କନ୍ଧମାଳର ମାଉଣ୍ଟେନ୍‌ମ୍ୟାନ୍- ବାଦେପାଙ୍ଗାର ଧନେଶ୍ଵର

ବିହାର ରାଜ୍ୟ ଗୟା ଜିଲ୍ଲା ଗେହଲାଉର ଗାଁର ଦାଶରଥୀ ମାଞ୍ଝି। ୭୩ ବର୍ଷ ବୟସରେ ୨୦୦୭ ମସିହାରେ ତାଙ୍କର ବିୟୋଗ ଘଟିଥିଲେ ହେଁ ସେହି ଚରିତ୍ର ଏବେ ବି ଭାରତୀୟ ଜନଜୀବନରେ ଅନେକ ସମୟରେ ଚର୍ଚ୍ଚାକୁ ଆସି ଥାଏ। କାରଣ ସେ ଏକାକୀ ନିଜ ପରିଶ୍ରମରେ ଯେଭଳି ପାହାଡ଼ ଖୋଳି ଖୋଳି ରାସ୍ତାଟିଏ ତିଆରି କରିଥିଲେ ତାହା ଥିଲା ଏକ ଅଦ୍ଵିତୀୟ ଉଦାହରଣ। ମାସେ କି ବର୍ଷେ ନୁହେଁ, ଏଥିପାଇଁ ତାଙ୍କୁ ୨୨ ବର୍ଷ କାଳ ଲାଗିଥିଲା। ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଭ୍ରମରବାଡ଼ି ପଞ୍ଚାୟତ ବାଦେପାଙ୍ଗା ଗ୍ରାମର ଧନେଶ୍ୱର ପ୍ରଧାନ ବର୍ତ୍ତମାନ ସେହିପରି ଏକ ନଜିର ସୃଷ୍ଟି କରିପାରିଛନ୍ତି। ଏକ ଛୋଟିଆ ଗାଁ ହେଲେ ବି ନିଜସ୍ବ ଉଦ୍ୟମ ଓ ପରିବାର ଲୋକଙ୍କ ସହଯୋଗରେ ଏହି ଆଦିବାସୀ ଯୁବକ ଜଣକ ଦୁର୍ଗମ ଓ ଉପାନ୍ତ ଗାଁ ପାଇଁ ଏକ ରାସ୍ତା ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି।

ବାଦେପାଙ୍ଗା ଗାଁଟି ଦାରିଙ୍ଗବାଡ଼ି ବ୍ଲକ୍ ସଦର ମହକୁମା ଠାରୁ ୨୮ କିଲୋମିଟର ଦୂର ଜଙ୍ଗଲରେ ଅବସ୍ଥିତ। ବ୍ଲକ୍ ମୁଖ୍ୟାଳୟରୁ ଯୋଗାଯୋଗ ବ୍ୟବସ୍ଥା ଥିବା ନିକଟବର୍ତ୍ତୀ ଗାଁ କେରୁବାଡ଼ି ମଧ୍ୟ ଏଠାରୁ ୬ କିଲୋମିଟର ଦୂର। ଗାଁରେ ରହୁଛନ୍ତି ୧୦ଟି ପରିବାରର ୫୬ ଜଣ ବାସିନ୍ଦା। ଗ୍ରାମବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ କାରଣ ଗାଁକୁ ରାସ୍ତାଟିଏ ନାହିଁ। ଜଙ୍ଗଲ ଦେଇ ଗାଁକୁ ଯିବାକୁ ହୁଏ। ବର୍ଷା ହେଲେ କାଦୁଅ ପଙ୍କରେ ଭରି ଯାଉଛି। ପାହାଡ଼ ଉପରୁ ବର୍ଷା ପାଣି ସୁଅ ଆସି ଯାତାୟାତକୁ ବିପଦସଙ୍କୁଳ କରି ପକାଏ। ହେଲେ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀ ପଢ଼ା ସାରିଥିବା ଧନେଶ୍ୱରଙ୍କୁ ପିଲାଟି ଦିନରୁ ଗାଁର ଅବସ୍ଥା ବାଧୁଥିଲା। ସେ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମର ସବୁଠାରୁ ଶିକ୍ଷିତ ଯୁବକ। ପତ୍ନୀ, ତିନି ପୁଅ ଏବଂ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର। ଚାଷ ସାଙ୍ଗକୁ ମୁଲିଆ କାମ କରିବା ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାନ୍ତି ସେ। ଗ୍ରାମକୁ ରାସ୍ତା ଖଣ୍ଡିଏ ହେଲେ ବିଭିନ୍ନ ସରକାରୀ ସୁବିଧା ଆସିପାରିବ ବୋଲି ବହୁ ଦିନରୁ ବିଚାର କରିଥିଲେ ଧନେଶ୍ଵର। ଶେଷରେ ନିଜେ ପରିବାର ଲୋକଙ୍କ ସହଯୋଗରେ ଏହି କାମକୁ ପୁରା କରିବାକୁ ଅଣ୍ଟା ଭିଡ଼ିଥିଲେ।

ନିଜେ କେରୁବାଡ଼ି ଠାରୁ ବାଦେପାଙ୍ଗା ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରିବାକୁ ଚିନ୍ତା କରିଥିଲେ। ଗାଁ ଲୋକ ଆଗେଇ ଆସନ୍ତୁ କି ନ ଆସନ୍ତୁ, ପରିବାର ଲୋକଙ୍କୁ ଧରି ଧିରେ ଧିରେ ସେ ଏହି କାମକୁ ଆଗେଇ ନେଲେ। ଗତ ମାସକ ମଧ୍ୟରେ ପ୍ରାୟ ୫ କିଲୋମିଟରରୁ ଅଧିକ ଲମ୍ବର କଚ୍ଚା ରାସ୍ତାଟିଏ କରିଲେଣି। ମାଟି ଖୋଳି, ପଥର ହଟାଇ, ଗଛକୁ କାଟି ରାସ୍ତାକୁ ଧିରେ ଧିରେ ସଜାଡିବାରେ ଲାଗିଛନ୍ତି। ଆଉ ଅଳ୍ପ ଦୂର କାମ ହୋଇଗଲେ ବାଦେପାଙ୍ଗା ଗ୍ରାମକୁ ଯିବା ଆସିବାକୁ ରାସ୍ତାଟିଏ ପୁରା ହୋଇଯିବ। ଧନେଶ୍ୱରଙ୍କ ବ୍ୟକ୍ତିଗତ ଉଦ୍ୟମ ଅନ୍ୟମାନଙ୍କ ପାଇଁ ଏକ ଆଲୋକ ବର୍ତ୍ତିକା ସାଜିଛି କହିଲେ ଭୁଲ ହେବନାହିଁ। ସବୁ କଥାରେ ପ୍ରଶାସନ ଉପରେ ନିର୍ଭର ନକରି ନିଜ ଗାଁ, ନିଜ ଅଞ୍ଚଳ ପାଇଁ ନିଜେ କିଛି କରିବାର ଏହା ଏକ ବଳିଷ୍ଠ ଉଦାହରଣ ପାଲଟିଛି।

Comments are closed.