ଛତିଶଗଡର ନାରାୟଣପୁରରେ ନକ୍ସଲ ଆକ୍ରମଣ, ଦୁଇ ଆଇଟିବିପି ଯବାନ ସହିଦ୍

ରାୟପୁର: ଛତିଶଗଡର ନାରାୟଣପୁରରେ ନକ୍ସଲ ଆକ୍ରମଣରେ ଦୁଇଜଣ ଆଇଟିବିପି ଯବାନ ସହିଦ ହୋଇଛନ୍ତି। ନକ୍ସଲମାନେ କାଡେମେଟା କ୍ୟାମ୍ପଠାରୁ ୬୦୦ ମିଟର ଦୂରରୁ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସୈନିକମାନଙ୍କଠାରୁ ନକ୍ସଲମାନେ ଏକେ-୪୭ ରାଇଫଲ, ଦୁଇଟି ବୁଲେଟପ୍ରୁଫ୍ ଜ୍ୟାକେଟ୍ ଏବଂ ୱାକି ଟକି ନେଇ ପଳାଇଥିଲେ।

ସହିଦ ହୋଇଥିବା ସୈନିକ ଆଇଟିବିପିର ୪୫ତମ ବାଟାଲିୟନର ଇ କମ୍ପାନୀର ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି।
ଚାରି ଦିନ ପୂର୍ବେ ନକ୍ସଲ ପ୍ରଭାବିତ ଦାନ୍ତେଓ୍ବାଡା ଜିଲ୍ଲାର ସୁରକ୍ଷା ବାହିନୀ ତିନିଜଣ ନକ୍ସଲଙ୍କୁ ଗିରଫ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ନକ୍ସଲମାନେ ଏହି ଆକ୍ରମଣ କରିଥାଇ ପାରନ୍ତି ବୋଲି ମନେ କରାଯାଉଛି। ସୁରକ୍ଷା ବାହିନୀ ଦାନ୍ତେଓ୍ବାଡାର କୁଆକୋଣ୍ଡା ପୋଲିସ ଷ୍ଟେସନରୁ ତିନିଜଣ ନକ୍ସଲ ହୁଙ୍ଗା କଟରାମ୍ (୨୫), ଆୟତା ମାଡଭି (୨୫) ଏବଂ ପୂଜା ଓରଫ୍ ଲାଥୀ କଟରାମ୍ (୨୮) କୁ ଗିରଫ କରିଥିଲେ।

ପୋଲିସ ଅଧିକାରୀ କହିଛନ୍ତି ଯେ ରବିବାର ଦିନ କୁଆକୋଣ୍ଡା ପୋଲିସ ଷ୍ଟେସନରୁ ବାଡେଗୁଦ୍ରା ଏବଂ ଆଟେପାଲ ଗ୍ରାମକୁ ପୋଲିସ ଦଳ ପଠାଯାଇଥିଲା। ଯେତେବେଳେ ପୋଲିସ ଦଳ ଆଟେପାଲ ଗାଁ ନିକଟ ଜଙ୍ଗଲରେ ଥିଲା, ତିନିଜଣ ସନ୍ଦିଗ୍ଧ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ପୋଲିସ ଟିମ୍ ଚାରିପଟୁ ଘେରିଯାଇ ସେମାନଙ୍କୁ ଧରିଥିଲା।

Comments are closed.