ଗଞ୍ଜାମ ଜିଲ୍ଲାର ୭ ଜଣ ଦିଂବଗତ ସାମ୍ବାଦିକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ

ଛତ୍ରପୁର – ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କୋରୋନା ବେଳେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ୭ ଜଣ ସାମ୍ବାଦିକଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅର୍ଥ ରାଶି ଦିବଂଗତ ସାମ୍ବାଦିକଙ୍କ ପରିବାରବର୍ଗଙ୍କ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଓଡିଶାର କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରଦତ୍ତ ଏକ କୋଟି ୫ ଲକ୍ଷ ଅନୁକଂପାମୂଳକ ରାଶି ଆଜି ପ୍ରଦାନ କରାଯାଇଥିବା ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଜଣାଇଛନ୍ତି ।

ଗତ କୋରୋନା ସମୟରେ ଓଡିଶା ଏକ୍ସପ୍ରେସର କୁକୁଡାଖଣ୍ଡି ବ୍ଲକ୍ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ ବାପା ଆଦିକନ୍ଦ ବେହେରା, ବ୍ରହ୍ମପୁର ଓଡିଶା ଫାଇଲ୍ସର ସଂପାଦକ ନରେଶ କୁମାର ବେହେରାଙ୍କ ପତ୍ନୀ ସୁମନ, କଳିଙ୍ଗ ଜ୍ୟୋତିର ବାଲିପଦର ବ୍ଲକର ସାମ୍ବାଦିକ ରତ୍ନାକର ମହାରଣାଙ୍କର ପତ୍ନୀ ନୟନି, ବ୍ରହ୍ମପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ପ୍ରଦୀପ କିଶୋର ସାହୁଙ୍କ ପତ୍ନୀ ମାନସୀ, ସମାଜର ପୋଲସରା ପ୍ରତିନିଧି କିଶୋର ଚନ୍ଦ୍ର ଦାସଙ୍କ ପତ୍ନୀ ସୁଦେଷ୍ଣା, ଅନୁପମ ଭାରତର ଶେରଗଡ ପ୍ରତିନିଧି କରୁଣାକର ସାହୁଙ୍କ ପତ୍ନୀ ସୁମନ ଓ ହିଞ୍ଜିଳିକାଟୁ ବ୍ଲକର ସାମ୍ବାଦିକ ନିଳୟ ରଞ୍ଜନ ପଟ୍ଟନାୟକଙ୍କ ପତ୍ନୀ ସଂଧ୍ୟାରାଣୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର କର୍ମକର୍ତ୍ତା ଶ୍ୟାମଘନ ପାତ୍ର, ଏମ୍‌. ଶ୍ରାବନ୍ତୀ, ରଜାକ ହୁସେନ, କିରଣ କୁମାର ପଲାଇ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.