ଆନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ସମନ୍ବୟ ବୈଠକ ବାତିଲ !

ଓଡ଼ିଶାର ଜନଜୀବନର ପ୍ରସଙ୍ଗକୁ ବି କେନ୍ଦ୍ରର ଅଣଦେଖା

ସମ୍ବଲପୁର : ଅଧା ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଧନଜୀବନର ପ୍ରଶ୍ନ ସହିତ ଯୋଡ଼ି ହୋଇ ରହିଛି ହୀରାକୁଦ ବନ୍ଧର ଜଳ ପରିଚାଳନା ପ୍ରସଙ୍ଗ । ତଥାପି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସାଂଘାତିକ ଅବହେଳା କରି ଆସୁଛନ୍ତି । ଉଭୟ ରାଜ୍ୟ ମଧ୍ୟରେ ବନ୍ୟା ନିୟନ୍ତ୍ରଣକୁ ନେଇ ହେଉଥିବା ସମନ୍ବୟ ବୈଠକ ଏବର୍ଷ ବାତିଲ ହେବା ଏକପ୍ରକାର ଥୟ ହେଲାଣି । କାରଣ , ହୀରାକୁଦ ବନ୍ଧ କର୍ତ୍ତୁପକ୍ଷଙ୍କ ବାରମ୍ବାର ପତ୍ର ସଢ଼େ ଛତିଶଗଡ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଜଳ ଆୟୋଗ ( ସିଡବ୍ଲ୍ୟୁସି ) ସଂପୂର୍ଣ୍ଣ ନିରବ ରହିଛି । ଫଳରେ ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କେମିତି ରହିବ ବୋଲି ପ୍ରଶ୍ନ ଉଠିଲାଣି । ସେପଟେ , କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି ।

ଓଡ଼ିଶାର ବନ୍ୟା ନିୟନ୍ତ୍ରଣ ସଂପୂର୍ଣ୍ଣ ଭାବେ ଛତିଶଗଡ ଉପରେ ନିର୍ଭରଶୀଳ । ଏଥିପାଇଁ ଉଭୟ ରାଜ୍ୟରେ ତଥ୍ୟ ଆଦାନ ପ୍ରଦାନକୁ ନେଇ ସମନ୍ୱୟକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥାଏ । କେନ୍ଦ୍ରୀୟ ଜଳ ଆୟୋଗ ( ସିଡବ୍ଲ୍ୟୁସି ) ର ମଧ୍ୟସ୍ଥତାରେ ଜାତୀୟ ବନ୍ଧ ସୁରକ୍ଷା ଆୟୋଗ ( ଏନସିଡିଏସ୍ ) ଦ୍ଵାରା ଏଥିପାଇଁ ପ୍ରତିବର୍ଷ ଉଭୟ ରାଜ୍ୟ ମଧ୍ୟରେ ବୈଠକ ହୋଇଥାଏ । ହେଲେ ଛତିଶଗଡ଼ ସରକାରଙ୍କ ସମେତ କେନ୍ଦ୍ର ସରକାର ଏଥିରେ ପ୍ରତିବର୍ଷ ସାଂଘାତିକ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ମହାନଦୀରେ ଛତିଶଗଡ଼ ସରକାର ବହୁ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ୍ ନିର୍ମାଣ କରିବା ଦ୍ଵାରା ହୀରାକୁଦର ଜଳ ପରିଚାଳନା ଅଧିକ ଜଟିଳ ହୋଇପଡ଼ିଛି । ଗୋଟିଏ ପଟେ କେନ୍ଦ୍ରର ପ୍ରରୋଚନାରେ ଛତିଶଗଡ଼ ଶତାଧିକ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ୍ ନିର୍ମାଣ କରିଥିବା ବେଳେ ଏବେ ସମନ୍ବୟ ରକ୍ଷା ଦିଗରେ ବି ଅବହେଳା ଓଡ଼ିଶା ପାଇଁ ଚିନ୍ତାର କାରଣ ହେଲାଣି ।

ବିଶେଷ କରି ମହାନଦୀ ବିବାଦ ପରଠାରୁ ଏହି ସମନ୍ବୟ ବୈଠକ ଅଧିକ ଜରୁରୀ ହୋଇଥିଲେ ହେଁ ଏହାକୁ କେନ୍ଦ୍ର ସରକାର ଖାମଖିଆଲି ମନୋଭାବ ପ୍ରଦର୍ଶନ କରିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ନିୟମ ଅନୁଯାୟୀ , ଏହି ବୈଠକ ପ୍ରତିବର୍ଷ ଜୁନ୍ ଦ୍ବିତୀୟ ସପ୍ତାହ ମଧ୍ୟରେ ହେବା କଥା । ହେଲେ ପ୍ରତିବର୍ଷ ଛତିଶଗଡ଼ ଏବଂ ସିଡବ୍ଲ୍ୟୁସି ଏହାକୁ ଜାଣିଶୁଣି ଅବହେଳା କରି ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଗଡାଇ ଦେଉଛନ୍ତି । ଆଉ ଏବର୍ଷ ଏହି ବୈଠକ ସଂପୂର୍ଣ୍ଣ ବାତିଲ ହେବା ଏକପ୍ରକାର ନିଶ୍ଚିତ ହୋଇଗଲାଣି ।

ଏହାର କାରଣ , ହେଲା ଯେ , ଇତିମଧ୍ୟରେ ହୀରାକୁଦ ବନ୍ଧ କର୍ତ୍ତୁପକ୍ଷ ଛତିଶଗଡ଼ର ଜଳସଂପଦ ବିଭାଗ ମୁଖ୍ୟଙ୍କୁ ଏକାଧିକ ଥର ପତ୍ର ସହିତ ଫୋନ୍ ଯୋଗେ ଯୋଗାଯୋଗ କରି ତାରିଖ ଧାର୍ଯ୍ୟ କରିବାକୁ ଅନୁରୋଧ କରିସାରିଛନ୍ତି । ହେଲେ ଛତିଶଗଡ଼ ଜଳ ସଂପଦ ବିଭାଗ ମୁଖ୍ୟ ସଂପୂର୍ଣ୍ଣ ନିରବ ରହିଛନ୍ତି । ମୌସୁମୀ ଅବଧି ସରିବାକୁ ହାତରେ ଆଉ ମାତ୍ର ମାସେ ସମୟ ଥିବାରୁ ଏହି ବୈଠକ ତାର ପ୍ରାସଙ୍ଗିକତା ବି ହରାଇସାରିଛି । ତେଣୁ , ବୈଠକ ଏବର୍ଷ ପାଇଁ ଆଉ ସମ୍ଭବ ନୁହେଁ ବୋଲି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ ପ୍ରକାଶ କରିଛନ୍ତି । ଛତିଶଗଡର ନିରବତା ନେଇ ସିଡବ୍ଲ୍ୟୁସିକୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳିନଥିବା ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ହୀରାକୁଦରେ ବନ୍ୟା ନିୟନ୍ତ୍ରଣ ପାଇଁ ଛତିଶଗଡରୁ ନିୟମିତ ତଥ୍ୟ ଆଦାନ ପ୍ରଦାନ ସମେତ ମହାନଦୀ ଅବବାହିକାର ସୁରକ୍ଷା , ମୃତ୍ତିକା ଅବକ୍ଷୟ ଏବଂ ସର୍ବୋପରି ଅଣ ମୌସୁମୀ ଅବଧିରେ ଜଳ ପ୍ରବେଶକୁ ନିଶ୍ଚିତ କରିବା ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହୋଇଥାଏ । ତଥାପି ଏଭଳି ସମ୍ବେଦନଶୀଳ ବୈଠକକୁ କେନ୍ଦ୍ର ସରକାରର ଅବହେଳା ଓଡ଼ିଶାବାସୀଙ୍କ ମଧ୍ୟରେ ଅସନ୍ତୋଷର କାରଣ ହେଲାଣି ।

ଅଧା ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଧନଜୀବନର ପ୍ରଶ୍ନ ସହିତ ଜଡିତ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରର ଅବହେଳା ଆଗାମୀ ଦିନରେ ରାଜ୍ୟର ବିଜେପି ନେତୃବୃନ୍ଦଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଦେଖାଦେଲାଣି ।

Comments are closed.