ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଗସ୍ତ

ବ୍ରହ୍ମପୁର: ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ. ଏସ୍.ମୂରଲୀଧର ଶନିବାର ବ୍ରହ୍ମପୁର ଗସ୍ତରେ ଆସିଥିଲେ। ପୂର୍ବାହ୍ନରେ ସେ ଦକ୍ଷିଣାଞ୍ଚଳ ଆରଡିସି ଅଫିସ ସମ୍ମିଳନୀ କକ୍ଷରେ ଆଇନଜୀବୀ ମାନଙ୍କ ନିମନ୍ତେ ଏକ ଡିଜିଟାଲ କର୍ମଶାଳାରେ ଯୋଗ ଦେଇଥିଲେ। ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ବି.ଆର୍.ଷଡ଼ଙ୍ଗୀ, ଜିଲ୍ଲା ଜଜ୍, ବାର୍ ଆସୋସିଏସନ୍ ସଭାପତି ଓ ସମ୍ପାଦକ ମଧ୍ୟ ମଞ୍ଚାସୀନ ଥିଲେ। ଏଥିସହ ଗଞ୍ଜାମ ଓକିଲ ସଂଘର ନିମନ୍ତ୍ରଣ କ୍ରମେ ବାର୍ ଆସୋସିଏସନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ସେ। ଓକିଲ ସଂଘ ପ୍ରକୋଷ୍ଠ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସେ ମାଲ୍ୟାର୍ପଣ କରିଥିଲେ। ଓକିଲ ସଂଘ ସହ ପ୍ରାୟ ୩୦ ମିନିଟ୍ ଆଲୋଚନା କରିଥିଲେ ମୁଖ୍ୟ ବିଚାରପତି । ପ୍ରୋଟୋକଲ୍ ଅନୁସାରେ ଗଞ୍ଜାମ ଓକିଲ ସଂଘର ପ୍ରତିନିଧିଙ୍କ ସହ ପୂର୍ବରୁ ବଛାଯାଇଥିବା ବରିଷ୍ଠ ଆଇନଜୀବୀ ଏବଂ ବରିଷ୍ଠ ବିଚାରପତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରେ ଜିଲ୍ଲା କୋର୍ଟ ପରିଦର୍ଶନ ସହ ବିଭିନ୍ନ ଜୁଡିସିଆରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ହାଇକୋର୍ଟ ଚିଫ୍ ଜଷ୍ଟିସଙ୍କ ଗସ୍ତକୁ ନେଇ ବ୍ରହ୍ମପୁର କୋର୍ଟକୁ ଆଗୁଆ ସାଜସଜ୍ଜା କରାଯାଇଥିଲା। ସୁରକ୍ଷା ମଧ୍ୟ କଡ଼ାକଡ଼ି ଥିଲା। ଗଞ୍ଜାମ ବାର୍ ଆସୋସିଏସନ୍ ଅଫିସ୍ ସହ ଜିଲ୍ଲା କୋର୍ଟ ପରିବେଶ ସଜାଇ ହୋଇଥିଲା। ଜିଲ୍ଲା ଜଜ୍ ଏବଂ ଓକିଲ ସଂଘ ମଧ୍ୟରେ ବାରମ୍ବାର ପ୍ରାକ୍ ଆଲୋଚନା ହୋଇଥିଲା। ମୁଖ୍ୟ ବିଚାରପତିଙ୍କ ସମସ୍ତ କାର୍ଯ୍ୟକ୍ରମରେ ସଠିକ୍ ପ୍ରୋଟୋକଲକୁ ଅଧିକ ଗୁରୁତ୍ଵ ଦିଆଯାଇଥିଲା। ବ୍ରହ୍ମପୁର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ପରେ ସେ କଟକ ଫେରି ଯାଇଥିଲେ।

Comments are closed.