ଶକ୍ତି ଓ ଖାଦ୍ୟଶସ୍ୟ ସଂରକ୍ଷଣକୁ ମଜବୁତ କରିବେ ମହିଳା ଏସଏଚଜି

ରାଉରକେଲା: ଶିଶୁ ଓ ପ୍ରସୂତିଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା, ପିଲାଙ୍କୁ ମଧ୍ୟାହ୍ନ ଭୋଜନ ରାନ୍ଧି ଦେବାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସହାୟତା ଯୋଗାଣ ଆଉ କରୋନା ମହାମାରୀ କାଳରେ ସଚେତନତା କାର୍ଯ୍ୟ ଭଳି ଗୁରୁ ଦାୟିତ୍ବ କେବଳ ସମ୍ଭାଳି ନାହାନ୍ତି ବରଂ ସୂଚାରୁ ରୂପେ ତୁଲାଇ ଆସିଛନ୍ତି ଆମ ରାଜ୍ୟର ନାରୀ ଶକ୍ତି। ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ବିଭିନ୍ନ ଜିଲ୍ଲା ଓ ମହାନଗର ପ୍ରଶାସନ ଏବେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ନିଜ ନିଜ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟ ଭାର ନ୍ୟସ୍ତ କରିବାରେ ଲାଗିଛନ୍ତି। ରାଉରକେଲା ମହାନଗର ପ୍ରଶାସନ ମଧ୍ୟ ସେହି ଧାରାକୁ ଅନୁସରଣ କରିଛି। ଚାଷୀ, କ୍ଷୁଦ୍ର ପରିବା ବେପାରୀ ଏବଂ ଫଳ ବ୍ୟବସାୟୀଙ୍କୁ ସୁବିଧା ପାଇଁ ଇସ୍ପାତ୍ ସହରରେ ପ୍ରତିଷ୍ଠା ହେବାକୁ ଥିବା ସୌରଚାଳିତ ଶୀତଳଭଣ୍ଡାରକୁ ଏବେ ପରିଚାଳନା କରିବେ ମହିଳା ଏସ୍ଏଚଜି ସଦସ୍ୟା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨ଟି ଏସ୍ଏଚଜିକୁ ଚୟନ କରାଯାଇଛି। ଏହି ଶୀତଳଭଣ୍ଡାରକୁ କିପରି ପରିଚାଳନା କରାଯିବ ସେନେଇ ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାମାନଙ୍କୁ ରାଉରକେଲା ମହାନଗର ନିଗମ ଓ କୋଏଲ୍ ଫେସ୍ ପ୍ରାଇଭେଟ ଲିମିଟେଡ୍ ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ତାଲିମ ଦିଆଯାଇଛି।

ଏହି ଶୀତଳ ଭଣ୍ଡାର ବହୁମୁଖୀ ଉପଯୋଗୀ ତଥା ବ୍ୟାପକ ଉପାଦେୟ ହେବ। ଗୋଟିଏ ପଟେ ସୌର ଶକ୍ତିରେ ଚାଲିବାକୁ ଥିବାରୁ ଶକ୍ତି ସଂରକ୍ଷଣ କରିହେବ। ଆରପଟେ ଖାଦ୍ୟ ଶସ୍ୟ ଓ ପରିବା, ଫଳ ସଂରକ୍ଷଣ କରି ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ ଦରରେ ବିକ୍ରିବଟା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିବ। ଆଉ ଏହାର ନେତୃତ୍ବ ନେବେ ମହିଳା ଗୋଷ୍ଠୀ। ଫଳରେ ଶକ୍ତି ସଂରକ୍ଷଣ ସାଙ୍ଗକୁ ଖାଦ୍ୟ ଶସ୍ୟ ସଂରକ୍ଷଣରେ ମଧ୍ୟ ନିଜ ଭାଗିଦାରୀ ବା ଅବଦାନକୁ ଅଧିକ ସଶକ୍ତ କରିପାରିବେ ନାରୀ ଶକ୍ତି।

ରାଉରକେଲା ସହରରେ ଫଳ ଓ ପନିପରିବା ବିକ୍ରି କରୁଥିବା କ୍ଷୁଦ୍ର ବ୍ୟବସାୟୀମାନେ ଶୀତଳ ଭଣ୍ଡାର ନଥିବାରୁ ବିଭିନ୍ନ ସମୟରେ ଅସୁବିଧା ଭୋଗୁଛନ୍ତି। ଅଧିକାଂଶ ସମୟରେ ସେମାନଙ୍କ ସାମଗ୍ରୀ ବଜାରରେ ବିକ୍ରି ହେବା ପୂର୍ବରୁ ପଚି ସଢି ନଷ୍ଟ ହୋଇଯାଉଥିବାରୁ ସେମାନେ କଷ୍ଟଲବ୍ଧ ପ୍ରାପ୍ୟ ପାଇବେ କଣ, ଓଲଟି କ୍ଷତି ସହୁଥିବା ଲକ୍ଷ୍ୟ କରାଯାଇଛି। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ପକ୍ଷରୁ ୫ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବାର ଯୋଜନା ହୋଇଛି। ଏହାଦ୍ଵାରା ପରିବା ଏବଂ ଫଳ ବ୍ୟବସାୟୀମାନେ ନିଜ ସାମଗ୍ରୀର ସଂରକ୍ଷଣ କରିପାରିବେ। ପୁଣି ମିଶନ୍ ଶକ୍ତିର ମା’ମାନଙ୍କୁ ଜୀବିକା ମିଳିବ ଏବଂ ସହରବାସୀ ସତେଜ ପନିପରିବା ଓ ଫଳ ପାଇପାରିବେ।

ତେବେ ଏହି ସମୁଦାୟ ପ୍ରକ୍ରିୟାରେ ନାରୀମାନଙ୍କ ଭାଗିଦାରୀକୁ ନିଶ୍ଚିତ କରାଇବାକୁ ଚେଷ୍ଟା କରୁଛି ରାଉରକେଲା ମ୍ୟୁନିସିପାଲ କର୍ପୋରେସନ୍। ଶୀତଳ ଭଣ୍ଡାର ପରିଚାଳନା ଲାଗି ଚୟନ ହୋଇଥିବା ୨ଟି ମହିଳା ଏସ୍‌ଏଚଜି ପୂର୍ବରୁ ରାଉରକେଲା ମହାନଗର ନିଗମ ସହ କାର୍ଯ୍ୟ କରି ଆସୁଛନ୍ତି। ତେଣୁ ଗୋଟିଏ ପଟେ ଅଭିଜ୍ଞତା, ଆରପଟେ କାର୍ଯ୍ୟ କ୍ଷେତ୍ରରେ ପାରଙ୍ଗମତା ରହିଛି। ସେମାନେ ବିଭିନ୍ନ ପ୍ରକାରର କାର୍ଯ୍ୟକୁ ସୂଚାରୁ ରୂପେ କରୁଥିବାରୁ ସେମାନଙ୍କୁ ବଛାଯାଇଛି।

ନିକଟରେ ହୋଇଥିବା ‘ବ୍ଲୁମବର୍ଗ- ୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇ ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଥିଲା। କୋଭିଡ୍‌ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ସେଥିମଧ୍ୟରୁ ଅଭିନବ ତଥା ଉଦ୍ଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲ ରାଉଣ୍ଡକୁ ଯାଇ ପାରିଛନ୍ତି। ଏବେ ରାଉରକେଲା ସହରକୁ ବିଶ୍ୱର ଶୀର୍ଷ ୧୫ଟି ସହର ଭିତରେ ସ୍ଥାନ ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

Comments are closed.