ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ଲଢେଇରେ ସାମିଲ ହେବାକୁ ବିଜେଡିର ଆହ୍ବାନ

* ଜାତିଭିତ୍ତିକ ଜନଗଣନା ଓ ୫୦ % ସଂରକ୍ଷଣ ସୀମା ଉଠାଇବା ଦାବି ଜୋରଦାର
* ନବୀନଙ୍କୁ ଅନୁସରଣ କରୁଛନ୍ତି ବିଭିନ୍ନ ରାଜ୍ୟର ନେତା ଓ ରାଜନୈତିକ ଦଳ
* ଓଡିଶାରେ ଏହି ଲଢେଇରେ ସାମିଲ ପାଇଁ ବିଜେପି ନେତାଙ୍କୁ ଆହ୍ବାନ
* ଦାବି ହାସଲ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ବିଜେଡିର ଘୋଷଣା

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାର ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ବଦ୍ଧ ପରିକର । ହେଲେ ସଂଗୀୟ ଢାଞ୍ଚା ଓ ଆଇନଗତ କଟକଣା ଏଥିରେ ବାଧା ହୋଇଥିବା କହିଛନ୍ତି ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଡକ୍ଟର ଅରୁଣ ସାହୁ ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁ ଓ ଡକ୍ଟର ସାହୁ କହିଛନ୍ତି ଯେ ପଛୁଆବର୍ଗଙ୍କ ପାଇଁ ଯୋଜନା ପ୍ରସ୍ତୁତ ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ନିହାତି ଆବଶ୍ୟକ । ଏଥିପାଇଁ କେନ୍ଦ୍ର ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ଜାତିଭିତିକ କନଗଣନା ଦାବି ଉଠାଇଥିଲେ । ଏହାଦ୍ବାରା କେବଳ ରାଜ୍ୟ ନୁହେଁ , ସାରା ଦେଶର ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜାଣିବାକୁ ମିଳିପାରିବ ।

କେନ୍ଦ୍ର ମନା କରିବା ପରେ ରାଜ୍ୟ ସରକାର ୨୦୨୦ ମସିହା ଜାନୁଆରୀ ୧୧ ତାରିଖରେ କ୍ୟାବିନେଟ ବୈଠକ ଡକାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜାତି ଭିତ୍ତିକ କନଗଣନା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହାର କିଛି ଦିନ ପରେ ରାଜ୍ୟ ସରକାର ୨୦୨୦ ମସିହା ଫେବୃୟାରୀ ୧୨ ତାରିଖରେ ଓବିସି କମିଶନ ଗଠନ କରିଥିଲେ ।

ଏହାର ୫ ଦିନ ପରେ ଫେବୃୟାରୀ ୧୭ ତାରିଖରେ କ୍ୟାବିନେଟ୍ ବୈଠକରେ ପଛୁଆବର୍ଗ କମିସନ ( ସଂଶୋଧନ ) ବିଧେୟକ ଗୃହିତ କରାଯାଇଥିଲା । ସେହିଦିନ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ନିଜେ ପ୍ରସ୍ତାବ ଆଗତ କରିଥିଲେ । ଇତି ମଧ୍ୟରେ କମିଶନ କାର୍ଯ୍ୟକ୍ଷମ ହୋଇସାରିଛି । ଓଡିଶାରେ ଅନ୍ୟ ପଛୁଆ ବର୍ଗ ( ଓବିସି ) ସାମାଜିକ ଆର୍ଥିକ ପଛୁଆବର୍ଗ ( ଏସ୍‌ଇବିସି ) ସଂଖ୍ୟା ରାଜ୍ୟରେ ମୋଟ ଜନସଂଖ୍ୟା ଅଧାରୁ ଅଧିକ । ସେମାନଙ୍କ ସଂଖ୍ୟାର ଅଧା ସଂରକ୍ଷଣ ବି ସେମାନଙ୍କୁ ଦିଆଯାଇପାରି ନାହିଁ । ଏହାର କାରଣ ହେଉଛି – ସଂରକ୍ଷଣ ନେଇ ନ୍ୟାୟାଳୟ ଦ୍ବାରା ରଖାଯାଇଥିବା ୫୦ % ସୀମା । ଓଡିଶାକୁ ଅନ୍ୟ କୌଣସି ରାଜ୍ୟ ସହିତ ତୁଳନା କରାଯାଇପାରିବ ନାହିଁ । ତେଣୁ ଭାରତବର୍ଷରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପଛୁଆବର୍ଗ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗ ସେତେବେଳେ ସାଧିତ ହୋଇପାରିବ ଯେତେବେଳେ ୫୦ % ଆଇନଗତ ସଂରକ୍ଷଣ କଟକଣା ଉଠିଯିବ । ତେଣୁ ଜାତିଭିତିକ କନଗଣନା ଓ ୫୦ % ସଂରକ୍ଷଣ ସୀମା ଉଠାଯିବା ସମୟରେ ଏକ ଆହ୍ବାନ ହୋଇଛି ।

ନିକଟରେ ଏହି ଦାବି ନେଇ ବିଜେଡି ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିସାରିଛନ୍ତି । ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନବୀନ ପଟ୍ଟନାୟକ ଏହି ଦାବି ଉଠାଇ ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ଏହି ଦାବିକୁ ଭାରତବର୍ଷର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ , ରାଜନୈତିକ ଦଳ ବି ସମର୍ଥନ ଜଣାଇ ଆସୁଛନ୍ତି ।

ଇତିମଧ୍ୟରେ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରି ଜାତିଭିତ୍ତିକ ଜନଗଣନା ଏବଂ ୫୦ % ସଂରକ୍ଷଣ କଟକଣା ଉଠାଇବା ସପକ୍ଷରେ ବିଜେପିର ସହଯୋଗୀ ଦଳମାନେ ମଧ୍ୟ ମତ ପ୍ରକାଶ କଲେଣି । ଏମାନଙ୍କ ମଧ୍ୟରେ ଜେଡି( ୟୁ ) ର ନୀତିଶ କୁମାରଙ୍କ ନେତୃତ୍ବରେ ଅପନା ଦଳର ଅନୁପ୍ରିୟା ପଟେଲ , ହାମର ଜୀତନରାମ ମାଝି , ଭିଆଇପି ଦଳର ମୁକେଶ ଶୈଳୀ , ନିଷାଦ ପାଟିର ସଞ୍ଜୟ ନିଷାଦ , ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଓମ୍ ପ୍ରକାଶ ରାଜଭର , ଆରପିଆଇ ( ଏ ) ର ରାମଦାସ ଅଠାଓ୍ବାଲେ , ଏଲଜେପିର ପଶୁପତି ପାରସ ଆଦି ରହିଛନ୍ତି ।

ବିହାରର ବିଭିନ୍ନ ରାଜନୈତିକ ଦଳର ୧୦ ଜଣିଆ ପ୍ରତିନିଧି ଦଳ ନିତିଶ କୁମାରଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ଦାବି ରଖି ସାରିଛନ୍ତି । ଏହି ପ୍ରତିନିଧି ଦଳରେ ବିହାର ବିଜେପି ନେତା ମଧ୍ୟ ସାମିଲ ଅଛନ୍ତି । ଜନଗଣନା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ବ୍ୟାପାର ଏବ ” ୫୦ % ସରୀକ୍ଷଣ ସୀମା କଟକଣା ଉଠାଇବା ମଧ୍ୟ କେନ୍ଦ୍ରୀୟ କ୍ଷମତା ପରିସର ଭୁକ୍ତ ।

ପଛୁଆବର୍ଗର ସାମାଜିକ , ଆର୍ଥିକ ବିକାଶ ଓ ସେମାନଙ୍କୁ ଦୀର୍ଘମିଆଦୀ ସୁବିଧା ଦେବା ପାଇଁ ରାଜ୍ୟ ସରକାର ତତ୍ପର । ଓଡ଼ିଶାକୁ ଦେଖି ଅନ୍ୟ ରାଜ୍ୟମାନେ ଏହି ଦାବି ଉଠାଇ ସାରିଛନ୍ତି । ହେଲେ ଓଡ଼ିଶା ବିଜେପି ନେତୃତ୍ୱ ଓ ଜନପ୍ରତିନିଧିମାନେ ଭୟଙ୍କର ନୀରବତା ଅବଲମ୍ବନ କରୁଛନ୍ତି । ଏହି ନିରବତା ସେମାନଙ୍କୁ ଓବିସି ଏସ୍‌ଇବିସି ବର୍ଗ ବିରୋଧ ବୋଲି ଦର୍ଶାଉଛି । ଆହ୍ବାନ ରଖୁଛୁ ଓଡିଶା ରାଜ୍ୟର ବିଜେପି ନେତାମାନେ ଏହି ଦାବି ଉଠାନ୍ତୁ । ଏହି ଦାବି ପୁରଣ ନ ହେଲା ପର୍ଯ୍ୟନ୍ତ ବିଜୁ ଜନତା ଦଳ ପଲ୍ଲୀ ରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି ଶ୍ରୀ ସ୍ୱାଇଁ ଓ ଡକ୍ଟର ସାହୁ କହିଛନ୍ତି ।

Comments are closed.