ବ୍ୟବସ୍ଥିତ ହେଲା ସବୁ ସହରାଞ୍ଚଳରେ ବୈଦତୁକ ବର୍ଜ୍ୟ ସଂଗ୍ରହ | News Room Odisha

ବ୍ୟବସ୍ଥିତ ହେଲା ସବୁ ସହରାଞ୍ଚଳରେ ବୈଦତୁକ ବର୍ଜ୍ୟ ସଂଗ୍ରହ

ବ୍ୟବସ୍ଥାର ସଦୁପଯୋଗ ନିମନ୍ତେ ଜନସାଧାରଣଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଭୁବନେଶ୍ୱର: ସରକାରଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ସମସ୍ତ ସହରାଞ୍ଚଳରେ ବୈଦୁତିକ-ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି । ରାଜ୍ୟର ୧୧୪ ଟି ସହରାଞ୍ଚଳରେ ପ୍ରତି ସପ୍ତାହ ଶନିବାର ଦିନ ବୈଦୁତିକ-ବର୍ଜ୍ୟ ଏବଂ ବାସଗୃହ ପାଇଁ ବିପଦପୂର୍ଣ୍ଣ-ବର୍ଜ୍ୟ ଗୁଡ଼ିକ ସଂଗ୍ରହ କରାଯାଉଛି ।

ଏହି ବ୍ୟବସ୍ଥାର ସଦୁପଯୋଗ କରି ନିଜ ନିଜ ପରିବେଶକୁ ଇ-ବର୍ଜ୍ୟ ଜାତ ବିଷାକ୍ତ ପ୍ରଦ୍ୟୁଷଣ ବଳୟରୁ ରକ୍ଷାକରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସବୁ ସହରାଞ୍ଚଳବାସୀମାନଙ୍କୁ ଅନୁରୋଧ କରିଛନ୍ତି । ଇ-ବର୍ଜ୍ୟ ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ-ବର୍ଜ୍ୟ ଏଣେତେଣେ ପକାଇଲେ ମାଟି ଓ ପାଣି ବିଶେଷଭାବେ ବିଷାକ୍ତ ହୁଏ । ଏହା ବାୟୁକୁ ମଧ୍ୟ ପ୍ରଦ୍ୟୁଷିତ କରେ , ତେଣୁ ଏହି ବର୍ଜ୍ୟ ଗୁଡ଼ିକୁ ଅଲଗା ରଖି ପ୍ରତି ଶନିବାର ଦିନ ବର୍ଜ୍ୟ ସଂଗ୍ରହ ଗାଡ଼ିରେ ଦେବା ପାଇଁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି , ପ୍ରାୟ ୫ ସପ୍ତାହ ତଳେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକୁ ଇତି ମଧ୍ୟରେ ସବୁ ସହରାଞ୍ଚଳରେ ସୁବ୍ୟବସ୍ଥିତ କରାଯାଇଛି । ଅନ୍ୟାନ୍ୟ ଅଳିଆପରି ଘରକୁ ଘର ଏହା ସଂଗ୍ରହ କରାଯାଉଛି । ସଂଗ୍ରହପରେ ପ୍ରତି ସହରାଞ୍ଚଳରେ ପ୍ରସ୍ତୁତ କରାଯାଇଥିବା ବର୍ଜ୍ୟରୁ ସଂପଦ କେନ୍ଦ୍ରରେ ଥିବା ଇ-ବର୍ଜ୍ୟ ଏବଂ ଘରୋଇ-ବର୍ଜ୍ୟ କର୍ଣ୍ଣରରେ ଅଲଗା ଅଲଗା ରଖାଯାଉଛି । ବର୍ଜ୍ୟ ପୃଥକୀକରଣ ପ୍ରକ୍ରିୟାରେ ନିୟୋଜିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ ସେସବୁକୁ ଭିନ୍ନଭିନ୍ନ ଭାବେ ଓଜନ କରି ଆମ ସହର ମୋବାଇଲ୍ ଆପ୍‌ରେ ଓଜନ ପରିମାଣ ତଥ୍ୟ ଅପଲୋଡ୍ କରୁଛନ୍ତି । ଓଡ଼ିଶା ପ୍ରଦ୍ୟୁଷଣ ବୋର୍ଡଙ୍କ ଦ୍ବାରା ସୀକୃତ ଓ ଲାଇସେନ୍ସ ପ୍ରାପ୍ତ ଇ-ବର୍ଜ୍ୟ ପ୍ରକ୍ରିୟାକରଣ ସଂସ୍ଥା ମାନେ ସହରାଞ୍ଚଳରୁ ଏହି ବର୍ଜ୍ୟ ସଂଗ୍ରହ କରି ନିର୍ଦ୍ଧାରିତ ନିୟମ ଅନୁସାରେ ପ୍ରକ୍ରିୟାକରଣ କରୁଛନ୍ତି ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି , ଇ-ବର୍ଜ୍ୟଭାବେ ମୁଖ୍ୟତଃ କମ୍ପୁଟର ମନିଟର , କିବୋର୍ଡ ମାଉସ୍ , ମୋବାଇଲ୍ ଫୋନ୍ , ବୈଦୁତିକ ଖେଳନା , ବୈଦୁତିକ ଯନ୍ତ୍ରପାତି , ଷ୍ଟାବିଲାଇଜର୍ , ପିଗମେଟ୍ , ଟିଭି , ଡିଜିଟାଲ୍ ସେଟ୍ଅପ୍ ବକ୍ସ , ରେଫ୍ରିଜରେଟର ଏବଂ ବିଷାକ୍ତ ବସ୍ତୁ ଥିବା ବିଭିନ୍ନ ଉପକରଣ ଆଦି ସଂଗ୍ରହ ହେଉଛି । ସେହିଭଳି ଟ୍ୟୁବ୍ ଲାଇଟ୍ , ଇଲେକ୍ଟ୍ରିକ୍ ବଲ୍ , ରଙ୍ଗଡବା , ଅବଧିକାଳ ସରିଥିବା ଔଷଧ , ଥର୍ମୋମିଟର , ବ୍ୟାଟେରୀ , ଛୁଞ୍ଚି ବ୍ୟବହାର ହୋଇସାରିଥିବା ସିରିଞ୍ଜ , ପ୍ରଦ୍ୟୁଷିତ ହୋଇଥିବା ଗଜ୍‌କନା ଆଦିକୁ ବିପଦପୂର୍ଣ୍ଣ ଘରୋଇ – ବର୍ଜ୍ୟଭାବେ ସଂଗ୍ରହ କରାଯାଇଛି ।