ସମ୍ବଲପୁର ସାଂସଦ ନିରୁଦ୍ଧିଷ୍ଟ ! ରାଜା ସାହେବଙ୍କୁ ଖୋଜିବାକୁ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ, ହରଡଘଣାରେ ବିଜେପି

ସମ୍ବଲପୁର : ସମ୍ବଲପୁର ସାଂସଦ ନିଖୋଜ । ଏକଥା ଆମେ କହୁ ନାହୁଁ । ବରଂ ସୋସିଆଲ୍ ମିଡିଆରେ ଏହାକୁ ନେଇ ଘନ ଘନ ଚର୍ଚ୍ଚା ଲାଗି ରହିଛି । ଖାଲି ସେତିକି ନୁହେଁ , ତାଙ୍କୁ ଖୋଜିବାକୁ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ କରିବା ପରେ ଏହା ଜବରଦସ୍ତ ଭାଇରାଲ ହେବାରେ ଲାଗିଛି । ସେପଟେ , ଦୀର୍ଘ ମାସ ଧରି ସାଂସଦ ତଥା ରାଜା ସାହେବ ନିତେଶ ଗଙ୍ଗଦେବ ଅନ୍ତର୍ଦ୍ଧାନ ହେବା ପରେ ବର୍ତ୍ତମାନ ଏହାକୁ ନେଇ ସମ୍ବଲପୁରର ରାଜନୀତି ବି ବେଶ୍ ସରଗରମ ହୋଇଯାଇଛି । ଆଉ ସ୍ଥିତି ଏପରି ହୋଇଛି ଯେ , ଏହାକୁ ନେଇ ବିଜେପି ମୁହଁ ଲୁଚାଇବାକୁ ବି ଜାଗା ପାଉନାହିଁ । ଅପରପକ୍ଷେ , କରୋନାର ଦ୍ବିତୀୟ ଲହର ଆରମ୍ଭ ହେବା ପୂର୍ବରୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦର୍ଶନରୁ ଲୋକେ ବଞ୍ଚିତ ହୋଇଥିବା ବେଳେ ବର୍ତ୍ତମାନ ସାଂସଦଙ୍କ ଅନୁପସ୍ଥିତି ବିଜେପି ପାଇଁ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି ।

ସେପଟେ , ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ସଂକ୍ରାନ୍ତରେ ସ୍ଥାନୀୟ ସାଂସଦଙ୍କ ଅନୁପସ୍ଥିତିରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଗଣବିକ୍ଷୋଭରେ ସାମିଲ ହେବା ସହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣାକୁ ନେଇ ଚର୍ଚ୍ଚା ଅଧିକ ଘନେଇବାରେ ଲାଗିଛି । ସମ୍ବଲପୁର ଲୋକସଭା ସମେତ ସମ୍ବଲପୁର ଜିଲ୍ଲାର ଦୁଇଟି ବିଧାନସଭା ଆସନକୁ ଗତ ଲୋକସଭା ନିର୍ବାଚନ ବେଳେ ବିଜେପି ନିଜ କବଜାକୁ ନେଇଥିଲା । ଏହି ବିଜୟରେ ବିଜେପି ନାହିଁ ନଥିବା ଉତ୍ସାହିତ ହୋଇଥିଲା । ହେଲେ ନିର୍ବାଚନରେ ଲୋକଙ୍କୁ ଦଳ ଦେଇଥିବା ପ୍ରତିଶ୍ରୁତିକୁ କ୍ଷମତା ପାଇବା ପରେ ସଂପୂର୍ଣ୍ଣ ଭୁଲି ଯାଇଥିବା ନେଇ ଆଲୋଚନା ହୋଇଥିଲା । ଆଉ ପରେ ସ୍ଥିତି ଏପରି ହୋଇଛି ଯେ , ବର୍ତ୍ତମାନ ଲୋକେ ବିଜେପିକୁ ଭୋଟ୍ ଦେଇ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି । କାରଣ , ସମ୍ବଲପୁର ବିଧାୟକ ଅସୁସ୍ଥତା ଆଳରେ ଗତ ୩ ବର୍ଷ ମଧ୍ୟରେ ଅଧିକାଂଶ ସମୟ ଭୁବନେଶ୍ୱରରେ ବିତାଇଛନ୍ତି । ଏପରିକି ଆଜକୁ ପ୍ରାୟ ୬ ମାସରୁ ଉର୍ଦ୍ଧ୍ବ ହେଲା ଲୋକେ ତାଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେପଟେ ତାଙ୍କ ଅନୁପସ୍ଥିତିରେ ସମ୍ବଲପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ସାଂଗଠନିକ କାର୍ଯ୍ୟକ୍ରମରେ ବି ତାଙ୍କ ଏକାନ୍ତ ଅନୁଗତ ତଥା ରେଙ୍ଗାଲି ବିଧାୟକ ନାଉରୀ ନାଏକ ନେତୃତ୍ବ ନେଉଥିବା ସବୁ ବେଳେ ଦେଖିବାକୁ ମିଳୁଛି ।

ଏଭଳି ସ୍ଥିତିରେ ଦଳ ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ପାଗ ଭିଡ଼ୁଥିବା ବେଳେ ସମ୍ବଲପୁର ସାଂସଦ ତଥା ନିତେଶ ଗଙ୍ଗଦେବଙ୍କ ଦର୍ଶନ ମିଳୁନାହିଁ । ସଂସଦ ଅଧିବେଶନ ଚାଲୁନଥିଲେ ହେଁ ତାଙ୍କୁ ସମ୍ବଲପୁରବାସୀ ଦୀର୍ଘ ମାସ ହେଲା ଦେଖିନାହାନ୍ତି । ଏପରିକି ଅଧିବେଶନ ପୂର୍ବରୁ ବି ତାଙ୍କର ଦର୍ଶନ ମିଳିନଥିଲା । ତେବେ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ୨ ମାସ ତଳେ ବିଜେପି ଆରଡିସିସ୍ତରୀୟ ବିକ୍ଷୋଭ କରିଥିବା ବେଳେ କେବଳ ଗୋଟିଏ ଦିନ ପାଇଁ ରାଜା ସାହେବଙ୍କୁ ଦେଖିବାକୁ ମିଳିଥିଲା ।

ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସମ୍ବଲପୁରରୁ ଦୂରଦର୍ଶନ କେନ୍ଦ୍ର ଉଚ୍ଛେଦ ନେଇ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ଗତକାଲି ହୋଇଥିବା ଦୁଇଦିନ ତଳେ ହୋଇଥିବା ବିକ୍ଷୋଭରେ ସମଗ୍ର ପଶ୍ଚିମ ଓଡିଶାର ବହୁ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ । ଆଉ ବରଗଡ ସାଂସଦ ସୁରେଶ ପୂଜାରୀ ବି ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ଏନେଇ ସାଂସଦ ଶ୍ରୀ ପୂଜାରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ବି ଲେଖିଛନ୍ତି । ହେଲେ ସମ୍ବଲପୁର ସାଂସଦ କୁଆଡେ ଗଲେ ବୋଲି ଲୋକେ ପ୍ରଶ୍ନ କରିବାରୁ ବିଜେପି ବଡ ଅଡୁଆରେ ପଡିଯାଇଛି । ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥତା ଯୋଗୁଁ ଯଦି ବାହାରେ ଅଛନ୍ତି , ତାହେଲେ ସାଂସଦ କୁଆଡେ ଗଲେ ବୋଲି ଏବେ ସୋସିଆଲ ମିଡିଆରେ ଘନ ଘନ ଚର୍ଚ୍ଚା ଚାଲିଛି । ଏପରିକି ବିଜେପି ନେତାଙ୍କୁ ଟାର୍ଗେଟ କରି ଲୋକେ ତାତ୍ସଲ୍ୟ କରୁଥିବା ଦେଖିବାକୁ ମିଳିଛି ।

ସବୁଠାରୁ ସାଂଘାତିକ କଥା ହେଉଛି ଯେ , ସମ୍ବଲପୁର ସାଂସଦ ନିତେଶ ଗଂଗଦେବ ନିରୁଦ୍ଧିଷ୍ଟ ବୋଲି ସୋସିଆଲ ମିଡିଆରେ ବି ଟ୍ରୋଲ ଚାଲିଛି । ଖାଲି ସେତିକି ନୁହେଁ , ଜଣେ ବ୍ୟକ୍ତି ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ କରି ତାଙ୍କୁ ଖୋଜି ବାହାର କରିବାକୁ ନିବେଦନ କରିଛନ୍ତି । ଫଳରେ ଏହାକୁ ନେଇ ସମ୍ବଲପୁରର ରାଜନୀତି ସରଗରମ ହୋଇଥିବା ବେଳେ ଏହାର ଉତ୍ତର ଦେବାକୁ କୌଣସି ବିଜେପି ନେତା ପାଟି ଫିଟାଇ ପାରୁନାହାନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ପାଗ ଭିଡା ଚାଲିଥିବା ବେଳେ ରାଜା ସାହେବଙ୍କ ରାଜୁଡା କାଏଦା ଏବେ ଦଳ ପାଇଁ କାଳ ହେଲାଣି ବୋଲି ଚର୍ଚ୍ଚା ହେଉଛି ।

ଅପରପକ୍ଷେ , ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବାର ଦ୍ୱାହୀ ଦେଇ କ୍ଷମତାକୁ ଆସିଥିବା ବିଜେପି ବିଧାୟକ ଓ ସାଂସଦଙ୍କ ଏଭଳି ଭୁବନେଶ୍ବର ଏବଂ ଦିଲ୍ଲୀ ପ୍ରେମ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଲାଣି ।

Comments are closed.