ଚାଲିଗଲେ ଦରଦୀ ଶ୍ରମିକ ନେତା ଦୁର୍ଗାପ୍ରସାଦ

ସମ୍ବଲପୁର: ସମ୍ବଲପୁରର ଚଳନ୍ତି ଇତିହାସ ବୋଲି କୁହାଯାଉଥିବା ମହାନ ବ୍ଯକ୍ତିତ୍ବର ଅଧିକାରୀ ପ୍ର. ଦୁର୍ଗା ପ୍ରସାଦ ନାୟକଙ୍କ ଗତକାଲି ସନ୍ଧ୍ଯା ୭ଟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହେଇଥିଲା।

୧୯୨୪ ଅକ୍ଟୋବର ୧ ତାରିଖ ଦୁର୍ଗାଷ୍ଟମୀରେ ସମ୍ବଲପୁର ପଟ୍ଟନାୟକପଡା ଭଡା ଘରେ ଜନ୍ମ ଗ୍ରହଣ କରିଥିବା ଦୁର୍ଗା ପ୍ରସାଦ ନାୟକଙ୍କ ପିତା ଥିଲେ ଉଗ୍ରସେନ ଓ ମାତା ଯମୁନା। ମାମୁଁ ଘର କୁମ୍ଭାରୀ। ୫ ଭାଇରେ ସେ ଥିଲେ ଜ୍ଯେଷ୍ଠ। ପୈତୃକ ଗ୍ରାମ ବରଗଡ ଜିଲ୍ଲା କୁକେତିରା ନିକଟସ୍ଥ ବନହରରେ ପ୍ରାଥମିକ ଶିକ୍ଷା, ସମ୍ବଲପୁର ପଟ୍ଟନାୟକପଡା ମିଇ  ସ୍କୁଲ, ଜିଲ୍ଲା ସ୍କୁଲ ଓ ସମ୍ବଲପୁର କଲେଜରେ ପ୍ରଥମ ବ୍ଯାଚରେ (୧୯୪୪) ଅଧ୍ଯୟନ କରିଥିଲେ। ୧୯୪୫ ଓ ୧୯୪୭ରେ ଦୁଇ ଥର ସେ ଉତ୍କଳ ବିଶ୍ବବିଦ୍ଯାଳୟ ଆନ୍ତ କଲେଜ ବକ୍ତ୍ରୁତା ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲେ।

ସେ ଏଲାହାବାଦରେ ବାଣିଜ୍ଯରେ ଏମ୍ କମ୍ ଶିକ୍ଷା ଗ୍ରହଣ କରିଥିଲେ। ସ୍କୁଲ ଜୀବନରୁ ସେ ରାଜନୀତି ସାହିତ୍ୟ ଅଧ୍ଯୟନ ପ୍ରତି ଆଗ୍ରହୀ ହେବା ସହିତ ସ୍ବାଧୀନତା ଆନ୍ଦୋଳନ ସହିତ ଯୋଡି ହୋଇଥିଲେ। ସୋନପୁର  ଓ ବୌଦ୍ଧ ପ୍ରଜା ଆନ୍ଦୋଳନ ପାଇଁ ମଧ୍ଯ କାର୍ଯ୍ୟ କରିଥିଲେ। ୧୯୪୨ ଭାରତ ଛାଡ ଆନ୍ଦୋଳନ ରେ ସାମିଲ ହୋଇଥିଲେ ମଧ୍ଯ ଗିରଫ ଏଡାଇବାରେ ସଫଳ ହୋଇଥିଲେ। ୧୯୪୫ ରୁ ୧୯୪୭ ପର୍ଯ୍ୟନ୍ତ ସ୍ବାଧୀନତା ଆନ୍ଦୋଳନର ପ୍ରତ୍ଯେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ୧୯୪୫ରେ ସମ୍ବଲପୁର ଛାତ୍ର ସଂଗଠନ ଆରମ୍ଭ କରିବାରେ ତାଙ୍କର ପ୍ରମୁଖ ନେତୃତ୍ବ ରହିଥିଲା।

ରାଜେନ୍ଦ୍ର କଲେଜ, ବଲାଙ୍ଗିରରେ ଅଧ୍ଯାପନା ଜୀବନ ପ୍ରାରମ୍ଭ କଲାପରେ ମେହେର କଲେଜ ଓ ରେଭେନ୍ସା କଲେଜରେ ଅବସ୍ଥାପିତ ଥିଲେ। ଟ୍ରଷ୍ଟଫଣ୍ଡ କଲେଜର  ଅଧ୍ଯକ୍ଷ ହେବାସହ ସୋନପୁର କଲେଜରେ ଅଧ୍ଯକ୍ଷ ଥିବାବେଳେ ଅବସର ଗ୍ରହଣ କରିଥିଲେ।

ସମ୍ବଲପୁର ବିଶ୍ବବିଦ୍ୟାଳୟର ଏନଏସଏସ ର ପ୍ରତିଷ୍ଠାତା ପ୍ରୋଗ୍ରାମ କୋଅର୍ଡିନେଟର ଭାବରେ ୧୦ ବର୍ଷ ଧରି ସେ ବହୁ ମହତ୍ବପୂର୍ଣ୍ଣ କାର୍ଯ୍ୟ କରାଇଥିଲେ। ମାନ୍ନା ବାଂଲାଦେଶୀ ଶରଣାର୍ଥୀ ଶିବିରରେ ଏକବର୍ଷ ଧରି ଶିବିର କରାଇଥିଲେ। ସେ ୟୁଜିସି ର ଦୁଇଟି ମହତ୍ବପୂର୍ଣ୍ଣ କମିଟୀର ସଦସ୍ଯ ଥିଲେ।

ଶ୍ରମ ଆଇନକୁ ସଠିକ ଭାବରେ ଲାଗୁ କରିବା ଉପରେ ନିରନ୍ତର କାର୍ଯ୍ୟ କରିଥିଲେ। ତାଙ୍କର ଯୁକ୍ତି ଓ ପରାମର୍ଶକୁ କେନ୍ଦ୍ର ସରକାର ମଧ୍ଯ ଗ୍ରହଣ କରିଥିଲେ। ୧୯୯୧ରେ ଗୋଟିଏ ଦିନରେ ନୂଆଁଖାଇ ନିଷ୍ପତ୍ତି ଗ୍ରହଣ ପାଇଁ ଆୟୋଜିତ ସଭାରେ ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି ଭାବରେ ଅଧ୍ଯକ୍ଷତା କରିଥିଲେ। ଦୈନିକ ଅଗ୍ନିଶିଖାର ସେ ଥିଲେ ମୁଖ୍ଯ ସଂପାଦକ। ସେ ଥିଲେ ସୁବକ୍ତା ତଥା ବଳିଷ୍ଠ ଲେଖକ। ତାଙ୍କର ବହୁ ରଚନା ବହୁ ପତ୍ର ପତ୍ରିକାରେ ପ୍ରକାଶ ପାଇଛି ।

ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ବଡପୁଅ ଡାକ୍ତର ଅଶ୍ବିନୀ ଜଣେ ସୁନାମଧନ୍ୟ ଚିକିତ୍ସକ ଥିବା ବେଳେ ସାନପୁଅ ଶରତ ଓକିଲ ଅଛନ୍ତି । ଏକମାତ୍ର ଝିଅ କବିତା ପୁରୋହିତ ବିଜେଡି ନେତ୍ରୀ ଭାବେ ଜଣାଶୁଣା । ପ୍ରଫେସର ନାୟକଙ୍କ ପତ୍ନୀ ସ୍ବର୍ଗତା ସୈରେନ୍ଦ୍ରୀ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଥିଲେ| ଦୀର୍ଘ ବର୍ଷ ତଳୁ ତାଙ୍କ ଦେହାନ୍ତ ହୋଇସାରିଥିଲା । ଆଜି ସ୍ଥାନୀୟ ରାଜଘାଟରେ ତାଙ୍କ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଛି ।

Comments are closed.