ବୈଦ୍ୟୁତିକ ଯାନଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ "ବୈଦ୍ୟୁତିକ ଯାନ ପାଣ୍ଠି" ସ୍ଥାପିତ ହେବ | News Room Odisha

ବୈଦ୍ୟୁତିକ ଯାନଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ “ବୈଦ୍ୟୁତିକ ଯାନ ପାଣ୍ଠି” ସ୍ଥାପିତ ହେବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ବାରା ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୧ ଘୋଷିତ ହୋଇଛି ଏବଂ ଏହି ନୀତି ଅନୁଯାୟୀ ବିଭିନ୍ନ ବର୍ଗର ବୈଦ୍ୟୁତିକ ଯାନ କ୍ରୟ ନିମନ୍ତେ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ୪ ବର୍ଷ ପର୍ଯ୍ୟନ୍ତ ଯୋଗାଇଦେବାକୁ ବ୍ୟବସ୍ଥା କରୁଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏହିସବୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ସରକାର ଖୁବ୍ ଶୀଘ୍ର ଏକ ‘ ବୈଦ୍ୟୁତିକ ଯାନ ପାଣ୍ଠି ’ ସ୍ଥାପନ କରିବାକୁ ଯାଉଛନ୍ତି ।

ଦୁଇଚକିଆ ବୈଦ୍ୟୁତିକ ଯାନ କ୍ରୟ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୫୦୦୦ ଟଙ୍କା , ତିନିଚକିଆ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଏବଂ ସର୍ବୋଚ୍ଚ ୧୦ ହଜାର ଟଙ୍କା ତଥା ଚାରିଚକିଆ ଯାନ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଓ ସର୍ବୋଚ୍ଚ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯିବ । ବସ୍ କ୍ରୟ ନିମନ୍ତେ ଗାଡ଼ି ମୂଲ୍ୟର ୧୦ ପ୍ରତିଶତ ଏବଂ ସର୍ବୋଚ୍ଚ ୪ ଲକ୍ଷ ଟଙ୍କା ପ୍ରୋତ୍ସାହନ ଯୋଗାଇଦେବାକୁ ଥିବାବେଳେ ମାଲବାହୀ ଯାନ ପାଇଁ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ଦିଆଯିବ ।

ଯଦି କେହି ନିଜସ୍ୱ ବ୍ୟବହାର ପାଇଁ ବୈଦ୍ୟୁତିକ ଗାଡ଼ି କିଣିବାକୁ ଋଣ କରିବେ ତେବେ ଋଣ ଉପରେ ୫ ପ୍ରତିଶତ ସୁଧ ଛାଡ଼ କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁବର୍ଗର ବୈଦ୍ୟୁତିକ ଯାନର ପଂଜୀକରଣ ଓ ମୋଟର ଯାନ ଟିକସ ଦେୟ ମଧ୍ୟ ଛାଡ଼ କରାଯିବାର ବ୍ୟବସ୍ଥା କରାଯାଉଛି ।

ବୈଦ୍ୟୁତିକ ଯାନ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଶତପ୍ରତିଶତ ନିଟ୍ ଏସଜିଏସ୍‌ଟି ଛାଡ଼ କରାଯିବ ଏବଂ ଅଣୁ , ମଧ୍ୟମ ଓ କ୍ଷୁଦ୍ର ନୀତି – ୨୦୧୬ ଅନୁସାରେ ସମସ୍ତ କ୍ଷୁଦ୍ର ଓ ଅଣୁ ବ୍ୟାଟେରୀ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ମିଳିବ । ଏହି ଉଦ୍ୟୋଗୀମାନଙ୍କ ନିମନ୍ତେ ବ୍ୟାଟେରୀ ଉତ୍ପାଦନ ପାଇଁ ଷ୍ଟାର୍ଟଅପ୍ ପଲିସି ଅନୁଯାୟୀ ସମସ୍ତ ସୁବିଧା ଉପଲବ୍ଧ ହେବ । ସେହିପରି ବିଭିନ୍ନ ସହରଗୁଡ଼ିକରେ ବୈଦ୍ୟୁତିକ ଯାନଗୁଡ଼ିକ ପାଇଁ ରହିଥିବା ପାର୍କିଂ ଫିସ୍‌ରେ ରିହାତି ମିଳିବ । ବ୍ୟାଟେରୀ ଚାର୍ଜ ଷ୍ଟେସନ୍‌ଗୁଡ଼ିକୁ ବିଦ୍ୟୁତ ଶୁଳ୍କ ନିମନ୍ତେ ମଧ୍ୟ ରିହାତି ଦିଆଯିବାର ବନ୍ଦୋବସ୍ତ ରହିଛି ।