ଲଘୁଚାପ ପ୍ରଭାବରେ ବର୍ଷା ଜାରି, ପୁରୀ ଓ ଭୁବନେଶ୍ୱରରେ ରେକର୍ଡ ବର୍ଷା,

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇ ଆଜି ସକାଳେ ଚାନ୍ଦବାଲି ଉପକୂଳ ଅତିକ୍ରମ କରିଛି । ଗତକାଲିଠାରୁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । କାଲି ସକାଳ ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ଲଘୁଚାପ ପ୍ରଭାବରେ ପୁରୀରେ ରେକର୍ଡ ପରିମାଣର ବର୍ଷା ହୋଇଛି । ୮୭ ବର୍ଷର ୨୪ ଘଣ୍ଟିଆ ପୁରୁଣା ବର୍ଷା ରେକର୍ଡ ଭାଙ୍ଗିଛି ପୁରୀ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୧୨ ତାରିଖ ସକାଳ ସାଢେ ୮ରୁ ଆଜି ସାଢେ ୮ ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ମଧ୍ୟ ରେକର୍ଡ ବର୍ଷା ହୋଇଛି । ୬୩ ବର୍ଷ ପରେ ୨୪ ଘଣ୍ଟାରେ ରେକର୍ଡ ପରିମାଣର ୧୯୫ ମିଲିମିଟର ବର୍ଷା ହୋଇଛି । ପୂର୍ବରୁ ୧୯୫୮ ମସିହା ସେପଟେମ୍ବର ୯ ତାରିଖରେ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରେ ୧୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ।

ଗତ ୨୪ ଘଣ୍ଟାରେ ପାରାଦୀପରେ ୨୧୯, ବାଲେଶ୍ୱରରେ ୨୪, ଚାନ୍ଦବାଲିରେ ୪୬ ଓ ଗୋପାଳପୁରରେ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Comments are closed.