ପଶ୍ଚିମ ଓଡିଶାରେ ନୂଆଁଖାଇର ଧୁମ୍: ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ତୁଳା ଲଗ୍ନର ଶୁଭ ମୁହୁର୍ତ୍ତରେ ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ପର୍ବରୁ ଧାର୍ଯ୍ୟ ହୋଇଥିବା ୧୦ଟା ୧୫ ମିନିଟରୁ ୧୦ଟା ୨୫ ମଧ୍ୟରେ ମାଁଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ନୂଆଁ ଧାନରୁ ପ୍ରସ୍ତୁତ ଚରୁ ଏବଂ କ୍ଷୀରିକୁ ମାଁଙ୍କ ନିକଟରେ ଅର୍ପଣ କରାଯାଇଛି । ଏହାପରେ ସମସ୍ତ ପାର୍ଶ୍ବ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି । ପରେ ପରେ ପଶ୍ଚିମ ଓଡିଶାବାସୀ ନିଜ ନିଜର ଇଷ୍ଟଦେବା ଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିଛନ୍ତି । ଏହି ମହାନ କୃଷିଭିତ୍ତିକ ପର୍ବ ପାଇଁ ସାରା ପଶ୍ଚିମ ଓଡିଶାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଘର ଖୁସିରେ ଫାଟି ପଡୁଛି ।

ଆଜି ଭୋରରୁ ମାଁ ସମଲେଶ୍ବରୀଙ୍କ ସମସ୍ତ ନୀତିକାନ୍ତି ସଂପନ୍ନ ହୋଇଥିଲା । ମୁଖ୍ୟ ପୂଜକଙ୍କ ଅମ୍ବିକା ପ୍ରସାଦ ରାୟଙ୍କ ନେତୃତ୍ବରେ ମାଁଙ୍କ ସତନ୍ତ୍ର ଶୃଙ୍ଗାର ସହ ସକାଳ ଧୂପ ଆଦି ନୀତି ଶେଷ ହୋଇଥିଲା । ଏହାପରେ ଲଗ୍ନ ସମୟରେ ପୂଜକ ଶ୍ରୀ ରାୟଙ୍କ ଘରେ ପ୍ରସ୍ତୁତ ହୋଇଥିବା ନୂଆଁ ଧାନର ଚରୁ ଏବଂ କ୍ଷୀରିକୁ ମାଁଙ୍କ ନିକଟରେ ଲାଗି କରାଯାଇଥିଲା । ବେଦ ମନ୍ତ୍ର ପାଠ ସହିତ ସ୍ତୁତିଗାନରେ ସମସ୍ତ ପରିବେଶ ମନ୍ତ୍ରମୁଗ୍ଧ ହୋଇଉଠିଥିଲା । ନବାନ୍ନ ସହିତ କ୍ଷୀରି , ପୁରି , ପିଠାପଣା ଆଦି ଭେଳିକି ଭେଳି ବ୍ୟଞ୍ଜନ ମାଁଙ୍କୁ ପରସା ଯାଇଥିଲା । ଏହାପରେ ମାଁଙ୍କ ସତନ୍ତ୍ର ଆଳତୀ କରାଯାଇଥିଲା । ପରେ ମନ୍ଦିର ପରିସରରେ ଥିବା ସମସ୍ତ ପାର୍ଶ୍ଵ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଥିଲା । ଘଣ୍ଟ , ଶଂଖ , ହୁଳହୁଳିରେ ସମଗ୍ର ପରିବେଶ କମ୍ପି ଉଠିଥିଲା ।

ଏହାପରେ ମନ୍ଦିରର ସମସ୍ତ ପୂଜକ ଏବଂ ସେମାନଙ୍କ ପରିବାର ଲୋକେ ନବାନ୍ନ ଭକ୍ଷଣ କରିଥିଲେ । ଭେଳିକି ଭେଳିକି ପିଠାପଣାର ଆସର ଜମିଥିଲା । ନବାନ୍ନ ଭକ୍ଷଣ ପରେ ଜୁହାର୍ ଭେଟ୍ ପରମ୍ପରା ଆରମ୍ଭ ହୋଇଥିଲା । ପରେ ସମ୍ବଲପୁର ସହରର ସମସ୍ତ ମନ୍ଦିରରେ ଦେବା ଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବା ସହିତ ଲୋକେ ନିଜ ନିଜ ଘରର ଇଷ୍ଟ ଦେବା ଦେବୀଙ୍କୁ ନବାନ୍ନ ଲାଗି କରି ନିଜେ ଭକ୍ଷଣ କରିଛନ୍ତି ।

ସେପଟେ , ପ୍ରତି ଚାଷୀ ପରିବାର ଏହି ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି । ଆଜି ସକାଳୁ ସକାଳୁ ଚାଷୀ ପୁଅ ତାର ହଳ ବଲଦକୁ ପ୍ରସ୍ତୁତ କରିବା ସହିତ ବଲଦର ସିଂହରେ ରାକ୍ଷୀ ବାନ୍ଧିଛି । ଆଉ ଗୁହାଳ ଏବଂ ଧାନ ବିଲରେ ଯାଇ କ୍ଷୀର ଢାଳିବା ସହିତ ପୂଜାର୍ଚ୍ଚନା କରିଛି । ଧାନ ଗଛରେ ରାକ୍ଷୀ ବାନ୍ଧିବା ସହିତ ନୂଆଁ ଧାନର ପ୍ରସ୍ତୁତ ଚରୁ ଅର୍ପଣ କରିଛି ।

ତେବେ , କରୋନା କଟକଣା ପାଇଁ ସବୁଠି ନୂଆଁଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମ ପ୍ରାୟତଃ ବନ୍ଦ ଥିବା ବେଳେ ଭର୍ଚୁଆଲ ପ୍ଲାଟଫର୍ମ ପାଇଁ ବିଭିନ୍ନ ସ୍ଥାନରେ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଦେଖିବାକୁ ମିଳିଛି । ଅପରପକ୍ଷେ , ଗାଁରୁ ଆରମ୍ଭ କରି ସହର ଯାଏ ନୂଆଁଖାଇ ପାଇଁ ଜୁହାର ଭେଟର ଆସର ଦେଖିବାକୁ ମିଳିଛି । ନୂଆଁଖାଇର ଅନ୍ୟତମ ବିଶେଷତ୍ଵ ଥିବା ଏହି ଜୁହାର୍ ଭେଟ୍ ପୂଜ୍ୟପୂଜାର ପରମ୍ପରାକୁ ସମୃଦ୍ଧ କରି ଆସିଛି । ମାନ୍ୟରେ ତଥା ବୟସରେ ନିଜ ଠାରୁ ବଡ ଲୋକଙ୍କୁ ଜୁହାର୍ ହୋଇ ଆର୍ଶିବାଦ ନେବାର ଏହି ମହାର୍ଘ୍ୟ ପରମ୍ପରା ସାରା ଦେଶରେ ବିରଳ ।

Comments are closed.