ଅନନ୍ୟ ପରମ୍ପରା, ରାଧାଷ୍ଟମୀରେ ବାର୍ଷିକ ଆୟବ୍ୟୟର ହିସାବ ଦିଅନ୍ତି ଶ୍ରୀମନ୍ଦିରର ରକ୍ଷକ ଜମେଶ୍ୱର ଭଗବାନ | News Room Odisha

ଅନନ୍ୟ ପରମ୍ପରା, ରାଧାଷ୍ଟମୀରେ ବାର୍ଷିକ ଆୟବ୍ୟୟର ହିସାବ ଦିଅନ୍ତି ଶ୍ରୀମନ୍ଦିରର ରକ୍ଷକ ଜମେଶ୍ୱର ଭଗବାନ

ଭାଦ୍ରବମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିର ରେ ପାଳିତ ହୋଇଥାଏ ଶ୍ରୀରାଧାଷ୍ଟମୀ ପର୍ବ। ବିଶେଷ କରି ଏହିଦିନ ଶ୍ରୀମନ୍ଦିର ର ହିସାବ ରକ୍ଷକ ପଞ୍ଚ ମହାଦେବ ଙ୍କ ଅଗ୍ରଜ ଶ୍ରୀଜମେଶ୍ୱର ଭଗବାନ ଶ୍ରୀମନ୍ଦିର ର ବାର୍ଷିକ ଆୟବ୍ୟୟ ର ହିସାବ ପ୍ରଦାନ କରିଥାନ୍ତି।

ଶ୍ରୀରାଧାଷ୍ଟମୀ ଦିନ ଶ୍ରୀଜୀଉମାନଙ୍କ ସକାଳ ଧୂପ ନୀତି ପରେ ଶ୍ରୀଜଗନ୍ନାଥ ଙ୍କ ଆଜ୍ଞାମାଳ ପାଇ ଶ୍ରୀଦେବୀ ( ଲକ୍ଷ୍ମୀ ) ପାଲିଙ୍କିରେ ବସି ଲକ୍ଷ୍ମୀ ମନ୍ଦିର ଜଗମୋହନ ରେ ପଡିଥିବା ଖଟଶେଯ ଉପରେ ବିଜେ କରନ୍ତି। ଏହିଠାରେ ପୂଜାପଣ୍ଡା ଙ୍କ ଦ୍ଵାରା ରାଧାଷ୍ଟମୀ ନୀତି ସହିତ ମାଜଣା ଓ ଶୀତଳ ଭୋଗ ବଢିଥାଏ। ଏହାପରେ ରତ୍ନସିଂହାସନ କୁ ଫେରିବା ପରେ ମଧ୍ୟାହ୍ନ ଧୂପ ହୋଇଥାଏ। ଧୂପ ପରେ ପୁନର୍ବାର ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି।

ମଧ୍ୟାହ୍ନ ଧୂପ ପରେ ଆଜ୍ଞାମାଳ ପାଇ ଦଇତାପତି ସେବକମାନେ ଚକ୍ରରାଜ ସୁଦର୍ଶନ ଙ୍କୁ ରତ୍ନସିଂହାସନ ରୁ ଆଣି ଜଗମୋହନ ରେ ଥିବା ଚଉଦୋଳରେ ବିଜେ କରାଇଥାନ୍ତି। ଚଉଦୋଳ ଝୁଲଣ ମଣ୍ଡପ ନିକଟକୁ ଯିବାପରେ ସୁଦର୍ଶନ ଙ୍କୁ ଅଳଙ୍କାର ଲାଗି ସହିତ ମଙ୍ଗଳାର୍ପଣ ନୀତି ବଢିଥାଏ। ଶ୍ରୀସୁଦର୍ଶନ ଶ୍ରୀକ୍ଷେତ୍ରର ଚାରିଆଶ୍ରମ ବୁଲିବାପରେ ଗୌଡ଼ବାଡ଼ ସାହି ସ୍ଥିତ ଶ୍ରୀଜମେଶ୍ୱର ମନ୍ଦିର କୁ ବିଜେ କରନ୍ତି। ସେଠାରେ ପ୍ରସାଦ ଲାଗି ଓ ଶୀତଳ ଭୋଗ, ବନ୍ଦାପନା ନୀତି ବଢିଥାଏ। ଏସବୁ ନୀତି ପରେ ଶ୍ରୀଜମେଶ୍ୱର ମହାଦେବ ଶ୍ରୀଜଗନ୍ନାଥ ଙ୍କ ଭଣ୍ଡାର ର ଏକବର୍ଷ ର ଆୟବ୍ୟୟ ର ହିସାବ ଶ୍ରୀଜଗନ୍ନାଥ ଙ୍କ ପ୍ରତିନିଧି ଶ୍ରୀସୁଦର୍ଶନ ଙ୍କୁ ଶୁଣାଇଥାନ୍ତି। ଏହାପରେ ଶ୍ରୀସୁଦର୍ଶନଙ୍କ ବାହୁଡ଼ା ବିଜେ ଶ୍ରୀମନ୍ଦିର କୁ ହୋଇଥାଏ।

ଶ୍ରୀସୁଦର୍ଶନ ରତ୍ନସିଂହାସନ କୁ ଫେରିବା ପରେ ଚାରି ବାଡ଼ରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ। ମହାସ୍ନାନ ପରେ ପୁଷ୍ପାଳକ ସେବକମାନେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ରତ୍ନସିଂହାସନରେ ବିଜେ କଲାପରେ ସନ୍ଧ୍ୟା ଆରତୀ ବେଶ ବଢିଥାଏ।