ହରିଶଙ୍କର ମିଶ୍ର, ପୁରୀ
ଆଶ୍ବିନ ମାସ କ୍ରୁଷ୍ଣ ପ୍ରତିପଦା ଠାରୁ ଅମାବାସ୍ଯା ପର୍ଯ୍ୟନ୍ତ ୧୫ ଦିନକୁ ପିତ୍ରୁପକ୍ଷ କୁହାଯାଏ। ବିଶ୍ବାସ ଅଛି ଯେ ଏହି ସମୟରେ ପିତ୍ରୁଲୋକ ମାନେ ସୁକ୍ଷ୍ମ ରୁପରେ ମର୍ତ୍ତ୍ଯ କୁ ଆସିଥାଆନ୍ତି। ଏବଂ କାର୍ତ୍ତିକ ଅମାବାସ୍ଯା ବା ଦୀପାବଳୀ ଅମାବାସ୍ଯା ଦିନ ପୟାଶ୍ରାଦ୍ଧ ପରେ ସ୍ବସ୍ଥାନ ଗମନ କରନ୍ତି। ସେଥିପାଇଁ ସେଦିନ କାଉଁରିଆ କାଠି ଜଳାଇ କୁହାଯାଇଥାଏ ଯେ”ପିତ୍ରୁଲୋକଂ ପରିତ୍ଯଜ୍ଯ ଆଗତା ଯେ ମହାଳୟେ। ଉଜ୍ଜ୍ବଳଂ ଜ୍ଯୋତିଷାଂ ମାର୍ଗେ ସାବଧାନା ବ୍ରଜନ୍ତୁ ତେ” ଏହି ପିତ୍ରୁପକ୍ଷରେ ବ୍ରାହ୍ମଣ ମାନେ ପ୍ରତ୍ଯେକ ଦିନ ତର୍ପଣ ଓ ବୈଶ୍ବଦେବ କରିଥାଆନ୍ତି। ଏହି ତର୍ପଣରେ ବ୍ରାହ୍ମଣ ସ୍ନାନ ପରେ ଶୁଦ୍ଧ ବସ୍ତ୍ର ପରିଧାନ ପୂର୍ବକ ଚନ୍ଦନ ତିଳକ ଧାରଣ ପରେ ସ୍ବଗ୍ରୁହ, ନଦୀ ବା ପୁଷ୍କରିଣୀ ତଟ,ଆବଶ୍ଯକ ସ୍ଥଳେ ପାହାଡ଼ ନିକଟରେ ତର୍ପଣ କରିବା ବିଧେୟ।
ତର୍ପଣ ପାଇଁ କୁଶ, ରାଶି, ଅରୁଆ ଚାଉଳ ପଣସ ପତ୍ର, ଚନ୍ଦନ, ଫୁଲ ତମ୍ବା ପାତ୍ରୀ ଆବଶ୍ଯକ ହୋଇଥାଏ। କର୍ତ୍ତା କୁଶାସନ ଉପରେ ପୂର୍ବ ମୁଖ ହୋଇ ତ୍ରିକସ୍ଛାସନ ବାନ୍ଧି ତର୍ପଣ କରିଥାଆନ୍ତି।
ତର୍ପଣରେ ବିଶ୍ବ ଦେବ ଭାବେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ବିବିଧ ବର୍ଗର ଆଚାର୍ଯ୍ୟ ଆଦି ୩୦ ଜଣଙ୍କୁ ଜଳ ଦିଆଯାଏ। ତାପରେ ସନକ, ସନନ୍ଦ ଆଦି ସପ୍ତ ମନୁଷ୍ଯଙ୍କୁ ଜଳ ଦିଆଯାଏ। ତାପରେ ଗୋତ୍ର ସହ ନାମ ଉଚ୍ଚାରଣ କରି ପିତାଙ୍କ ୩ପୁରୁଷ, ମାତାଙ୍କ ୩ପୁରୁଷ, ଅଜାଙ୍କ ୩ପୁରୁଷ, ଆଇଙ୍କ ୩ ପୁରୁଷଙ୍କୁ ସ୍ବତନ୍ତ୍ର ଭାବେ ରାଶି ମିଶ୍ରିତ ଜଳ ଦିଆଯାଏ। ପ୍ରତ୍ୟେକ ଜଳଦାନ ପୁର୍ବରୁ ଆବାହନ, ନମସ୍କାର ଓ ଶେଷରେ ନମସ୍କାର କରାଯାଏ। ଏଥିସହିତ ସ୍ବର୍ଗତ ମାମୁଁ, ମାଇଁ,ଜ୍ଯେଷ୍ଠ ପିତା, କନିଷ୍ଠ ପିତା, ଜ୍ଯେଷ୍ଠ ଭ୍ରାତା ଓ ତାଙ୍କ ପତ୍ନୀ, ଦୀକ୍ଷା ଗୁରୁଙ୍କୁ ଜଳଦାନ କରାଯାଇଥାଏ।
ଏହି ଜଳଦାନ ସ୍ରୁଷ୍ଟିର ପ୍ରତ୍ଯେକ ଜୀବସତ୍ତା ପାଇଁ ଉଦ୍ଦିଷ୍ଟ ଥିବାରୁ ଓଁ “ଦେବାସୁରାସ୍ତଥା ଯକ୍ଷ ନାଗା ଗନ୍ଧର୍ବ ରାକ୍ଷସାଃ ପିଶାଚା ଗୁହ୍ଯକା ସିଦ୍ଧାଃ କୁଷ୍ମାଣ୍ଡା ସ୍ଥାବରା ଖଗାଃ ଜଳେଚରା ଭୁନିଳୟା ବାୟୋହାରାଶ୍ଚ ଜନ୍ତବଃ ତ୍ରୁପ୍ତିମେତେ ପ୍ରୟାନ୍ତ୍ବାଶୁ ମଦ୍ଦରେନାମ୍ବୁନା ଖିଳାଃ ସ୍ମରଣ ପୂର୍ବକ ଏକ ପାତ୍ରୀ ଜଳଦାନ କରାଯାଏ । ଅର୍ଥାତ୍ ଜଳ ସ୍ଥଳ ଓ ଆକାଶରେ ପ୍ରାଣ ତ୍ଯାଗ କରିଥିବା ସମସ୍ତଙ୍କୁ ଜଳଦାନ କରାଯାଇଥାଏ।
ଭୀଷ୍ମ ଅବିବାହିତ ଥିବାରୁ ତାଙ୍କର ଶ୍ରାଦ୍ଧ ଓ ତର୍ପଣ ପ୍ରତ୍ଯେକ ବ୍ରାହ୍ମଣ କରୁଥିବାରୁ ତାଙ୍କର ଗୋତ୍ର (ବୈୟାଘ୍ରପଦ୍ଯ) ନାମ ଉଚ୍ଚାରଣ କରି ଏକ ପାତ୍ରୀ ଜଳ ଦିଆଯାଏ।
ଆମର ଧାର୍ମିକ ବିଶ୍ବାସରେ ନର୍କର ସ୍ଥିତି ସ୍ବୀକାର କରାଯାଉଥିବାରୁ ନର୍କ ଯନ୍ତ୍ରଣା ଭୋଗୁଥିବା ଆତ୍ମାମାନଙ୍କୁ ବି ଜଳଦାନ କରାଯାଏ। ଏହାପରେ “ଓଁ ଆବ୍ରହ୍ମସ୍ତମ୍ବପର୍ୟ୍ଯନ୍ତଂ ଜଗଦେଚଚ୍ଚରାଚରଂ ମୟା ଦତ୍ତ ଦୋଯେଗ ତ୍ରୁପ୍ଯନ୍ତୁ ଭୁବନତ୍ରୟଂ” ମନ୍ତ୍ର ପାଠ ପୂର୍ବକ ଜଗତର ସମସ୍ତ ଆତ୍ମା ପାଇଁ ଜଳଦାନ କରାଯାଏ। ଶେଷରେ ଅପୁତ୍ରିକ ବା ଗୋତ୍ର ଜଣାନଥିବା ଆତ୍ମୀୟମାନଙ୍କ ପାଇଁ ଗୋଟିଏ ପାତ୍ରୀ ଜଳଦାନ କରାଯାଇ ତର୍ପଣ ଶେଷ କରାଯାଏ। ତର୍ପଣ ଶେଷଦିନ ଅମାବାସ୍ଯାରେ ପିତ୍ରୁକୂଳର ୩ପୁରୁଷ ସହ ମାତ୍ରୁକୂଳର (ଅଜାଘର)ର ୩ ପୁରୁଷମାନଙ୍କୁ ପିଣ୍ଡ ଦିଆଯାଉଥିବାରୁ ଏହି ଶ୍ରାଦ୍ଧକୁ ମହାଳୟା ବା ମଉଳା ଶ୍ରାଦ୍ଧ କୁହାଯାଏ। ପ୍ରତ୍ଯେକ ବ୍ରାହ୍ମଣ ଏହି ସମୟ ମଧ୍ଯରେ ସ୍ତ୍ରୀ, ତୈଳ, ସୁକୋମଳ ଶଯ୍ୟା, ପରପାକର ଅନ୍ନ ଭକ୍ଷଣ ମିଥ୍ଯା,କଳହରୁ ନିବ୍ରୁତ ରହି ଶୁଦ୍ଧ ପୂତ ଆଚରଣରେ ବ୍ରତୀ ହୋଇଥାନ୍ତି। ଏହି ପକ୍ଷରେ ଅନେକେ ମଧ୍ଯ ଗୟାରେ ଶ୍ରାଦ୍ଧ ଦେବାକୁ ବି ଯାଇଥାନ୍ତି। ଯିଏ ନିଷ୍ଠାପର ଭାବେ ଏହି ତର୍ପଣ କରିଥାଆନ୍ତି ସେ ଏହାର ବାସ୍ତବ ଉପଲବ୍ଧି କରିଥାନ୍ତି। ଯେଉଁମାନେ ପିତ୍ରୁପକ୍ଷରେ ତର୍ପଣ ଶ୍ରାଦ୍ଧ କରନ୍ତି ନାହିଁ ସେମାନଙ୍କ ପିତ୍ରୁପୁରୁଷ ଭଗ୍ନ ମନରେ ଫେରି ଯାଇଥାନ୍ତି। ଏବଂ ପ୍ରାରବ୍ଧ ଭାବେ ପିତ୍ରୁ ଅଭିଶାପ ପ୍ରାପ୍ତ ହୋଇଥାନ୍ତି। ଚଳିତ ବର୍ଷ ଏହି ପକ୍ଷ ୨୧। ୯। ୨୦୨୧ରୁ ୬। ୧୦। ୨୦୨୧(ତିଥିକ୍ଷୟ ଯୋଗୁ ୧୬ ଦିନ) ପାଳନ କରାଯିବା ପାଇଁ ନିର୍ଦ୍ଧାରିତ ରହିଛି। ଆମର ସବୁ ଶୁଭ କାର୍ଯ୍ୟରେ ଜଗତର ହିତ ଓ ଶାନ୍ତି ପାଇଁ ପ୍ରାର୍ଥନା କରାଯାଏ। ସେଥିପାଇଁ ଆମ ଧାର୍ମିକ ବ୍ଯବସ୍ଥା ଅନନ୍ଯ।
ଜୟ ଶ୍ରୀଜଗନ୍ନାଥ
ଲେଖକ ଜଣେ ବିଶିଷ୍ଟ ସ୍ତମ୍ବକାର, ପାଞ୍ଜି ସମୀକ୍ଷକ ଏବଂ ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭାର ବରିଷ୍ଠ ସଦସ୍ୟ ତଥା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପୂର୍ବତନ ବରିଷ୍ଠ କର୍ମଚାରୀ
Comments are closed.