ମାଟି ଅତଡ଼ା ତଳେ ଫସି ରହିଥିବା ବହୁ ଗାଡ଼ିରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ଆଉ ଚାରିଟି ମୃତଦେହ ମିଳିଛି । ଫଳରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏବେ ବି ଅନେକ ଲୋକ ନିଖୋଜ ଥିବା କୁହାଯାଇଛି।

କିନୌର ଡେପୁଟି କମିଶନର ଆବିଦ୍ ହୁସେନ୍ ସାଦିକ୍ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ଭୂସ୍ଖଳନ ସ୍ଥାନରୁ ଆଉ ୪ଟି ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକ ସୁଦେଶ କୁମାର ମୋଖଟା କହିଛନ୍ତି ଯେ କିଛି ଗାଡି ସହିତ ହିମାଚଳ ସଡକ ପରିବହନ ନିଗମ (ଏଚ୍ଆରଟିସି) ବସ୍ ମଧ୍ୟ ମାଟି ଓ ପଥର ତଳେ ପୋତି ହୋଇଯାଇଛି। ବସ୍‌ର ଅବସ୍ଥା ବେଶ୍ ଖରାପ ହୋଇ ପଡ଼ିଥିବା ବେଳେ ଏକ ‘ବୋଲେରୋ’ ଗାଡିଟି ଏବେ ବି ମାଟିଗଦାରେ ପୋତି ହୋଇ ରହିଛି।

ରେକୋଙ୍ଗ ପିଓରୁ ଶିମଲା ଦେଇ ହରିଦ୍ୱାର ଅଭିମୁଖେ ଯାତ୍ରା କରୁଥିବା ଏକ ହିମାଚଳ ସଡକ ପରିବହନ ନିଗମ (ଏଚ୍ଆରଟିସି) ବସ୍ ବୁଧବାର ଅପରାହ୍ନରେ ନିକର ତହସିଲର ନିଗୁଲସାରୀ ଅଞ୍ଚଳର ଚୌରା ଗ୍ରାମ ନିକଟରେ ପାହାଡରୁ ଖସିଥିବା ବିଶାଳ ପଥର ଖଣ୍ଡ ସହ ଧକ୍କା ହୋଇଥିଲା।

Himachal Landslide