ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ପ୍ରଭାବ, କମୁଛି ମାତୃ ମୃତ୍ୟୁ ହାର

• ମାତୃଜ୍ୟୋତିର ମୂଳ ଲକ୍ଷ୍ୟ – ମାତୃ ଓ ଶିଶୁ ସୁରକ୍ଷା

• ତା’ ସାଙ୍ଗକୁ ଦୁର୍ଗମ ଅଞ୍ଚଳ ଲାଗି ରହିଛି ମା’ଗୃହ
• ବଡ଼ ଭୂମିକା ନେଇଛି ୫ଟି ଅଧୀନରେ ପରିଚାଳିତ ଜିଲ୍ଲା ହେଲ୍ପଲାଇନ୍

ସୁନ୍ଦରଗଡ଼: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସୁରକ୍ଷିତ ମାତୃତ୍ୱ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ’ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଲାଗୁ ହେବାର ପ୍ରଥମ ୬ ମାସ ମଧ୍ୟରେ ଜିଲ୍ଲାରେ ମାତୃ ମୃତ୍ୟୁ ହାର କମିଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଏହାର ଦୀର୍ଘକାଳୀନ ପ୍ରଭାବ ବିଶେଷ ଫଳପ୍ରଦ ହେବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବିଚାର କରୁଛି।

ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ଏବଂ ଶିଶୁ ମୃତ୍ୟୁ ହାର ନିୟନ୍ତ୍ରଣ କରିବା ପାଇଁ ୨୦୨୦ ନଭେମ୍ବର ୯ ତାରିଖରେ ‘ମାତୃଜ୍ୟୋତି’ ଅଧୀନରେ ଗର୍ଭାବସ୍ଥାରେ ଯତ୍ନ ବା ଏଏନସି ସେବା ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଲାଗୁ ହେବାର ପୂର୍ବ ୬ ମାସ, ଅର୍ଥାତ୍ ୨୦୨୦ ମେ’ରୁ ଅକ୍ଟୋବର ମାସ ଭିତରେ ଜିଲ୍ଲାରେ ମାତୃ ମୃତ୍ୟୁ ସଂଖ୍ୟା ୧୯ ବୋଲି ରେକର୍ଡ କରାଯାଇଛି। ତେବେ ପରବର୍ତ୍ତୀ ୬ ମାସ (୨୦୨୦ ନଭେମ୍ବରଠାରୁ ୨୦୨୧ ଏପ୍ରିଲ) ମଧ୍ୟରେ ଏହି ସଂଖ୍ୟା ୯କୁ ଖସି ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସବୁଠୁ ବଡ଼ କଥା ହେଉଛି, ୨୦୨୧ ଜାନୁୟାରି ଏବଂ ମାର୍ଚ୍ଚ, ଏହି ଦୁଇ ମାସରେ ମାତୃ ମୃତ୍ୟୁ ସଂଖ୍ୟା ଶୂନ ବୋଲି ରେକର୍ଡ କରାଯାଇଛି। ଏହା ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁ ହାର କମିବାର ବଡ଼ ସଙ୍କେତ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଅଧୀନରେ ଗର୍ଭବତୀ ମହିଳାଙ୍କର ଗର୍ଭାବସ୍ଥାରେ ୪ ଥର ଅଲଟ୍ରାସାଉଣ୍ଡ ସହିତ ହିମୋଗ୍ଲୋବିନ୍ ଓ ସୁଗାର ଆଦି ପରୀକ୍ଷା ମାଗଣାରେ କରାଯାଉଛି। ଏହା ଦ୍ୱାରା ଗର୍ଭାବସ୍ଥାରେ କୌଣସି ମହିଳାଙ୍କର ଜଟିଳତା ଥିଲେ ଠିକଣା ସମୟରେ ତା’ର ଚିକିତ୍ସା କରାଯାଇ ପାରୁଛି।

‘‘ଜିଲ୍ଲାରେ ଯେଉଁ ଲକ୍ଷ୍ୟ ନେଇ ’ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ତା’ର ସଫଳତା ଦେଖିବାକୁ ମିଳୁଛି। ଜିଲ୍ଲାରେ ସୁରକ୍ଷିତ ମାତୃତ୍ୱକୁ ସୁନିଶ୍ଚିତ କରିବା ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ଆମେ ଆଶା କରୁଛୁ। ଜିଲ୍ଲାର ସବୁ ଗର୍ଭବତୀ ମା’ଙ୍କୁ ଗର୍ଭାବସ୍ଥାରେ ୪ ଥର ଅଲଟ୍ରାସାଉଣ୍ଡ ଏବଂ ଅନ୍ୟାନ୍ୟ ପରୀକ୍ଷା ସେବା ଯୋଗାଇ ଦେବା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ବିଶେଷକରି କୌଣସି ହାଇରିସ୍କ ଘଟଣାରେ ହିତାଧିକାରୀ ମା’ଙ୍କୁ କିପରି ଉଚିତ ଚିକିତ୍ସା ମିଳିପାରିବ ସେନେଇ ପଦକ୍ଷେପ ନିଆଯାଉଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଗତ କିଛି ବର୍ଷ ମଧ୍ୟରେ ମାତୃ ମୃତ୍ୟୁ ହାର କମାଇବା କ୍ଷେତ୍ରରେ ଓଡ଼ିଶା ସର୍ବ ଭାରତୀୟ ସ୍ତରରେ ବିଶେଷ ସଫଳତା ହାସଲ କରିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ମାତୃ ମୃତ୍ୟୁ ହାର ୧୦୧ ରହିଛି (ପ୍ରତି ୧ ଲକ୍ଷ ଜନ୍ମିତ ଶିଶୁଙ୍କ କ୍ଷେତ୍ରରେ), ଯାହାକି ରାଜ୍ୟର ହାରଠାରୁ କମ୍। ଜିଲ୍ଲାରେ ମାତୃ ମୃତ୍ୟୁ ସହ ଶିଶୁ ମୃତ୍ୟୁ ହାରକୁ ନିୟନ୍ତ୍ରଣ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମ୍ଏଫ୍) ଆର୍ଥିକ ସହାୟତାକ୍ରମେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ବାର୍ଷିକ ୩୦ ହଜାର ଗର୍ଭବତୀ ମା’ଙ୍କୁ ମାଗଣାରେ ଗର୍ଭାବସ୍ଥାରେ ଯତ୍ନ ସେବା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି।

ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଗର୍ଭବତୀ ମା’ମାନଙ୍କୁ ନିକଟସ୍ଥ ଅନୁବନ୍ଧିତ ଅଲଟ୍ରାସାଉଣ୍ଡ କେନ୍ଦ୍ରକୁ ନେଇ ଠିକଣା ସମୟରେ ସେମାନଙ୍କର ପରୀକ୍ଷା କରାଉଛନ୍ତି। ଏହି ସେବାକୁ ଜିଲ୍ଲାରୁ ତୃଣମୂଳସ୍ତର ପର୍ଯ୍ୟନ୍ତ ଆଇସିଡିଏସ୍ ମାଧ୍ୟମରେ ପରିଚାଳନା କରାଯାଉଛି। ଏଥିପାଇଁ ଗର୍ଭବତୀ ମହିଳାମାନଙ୍କୁ ସେମାନଙ୍କୁ ଘରୁ ନେବା ଆଣିବା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ସେହି ଦିନ ପାଇଁ ମା’ମାନଙ୍କୁ ଖାଇବା ପିଇବା ସହ ପାରିତୋଷିକ ମଧ୍ୟ ଦିଆଯାଉଛି।

ଏହି ଅଲଟ୍ରାସାଉଣ୍ଡ ପରୀକ୍ଷା ବେଳେ କୌଣସି ଗର୍ଭବତୀଙ୍କଠାରେ ଯଦି କିଛି ଜଟିଳତା ଦେଖାଗଲେ ତାଙ୍କୁ ଆବଶ୍ୟକ ଚିକିତ୍ସା ଓ ପରାମର୍ଶ ଦିଆଯାଉଛି। ତେଣୁ ଏହି ସେବା ମାଧ୍ୟମରେ ଜଟିଳ ଘଟଣାର ଚିହ୍ନଟ କରାଯାଇ ସଂପୃକ୍ତ ଗର୍ଭବତୀ ମା’ମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରସବ ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦିଆଯାଉଛି। ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ୨୮୦ରୁ ଅଧିକ ହାଇରିସ୍କ କେସ୍ ପରିଚାଳନା କରାଯାଇଛି। ଉଚିତ ସମୟରେ ଏହି ମା’ମାନଙ୍କୁ ଅଧିକ ଚିକିତ୍ସା ମିଳି ପାରୁଥିବାରୁ ସେମାନେ ସୁରକ୍ଷିତ ମାତୃତ୍ୱ ଲାଭ କରୁଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଥିବା ଏହି ବିଶେଷ ମାତୃ ସୁରକ୍ଷା କାର୍ଯ୍ୟକ୍ରମରେ ବର୍ତ୍ତମାନ ୮ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୪୫ଟି ଘରୋଇ କ୍ଲିନିକକୁ ଅନୁବନ୍ଧିତ କରାଯାଇଛି। ୨୦୨୧ ଅଗଷ୍ଟ ମାସ ସୁଦ୍ଧା ୨୨ ହଜାର ୫୬୪ରୁ ଅଧିକ ସଂଖ୍ୟକ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ସୁରକ୍ଷିତ ମାତୃତ୍ୱ ଲାଗି ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଇ ଆସୁଛି। ମାତୃଜ୍ୟୋତି କାର୍ଯ୍ୟକ୍ରମ ଛଡ଼ା ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ୧୯ଟି ମା’ଗୃହ କରାଯାଇଛି। ଗର୍ଭବତୀ ମହିଳାମାନଙ୍କୁ ପ୍ରସବର କିଛିଦିନ ଆଗରୁ ସେମାନଙ୍କ ଘରୁ ଆଣି ସେଠାରେ ରଖାଯାଉଛି। ଜିଲ୍ଲାରେ ଚାଲିଥିବା ଆମ୍ବୁଲାନ୍ସ ସେବା ଏବଂ କେତେକ ଦୁର୍ଗମ ଅଞ୍ଚଳ ଲାଗି ରହିଥିବା ବାଇକ୍ ଆମ୍ବୁଲାନ୍ସକୁ ଗର୍ଭବତୀ ମହିଳାଙ୍କ ଜରୁରୀକାଳୀନ ସେବା ଲାଗି ବ୍ୟବହାର କରାଯାଉଛି। ତା’ସହିତ ରାଜ୍ୟ ସରକାରଙ୍କ ୫ଟି ଅଭିଯାନ କାର୍ଯ୍ୟକ୍ରମରେ ପରିଚାଳିତ ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନକୁ ଗର୍ଭବତୀ ମା’ମାନଙ୍କ ଲାଗି ଉଦ୍ଦିଷ୍ଟ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ବ୍ୟବହାର କରାଯାଉଛି।

Comments are closed.