ବ୍ରଜମଣ୍ଡଳ ପରିକ୍ରମା: ବଉଳା ଗାଈର ସତ୍ୟରକ୍ଷା ସ୍ଥାନ “ବହୁଳା ବନ”

ବହୁଳା ବନ : ଶ୍ରୀଧାମ ବୃନ୍ଦାବନର ଦ୍ୱାଦଶ ବନ ମଧ୍ୟରୁ ପଞ୍ଚମ ତଥା ଶ୍ରେଷ୍ଠବନ ହେଉଛି ବହୁଳା ବନ। ଆମେ ପଢିଥିବା ଗଳ୍ପରେ ଏକ ବଉଳା ଗାଈ କଥା ସମସ୍ତେ ପଢିଛେ। ଏହି ବଉଳା ଗାଈକୁ ଜଣେ କୃଷ୍ଣ ଭକ୍ତ ବ୍ରାହ୍ମଣ ପାଲିଥିଲେ। ଥରେ ଏହି ଗାଈ ଘାସ ଚରୁଥିବା ସମୟରେ ଏକ ଘୋର ଜଙ୍ଗଲରେ ପ୍ରବେଶ କରିଯାଇ ଥିଲା। ଏହି ଜଙ୍ଗଲରେ ଗୋଟିଏ ବାଘ ରହୁଥିଲା। ସିଏ ବଉଳାକୁ ଦେଖିବା ମାତ୍ରେ ଖାଇବାକୁ ଆକ୍ରମନ କଲା। ଏହାଦେଖି ବଉଳା ବାଘକୁ ନିବେଦନ କରି କହିଲେ- ଘରେ ମୋର ସଦ୍ୟଜାତ ବାଛୁରୀ ଟିଏ ଅଛି, ସିଏ କ୍ଷୁଦାର୍ଥ। ତାକୁ କ୍ଷୀର ପାନ କରାଇ ତୁମ ପାଖକୁ ଫେରି ଆସିବି। ତାପରେ ତୁମେ ମୋତେ ଭକ୍ଷଣ କରିବ। ଏହାପରେ ବଉଳା ଘରକୁ ଫେରି ତା ବାଛୁରୀକୁ ଦୁଗ୍ଧ ପାନ କରାଇଲା ଏବଂ ନିଜ ମାଲିକକୁ ସମସ୍ତ ବୃତ୍ତାନ୍ତ କହି ପୁନର୍ବାର ଜଙ୍ଗଲକୁ ଗଲା। ତା ସଙ୍ଗେ ସଙ୍ଗେ ତା ବାଛୁରୀ ଓ ପାଳିତ ବ୍ରାହ୍ମଣବି ଜଙ୍ଗଲକୁ ଗଲେ। ବାଘ ବଉଳାର ସତ୍ୟନିଷ୍ଠ ଦେଖି ତାକୁ ନଖାଇ ଛାଡିଦେଲା। ଏବଂ ବଉଳା ଯୋଗୁଁ ତାର ସାକ୍ଷାତ ଶ୍ରୀକୃଷ୍ଣଙ୍କ ଦର୍ଶନ ଲାଭ ହେଲା।

ସେହିଦିନ ଠାରୁ ଏହି ବନ ର ନାମ ରହିଲା ବଉଳା ବା ବହୁଳା ବନ। ଏହି ସ୍ଥାନଟି ମଥୁରା ଠାରୁ ପାଞ୍ଚ ମାଇଲ ଉତ୍ତର-ପଶ୍ଚିମ ଦିଗରେ ଥିବା ‘ବାଟି’ ନାମକ ଗ୍ରାମରେ ଅବସ୍ଥିତ। ଏହିବନରେ ସଂକର୍ଷଣ କୁଣ୍ଡ ଓ ମାନସରବର ରହିଛି। ଏହି ସ୍ଥାନରେ ବହୁଳା କୁଣ୍ଡ ଓ ବହୁଳା ଗାଭିର ମନ୍ଦିର ରହିଛି। ଏହି ମନ୍ଦିରରେ ବହୁଳା ଗାଭି, ତାର ବାଛୁରୀ, ବ୍ରାହ୍ମଣ ଓ ଶ୍ରୀକୃଷ୍ଣ ବିରାଜମାନ କରିଛନ୍ତି। କୁହାଯାଏ ଶ୍ରୀକୃଷ୍ଣ ସ୍ୱୟଂ ବ୍ୟାଘ୍ର ରୂପରେ ବଉଳା ର ପରୀକ୍ଷା ନେଇଥିଲେ। ଏହା ହେଉଛି ସେହି ପୁରାଣ ପ୍ରସିଦ୍ଧ ସ୍ଥାନ। ପ୍ରତିବର୍ଷ ଚୈତ୍ର ମାସରେ ଏଠାରେ ବଡ଼ ମେଳା ଅନୁଷ୍ଠିତ ହୋଇଥାଏ। ବିଶ୍ୱାସ ରହିଛି ଏହି ସମୟରେ ଅନେକ ଭକ୍ତଙ୍କୁ ଶ୍ରୀଲକ୍ଷ୍ମୀ ନାରାୟଣଙ୍କ ଦର୍ଶନ ପ୍ରାପ୍ତ ହୋଇଥାଏ।

ମୟୁର ଗ୍ରାମ : ବହୁଳା ବନର ଦୁଇ ମାଇଲ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି ମୟୁର ଗ୍ରାମ। ଏହାର ବର୍ତ୍ତମାନ ନାମ ହେଉଛି ‘ମୋର’। ଏହି ସ୍ଥାନରେ ଅନେକ ମୟୁର ମୟୁରୀ ଦେଖିବାକୁ ମିଳିଥାଏ। ଭଗବାନ ଶ୍ରୀକୃଷ୍ଣ ନିଜ ପ୍ରିୟା ମାନଙ୍କ ସହ ଏହି ମୟୁର ମୟୁରୀଙ୍କ ସହ ମିଶି ଏହିଠାରେ ନୃତ୍ୟ କରିଥିଲେ।
(କ୍ରମଶଃ )

Comments are closed.