ପିପିଲି ଉପନିର୍ବାଚନ ପାଇଁ ଆଜିଠାରୁ ୭ ଦିନିଆ ବିଧିବଦ୍ଧ ପ୍ରଚାର, କୋରୋନା କଟକଣାରେ ମଇଦାନକୁ ଓହ୍ଲାଇବେ ଦଳ

ପିପିିଲି – ପିପିଲି ଉପନିର୍ବାଚନ ପାଇଁ ଆଜିଠାରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେଉଛି । କୋରୋନା କଟକଣା ମଧ୍ୟରେ ସବୁ ଦଳ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ । ବିଜେଡି ପକ୍ଷରୁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରସ୍ତୁତ ହୋଇଯାଇଥିବା ବେଳେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିବା ସମ୍ଭାବନା ରହିଛି । ବିଜେପି ମଧ୍ୟ ତାର ଷ୍ଟାର ପ୍ରଚାରକଙ୍କୁ ନିୟୋଜିତ କରିବ । କଂଗ୍ରେସ ମଧ୍ୟ ପ୍ରଚାର ଜୋରଦାର କରିବାକୁ ପ୍ରସ୍ତୁତ ହେଉଛି ।

କୋରୋନା କଟକଣା ପାଳନ କରାଯାଇ ଆଜିଠାରୁ ୭ ଦିନ ଧରି ପ୍ରଚାର ଚାଲିବ । ୩୦ ତାରିଖରେ ଭୋଟ୍ ଗ୍ରହଣ ହେବ । ଭୋଟ୍ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିବ । ତାରକା ପ୍ରଚାରକଙ୍କ ସଂଖ୍ୟା ୨୦ ମଧ୍ୟରେ ସୀମିତ ରଖାଯାଇଛି । କୌଣସି ପ୍ରକାର ବାଇକ ରାଲି, ରୋଡ୍ ସୋ ଓ ସାଇକେଲ୍ ରାଲିକୁ ବାରଣ କରିଛନ୍ତି ନିର୍ବାଚନ କମିଶନ । ଘର ଘର ବୁଲି ପ୍ରଚାର ବେଳେ ସର୍ବାଧିକ ୫ ଜଣ ରହିବେ । ପଥପ୍ରାନ୍ତ ସଭାରେ ସର୍ବାଧିକ ୫୦ ଲୋକ ରହିପାରିବେ । ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ସର୍ବାଧିକ ୨୦୦ କିମ୍ବା ମୋଟ କ୍ଷମତାର ୩୦ ପ୍ରତିଶତ ଲୋକ ସାମିଲ ହୋଇପାରିବେ । ଷ୍ଟାର ପ୍ରଚାରକଙ୍କ ସଭାରେ ସର୍ବାଧିକ ୧ ହଜାର ଲୋକଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଯାଇଛି । ଅନ୍ୟ ସଭାସମିତିରେ ୫୦୦ ଲୋକ ହିଁ ରହିପାରିବେ ।

Comments are closed.