ଗୋଲଡେନ୍ ବୟ ପ୍ରମୋଦଙ୍କ ପାଇଁ ଉତ୍ସବମୁଖର ଅତାବିରା

ଶୁଭେଛୁ ଜାଳିଥିଲେ ଅଖଣ୍ଡ ଦୀପ , ବିଜୟ ପରେ ଦୁଲୁକିଲା ଶୋଭାଯାତ୍ରା

ବରଗଡ଼ : ସଂଘର୍ଷର ଅନନ୍ୟ ନିଦର୍ଶନ । ଶାରୀରିକ ଅକ୍ଷମତା ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିବାକୁ ବାଧ୍ୟ । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ବରଗଡ଼ ଅତାବିରାର ସୁନା ପୁଅ ପ୍ରମୋଦ ଭଗତ । ଟୋକିଓ ପାରା ଅଲମ୍ପିକରେ ସ୍ଵର୍ଣ ପଦକ ଜିତିବା ପରେ ଜନ୍ମମାଟି ଅତାବିରାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ସୋସିଆଲ ମିଡିଆରେ ପ୍ରମୋଦଙ୍କ ପାଇଁ ଶୁଭକାମନାର ଜୋରସୋର ଟ୍ରେଣ୍ଡିଂ ଚାଲିଥିଲା । ଆଉ ସନ୍ଧ୍ୟାରେ ପ୍ରମୋଦ ସ୍ଵର୍ଣ ପଦକ ହାସଲ କରିବା ଖବର ମିଳିବା ମାତ୍ରେ ହିଁ ସମଗ୍ର ବରଗଡରୁ ଆରମ୍ଭ କରି ଓଡିଶା ଝୁମି ଉଠିଥିଲା । ଆଉ ଅତାବିରାରେ ମାହୋଲ ଦେଖିବା ଭଳି ଥିଲା । ସକାଳୁ ଲୋକେ ଅତାବିରାର ଦୁର୍ଗା ମନ୍ଦିରରେ ଅଖଣ୍ଡ ଦୀପ ଜାଳିଥିବା ବେଳେ ପ୍ରମୋଦ ବିଜୟୀ ହେବା ପରେ ପୁଣି ମାଁ ଦୁର୍ଗାଙ୍କୁ କୃତଜ୍ଞତା ଜଣାଇ ସାମୁହିକ ଦୀପ ଦାନ ସହ ପୂଜାର୍ଚ୍ଚନା କରିଥିଲେ । ସେପଟେ , ପ୍ରମୋଦଙ୍କ ସଂପର୍କୀୟ ପୁଅର ଏହି ସଫଳତାରେ ଆତ୍ମବିଭୋର ହୋଇଯାଇଛନ୍ତି ।

ଏକ ବହୁ କୁଟୁମ୍ବିଆ ଗରିବ ପରିବାରରେ ପ୍ରମୋଦଙ୍କ ଜନ୍ମ । ଜନ୍ମରୁ ପୋଲିଓ ତାଙ୍କୁ ଦିବ୍ୟାଙ୍ଗରେ ପରିଣତ କରିଦେଲା । ବାପା ଜଣେ ରାଇସମିଲ ଡ୍ରାଇଭର ଥିବା ବେଳେ ପରିବାର ପ୍ରତିପୋଷଣ କାଠିକର ପାଠ ହୋଇଯାଇଥିଲା । ପରିବାରର ଆର୍ଥିକ ବୋଝ ଉଠାଇବାକୁ ପ୍ରମୋଦ ଅତାବିରାର ମୁଖ୍ୟ ରାସ୍ତା କଡରେ ଏକ କ୍ୟାବିନ୍ କରି ବିଭିନ୍ନ ବୈଦ୍ୟୁତିକ ମୋଟରର କଏଲ୍ ବାନ୍ଧି ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ପିଲାଟି ଦିନରୁ ବ୍ୟାଡମିଣ୍ଟନ ଖେଳ ପ୍ରତି ଥିବା ତାଙ୍କର ଅହେତୁକ ଦୁର୍ବଳତା ତାଙ୍କୁ ଅଥୟ କରି ଦେଉଥିଲା । ଏଭଳି ସ୍ଥିତିରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ସେ ୨୦୦୬ରୁ ୨୦୦୮ ମଧ୍ୟରେ ଭିନ୍ନକ୍ଷମଙ୍କ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ ଗୋଟିଏ ପରେ ଗୋଟିଏ ସଫଳତା ହାତେଇ ଚାଲିଥିଲେ । ସେପଟେ , ପ୍ରମୋଦଙ୍କ ଏହି ବହୁ ମୂଲ୍ୟ ସଫଳତା ଦେଖିବାକୁ ଆଉ ଦୁନିଆଁରେ ବାପା କୈଳାସ ଓ ଗାଁ କୁସୁମା ଦେବୀ ବି ଦୁନିଆଁରେ ନାହାନ୍ତି । ଆଜିର ଖୁସିର ମୁହୁର୍ତ୍ତ ବେଳେ ବାପା ମାଁଙ୍କୁ ମନେ ପକାଇ ପ୍ରମୋଦଙ୍କ ଭାଇ ଶେଖର ଭାବବିହ୍ବଳ ହୋଇଯାଇଛନ୍ତି ।

କୋଚ ଅନୁଗୋଳର ଶିବ ପ୍ରସାଦ ଦାଶଙ୍କ ସହଯୋଗରୁ ୨୦୦୮ରେ ବେଙ୍ଗାଲୁରୁ ଜାତୀୟ ଚାମ୍ପିଅନସିପ ଆରମ୍ଭ କରି ୨୦୧୫ , ୨୦୧୭ , ୨୦୧୮ , ୨୦୧୯ରେ ନ୍ୟାସନାଲ ପାରା ବେଡ଼ମିଣ୍ଟନ ପ୍ରତିଯୋଗିତା ସହ ଏସିଏନ ଗେମ୍‌ ମେଡାଲ ହାସଲ କରିବାରେ ସଫଳ ହୋଇଥିଲେ । ପରେ ବିଭିନ୍ନ ସମୟରେ ଅଷ୍ଟ୍ରେଲିଆ , କୁଆଲାମ୍ପୁର , କାନାଡ଼ା , ନବଲିନ , ବେଙ୍କକ , ଚୀନ , ବାସେଲ , ଉଗାଣ୍ଡା , ପେରୁ , ସାଓପୋଲେ , ଦୁବାଇ , ବ୍ରାଜିଲ ଇଭେଣ୍ଟରେ ସଫଳତା ପାଇଥିବା ପ୍ରମୋଦ ୨୦୨୦ ଅଲମ୍ପିକରେ ସ୍ବର୍ଣ ହାସଲ କରି ସାରା ଦେଶକୁ ଗୌରବାନ୍ବିତ କରିଛନ୍ତି । ଅର୍ଜୁନ ପୁରସ୍କାରରେ ସମ୍ମାନୀତ ପ୍ରମୋଦ ଅଲମ୍ପିକ ମେଡ଼ାଲ ଜିତିଥିବା ବେଳେ ଆଗକୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବା ଆଶା ଉଜ୍ଜିବୀତ ହୋଇଛି ।

ସେପଟେ , ଆଜି ସକାଳେ ପ୍ରମୋଦଙ୍କ ମ୍ୟାଚ୍ ଦେଖିବାକୁ ଅତାବିରାରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଅଗ୍ରସେନ୍ ଭବନରେ ବିରାଟ ପ୍ରୋଜେକ୍ଟର ଖଞ୍ଜା ଯାଇଥିଲା । ଶତାଧିକ ଲୋକ ଏହି ମ୍ୟାଚକୁ ଦେଖି ପ୍ରମୋଦଙ୍କୁ ଉତ୍ସାହିତ କରୁଥିଲେ । ଆଉ ମ୍ୟାଚ୍ ଜିତିବା ପରେ ବିଜୟର ଉଲ୍ଲାସରେ ସମଗ୍ର ଅତାବିରା କମ୍ପି ଉଠିଥିଲା । ଲୋକେ ଶୋଭାଯାତ୍ରା ବାହାର କରି ବାଣ ଫୁଟାଇ ଖୁସି ମନାଇବା ସହିତ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

Comments are closed.