ଜୈବିକ ପଦ୍ଧତିରେ ନିଜ ଘରର ବାଡ଼ି ବଗିଚାରେ ନିଜେ ପରିଶ୍ରମ କରି ଗଢ଼ି ତୋଳିବେ ସୁନ୍ଦର ଓ ସବୁଜିମା ଭରା ବଗିଚାଟିଏ। ଏହା ଖାଲି ଯେ ଚତୁଃପାର୍ଶ୍ଵର ପ୍ରାକୃତିକ ପରିବେଶର ଶୋଭାବର୍ଦ୍ଧନ କରିବ ତା ନୁହେଁ, ସେଥିରୁ ମିଳିବ ପୁଷ୍ଟିକର ତତ୍ତ୍ବ ସମ୍ବଳିତ ଖାଦ୍ୟ। ମିଳିବ ତଟକା, ସବୁଜ ପନିପରିବା ଯେଉଁଥିରେ ଭରି ରହିଥିବ ଭିଟାମିନ୍, ମିନେରାଲ ଭଳି ପୋଷକ। ଆଉ ଏହାକୁ ଖାଇ ଘର ପରିବାରର ପିଲା ଓ ମହିଳାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ହୃଷ୍ଟପୃଷ୍ଟ ହୋଇ ଉଠିବେ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି ପାଇଁ ଯଥେଷ୍ଟ ଉପାଦାନ ଯୋଗାଇଦେବ ‘ମୋ ବଗିଚା’। ଓଡ଼ିଶା ଜୀବିକା ମିଶନ୍ ତରଫରୁ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି। ହେଲେ ସୁନ୍ଦରଗଡ଼ ଜିଲ୍ଲା ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରି ପ୍ରଶଂସା ସାଉଁଟିବାରେ ଲାଗିଛି। ଏହାର ତ୍ଵରିତ ସୁଫଳ ମଧ୍ୟ ଜିଲ୍ଲାର ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଲାଣି।
ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଅନେକ ହିତାଧିକାରୀ ନିଜ ବାଡ଼ିରେ ମୋ’ ଉପକାରୀ ବଗିଚା କରୁଛନ୍ତି। ସେମାନଙ୍କୁ ଆଉ କେବଳ ବଜାରରେ ମିଳୁଥିବା ପରିବା ଉପରେ ନିର୍ଭର କରିବାକୁ ପଡ଼ୁନି। ସେମାନେ ବାଡ଼ିରୁ ତଟକା ପରିବା ପାଉଛନ୍ତି। ଫଳରେ ସେମାନେ ନିଜ ପରିବାରର ପୋଷଣ ଆବଶ୍ୟକତାକୁ ପୂରଣ କରିବା ସହ ପରିବା କିଣିବା ବାବଦ ଖର୍ଚ୍ଚ ବଞ୍ଚାଇ ପାରୁଛି। ଏହା ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇପାରୁଛି। ଅପରପକ୍ଷରେ ଜିଲ୍ଲା ପ୍ରଶାସନ ଦ୍ବାରା ଏ କ୍ଷେତ୍ରରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ ପ୍ରୋସାହନ ଦିଆଯାଉଥିବାରୁ ନାରୀ ସଶକ୍ତୀକରଣ ଦିଗରେ ଏହା ଜିଲ୍ଲାକୁ ଆଉ ଏକ ପାଦ ଆଗକୁ ନେଇପାରିଛି।
ଜିଲ୍ଲାର ଗର୍ଭବତୀ ଓ ପ୍ରସୂତି ମା’, କିଶୋରୀ ଏବଂ ୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପୁଷ୍ଟିର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମକୁ ପ୍ରୋସାହନ ଦିଆଯାଉଛି। ଜୀବିକା ମିଶନ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଏହି ବଗିଚା ତିଆରି ଲାଗି ସହାୟତା ଯୋଗାଇ ଦିଆଯାଉଛି। ବିଶେଷକରି ମହିଳା ଏସ୍ଏଚଜି ସଦସ୍ୟମାନଙ୍କୁ ଏଥିରେ ଅଗ୍ରାଧିକାର ଦିଆଯାଉଛି। ଉଲ୍ଲେଖନୀୟ ଭାବେ କେବଳ ଘର ନୁହେଁ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଏହି ପୋଷଣ ବଗିଚା କରାଯାଉଛି। ଏହା ଦ୍ବାରା ଉକ୍ତ ଶିକ୍ଷାନୁଷ୍ଠାନର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ସଶକ୍ତ କରୁଛି। ବଗିଚାରୁ ମିଳୁଥିବା ଭଳିକି ଭଳି ପନିପରିବାକୁ ନେଇ ରୋଷେଇ କରି ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ ପିଲାଙ୍କୁ ଖାଇବାକୁ ଦିଆଯିବା ଫଳରେ ମଧ୍ୟାହ୍ନ ଭୋଜନର ସ୍ବାଦ ଓ ଗୁଣବତ୍ତା ବୃଦ୍ଧି ପାଇବା ସହ ସେଥିରୁ ପିଲାଙ୍କୁ ଅଧିକ ସୁଫଳ ମିଳିପାରୁଛି। ଅଧିକରୁ ଅଧିକ ବିଦ୍ୟାଳୟ ଏଥିନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି ଯେ ଅଧିକ ଅର୍ଥ ବ୍ୟୟ ବିନା ସେମାନେ ପିଲାଙ୍କୁ କିଛିଟା ଅଧିକ ସୁଆଦିଆ ଖାଦ୍ୟ ପରିବେଷଣ କରିବାରେ ସକ୍ଷମ ହୋଇପାରୁଛନ୍ତି।
୨୦୧୯ – ୨୦ ଆର୍ଥିକ ବର୍ଷରୁ ସୁନ୍ଦରଗଡ଼ରେ ଏହି ପୋଷଣ କାର୍ଯ୍ୟକ୍ରମ ଚାଲିଛି । ବର୍ତ୍ତମାନ ସୁଦ୍ଧା ୨୭ ହଜାରରୁ ଅଧିକ ହିତାଧିକାରୀ ନିଜ ବାଡ଼ିରେ ‘ମୋ ଉପକାରୀ ବଗିଚା’ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଆଉ ୧୨ ହଜାର ହିତାଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ବାଲିଶଙ୍କରା, କୁଆଁରମୁଣ୍ଡା, ବଣାଇଁ, ଟାଙ୍ଗରପାଲି ରାଜଗାଙ୍ଗପୁର, ଲେଫ୍ରିପଡା, ଗୁରୁଣ୍ଡିଆ ଆଦି ବ୍ଲକରେ ଅଧିକ ସଂଖ୍ୟକ ହିତାଧିକାରୀ ନିଜ ବାଡ଼ିରେ ଏହି ବଗିଚା କରିଛନ୍ତି। ମୋ’ ଉପକାରୀ ବଗିଚା ଲାଗି ହିତାଧିକାରୀଙ୍କର ଅତି କମରେ ୨.୫ ଡେସିମିଲ ଜମି ଥିବା ଆବଶ୍ୟକ। ଯେଉଁମାନଙ୍କର ଆବଶ୍ୟକ ପରିମାଣର ଜମି ନାହିଁ ସେମାନେ ବସ୍ତାରେ ମାଟି ପୁରାଇ ଏହି ବଗିଚା ସୃଷ୍ଟି କରିପାରିବେ।
ହିତାଧିକାରୀମାନେ ବଗିଚାରେ ବାଇଗଣ, କଖାରୁ, ଭେଣ୍ଡି, ଲାଉ, ଜହ୍ନି, ଲଙ୍କା, କାକୁଡ଼ି, ଝୁଡ଼ଙ୍ଗ, କଲରା, ଛଚିନ୍ଦ୍ରା, ଅମୃତଭଣ୍ଡା, ଲେମ୍ବୁ, କଦଳୀ ସହିତ ବିଭିନ୍ନ ପ୍ରକାରର ଶାଗ ଲଗାଉଛନ୍ତି। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ବିଭିନ୍ନ କିସମର ଦେଶୀ ବିହନ ଏବଂ ଚାରା ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ଯେଉଁ ହିତାଧିକାରୀମାନେ ନୂଆ କରି ଉପକାରୀ ବଗିଚା କରୁଛନ୍ତି ସେମାନଙ୍କ ଫସଲକୁ ସୁରକ୍ଷିତ ରଖିବା ଲାଗି ଜାଲ ବାଡ଼ କରିବାକୁ ମଧ୍ୟ ସହାୟତା ଯୋଗାଇ ଦେଉଛି ଜିଲ୍ଲା ପ୍ରଶାସନ।
ଜିଲ୍ଲାରେ ଚତୁର୍ଭୁଜ ଆକାରରେ ଅଧିକାଂଶ ହିତାଧିକାରୀ ମୋ’ ଉପକାରୀ ବଗିଚା କରୁଛନ୍ତି। ଏଥି ଅନ୍ତର୍ଗତ ହିତାଧିକାରୀମାନଙ୍କୁ କିପରି ବେଡ୍ ପ୍ରସ୍ତୁତ କରି ବିହନ ବୁଣିବେ ସେନେଇ ତାଲିମ ଦିଆଯାଉଛି। ଏଥିପାଇଁ ପଞ୍ଚାୟତ ସ୍ତରରେ କୃଷି ମିତ୍ର, କମ୍ୟୁନିଟି ରିସୋର୍ସ ପର୍ସନଙ୍କୁ (ସିଆରପି) ନିଯୁକ୍ତ କରାଯାଇଛି। ସେମାନେ ବିଭିନ୍ନ ଗାଁକୁ ଯାଇ ହିତାଧିକାରୀମାନଙ୍କୁ ଏହି ପୋଷଣ ବଗିଚା ଲାଗି ବେଡ୍ ପ୍ରସ୍ତୁତିରେ ସାହାଯ୍ୟ କରୁଛନ୍ତି। ଏହି ବଗିଚା କରିବା ଦ୍ଵାରା ହିତାଧିକାରୀମାନେ କିପରି ପୋଷଣ ପାଇବେ ସେ ସମ୍ପର୍କରେ ସିଆରପିମାନେ ସଚେତନ କରାଉଛନ୍ତି।
”ପ୍ରସବ ପରେ ଅଧୁକ ସବୁଜ ପନିପରିବା ଖାଇବାକୁ ଡାକ୍ତର ମୋତେ ପରାମର୍ଶ ଦେଇଥିଲେ। ପ୍ରଶାସନ ସାହାଯ୍ୟରେ ଆମ ବାଡ଼ିରେ ମୁଁ କରିଥିବା ବଗିଚାରୁ ପ୍ରତିଦିନ ଶାଗ ଓ ସବୁଜ ପନିପରିବା ତୋଳି ଖାଇପାରୁଛି। ଏହା ମୋର ଦେହ ପାଇଁ ଉପକାରୀ ହୋଇପାରିଛି” ବୋଲି କହନ୍ତି ଟାଙ୍ଗରପାଲି ବ୍ଲକ୍ ଖମରବହାଲର ଅନୁପମା ଚୌଧୁରୀ।
ସେହିପରି ବାଲିଶଙ୍କରା ବ୍ଲକ୍ ରାମପୁର ପଞ୍ଚାୟତର ଆଉ ଜଣେ ମହିଳା ସୁଷମା କେରକେଟା କହନ୍ତି ଟି ଯେ “ମୁଁ ଆମ ବାଡ଼ିରେ ମୋ ଉପକାରୀ ବଗିଚା କରିଛି। ଏଥିରେ ମୁଁ ବିଭିନ୍ନ ପ୍ରକାରର ଶାଗ ଓ ପନିପରିବା ଲଗାଇଛି। ବଜାର ଉପରେ ନିର୍ଭର ନକରି ନିୟମିତ ଆମେ ବାଡ଼ିରୁ ସତେଜ ପନିପରିବା ଆଣି ଖାଉଛୁ। ଫଳରେ ମୋତେ ଏବଂ ମୋ ପରିବାରକୁ ଏଥିରୁ ପୃଷ୍ଟିକର ଆହାର ମିଳିପାରୁଛି।”
“ମୋ’ ଉପକାରୀ ବଗିଚା କରିବା ପାଇଁ ଆମ ଜିଲ୍ଲାରେ ଅଧିକରୁ ଅଧୁକ ହିତାଧିକାରୀ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ବାଡ଼ିରୁ ଯେଉଁ ତଟକା ପନିପରିବା ମିଳୁଛି ସେଥିରୁ ସେମାନଙ୍କର ପୋଷଣ ଆବଶ୍ୟକତା ପୂରଣ ହୋଇପାରୁଛି। କୋଭିଡ୍ ଲକଡାଉନ୍ ସମୟରେ ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମରୁ ବିଶେଷ ଉପକୃତ ହୋଇଥିଲେ” ବୋଲି କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ।
କୃଷି ମିତ୍ର ଦ୍ରୌପଦୀ ମହାକୁଡ଼ କହନ୍ତି “ମୋ ଉପକାରୀ ବଗିଚା କରିବା ପାଇଁ ଆମେ ହିତାଧିକାରୀଙ୍କୁ ବୁଝାଇ ସେମାନଙ୍କ ବାଡ଼ିରେ କ୍ଷେତ ପ୍ରସ୍ତୁତ କରି ଦେଉଛୁ। ବିଭିନ୍ନ ଗାଁରେ ଏହି ବଗିଚା କରି କେତେକ ହିତାଧିକାରୀ ଭଲ ପରିବା ଅମଳ କରୁଥିବା ଦେଖି ଅନ୍ୟମାନେ ମଧ୍ୟ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି। ଏହି ବଗିଚାରେ ସେମାନେ ଜୈବିକ ଖତ ବ୍ୟବହାର କରୁଛନ୍ତି। ଫଳରେ ଉନ୍ନତମାନର ପନିପରିବା ଓ ଶାଗ ପାଇପାରୁଛନ୍ତି।”
ସେହିପରି କମ୍ୟୁନିଟି ରିସୋର୍ସ ପର୍ସନ ଭାବେ କାମ କରୁଥିବା ଜୟନ୍ତୀ ତକ୍ଷୀ କହନ୍ତି “ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଏକାଠି କରି ଆମେ ମୋ ଉପକାରୀ ବଗିଚା କରିବା ଲାଗି ବୁଝାଉଛୁ। ଏହା ଫଳରେ ସେମାନେ କିପରି ପୋଷଣ ପାଇପାରିବେ ସେ ସମ୍ପର୍କରେ କହୁଛୁ। ହିତାଧିକାରୀମାନେ କିପରି ପ୍ରଶାସନ ଠାରୁ ବିଭିନ୍ନ ସହାୟତା ପାଇପାରିବେ ସେ କାମ ମଧ୍ୟ ଆମେ ଦେଖୁଛୁ।”
ସୁନ୍ଦରଗଡ଼ ଜିଲ୍ଲାରେ ମୋ’ ଉପକାରୀ ବଗିଚା ସହିତ ସାନ ସାନ ପିଲାଙ୍କ ପୋଷଣ ଆବଶ୍ୟକତା ସୁନିଶ୍ଚିତ କରିବା ପାଇଁ ମାଣ୍ଡିଆ ଲଡ଼ୁ ମିକ୍ସ ଏବଂ ସ୍ପିରୁଲିନା ଚିନି ଓ ଚିକି ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଏହା ବଣ୍ଟାଯାଉଛି। ମାଣ୍ଡିଆ ଲଡୁ ମିକ୍ସ କାର୍ଯ୍ୟକ୍ରମରେ ଜିଲ୍ଲାର ୬୩ ହଜାର ଶିଶୁ ଉପକୃତ ହେଉଥିବା ବେଳେ ସ୍ପିରୁଲିନା କାର୍ଯ୍ୟକ୍ରମ ଜରିଆରେ ୧ ଲକ୍ଷ ୪୨ ହଜାର ଶିଶୁ ଲାଭବାନ ହେଉଛନ୍ତି। ପୋଷଣ ହେଉଛି ସ୍ୱାସ୍ଥ୍ୟର ମୁଖ୍ୟ ଉପାଦାନ। ତେଣୁ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଏହିସବୁ ପୋଷଣ କାର୍ଯ୍ୟକ୍ରମ ଦ୍ଵାରା ଶିଶୁ, କିଶୋରୀ, ଗର୍ଭବତୀ ମା’ ଏବଂ ପ୍ରସୂତିମାନଙ୍କ କ୍ଷେତ୍ରରେ କୌଣସି ପ୍ରକାର ପୋଷଣଜନିତ ସମସ୍ୟା ଥିଲେ ତାହା ଦୂର ହୋଇପାରୁଛି।