ପ୍ରଚୁର ଟଙ୍କା ନେଇ ପଳାୟନ କରିଥିବା ଅଭିଯୋଗକୁ ଘନିଙ୍କ ଖଣ୍ଡନ, କହିଲେ କେବଳ ହଳେ ପୋଷାକ ସହ ଦେଶ ଛାଡିଥିଲେ

ଦୁବାଇ: ତାଲିବାନ ଭୟରେ ଆଫଗାନିସ୍ତାନରୁ ପଳାୟନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଅଶ୍ରଫ ଘନି ନିଜ ସହ ପ୍ରଚୁର ଟଙ୍କା ନେଇ ଚାଲି ଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କେବଳ ହଳେ ପୋଷାକ ସହ ଆଫଗାନିସ୍ତାନ ଛାଡିଛନ୍ତି ବୋଲି କହିଛନ୍ତି ଘନି । ଆଫଗାନିସ୍ତାନ ଛାଡ଼ି ପଳାଇବା ପରଠୁ ଘନି ପ୍ରଥମ ଥର ଏକ ଭିଡିଓ ବାର୍ତ୍ତା ଜାରି କରି ଏହା କହିଛନ୍ତି।। ଘନିଙ୍କ ଏହି ବୟାନ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସାମ୍ନାକୁ ଆସିଛି।

ଆଫଗାନିସ୍ତାନ ଛାଡିବା ପରେ ଅଶ୍ରାଫ ଘନି ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ଆଶ୍ରୟ ନେଇଛନ୍ତି। ୟୁଏଇ ବୈଦେଶିକ ମନ୍ତ୍ରଣାଳୟ ଘାନି ଏବଂ ତାଙ୍କ ପରିବାରର ଉପସ୍ଥିତି ଖବର ସ୍ପଷ୍ଟ କରିଛି। ୟୁଏଇ ସରକାର କହିଛନ୍ତି ଯେ ଘାନି ଏବଂ ତାଙ୍କ ପରିବାରକୁ ମାନବିକତା କାରଣରୁ ଆଶ୍ରୟ ଦିଆଯାଇଛି।

ଭିଡିଓ ବାର୍ତ୍ତାରେ ଅଶ୍ରଫ ଘନି କହିଛନ୍ତି, ‘ମୋ ଦେଶକୁ ଏଭଳି ସ୍ଥିତିରେ ଛାଡି ପଳାୟନ କରିବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା। ଆଫଗାନିସ୍ତାନରେ ରକ୍ତପାତ ବନ୍ଦ କରିବାକୁ ମୁଁ ୟୁଏଇରେ ଅଛି। ତଥାପି ମୁଁ ଆଫଗାନିସ୍ତାନକୁ ଫେରିବା ପାଇଁ ରାସ୍ତା ଖୋଜୁଛି। ନ୍ୟାୟ, ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ ପ୍ରକୃତ ଇସଲାମିକ ମୂଲ୍ୟବୋଧର ପୁନର୍ବାହାଲ ପାଇଁ ମୁଁ ସଂଗ୍ରାମ ଜାରି ରଖିବି ।

ସଙ୍କଟ ସମୟରେ ଘନି ନିଜ ଦେଶ ତଥା ଦେଶର ଲୋକଙ୍କୁ ଛାଡି ପଳାୟନ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଦେଶ ଛାଡ଼ି ଗଲା ବେଳକୁ ଘନି ନିଜ ସହ ପ୍ରଚୁର ଟଙ୍କା ଓ ୪ଟି କାର୍ ନେଇଛନ୍ତି ବୋଲି କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ।

Comments are closed.