ସ୍ୱାସ୍ଥ୍ୟରୁ ସୌନ୍ଦର୍ଯ୍ୟକରଣ : ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି, ୮୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ, ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ

ଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ପାଇବେ ହେଲ୍‌ଥ କାର୍ଡ

ଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ, ଏହା ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଟିଟିଲାଗଡରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାରଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଜିଲ୍ଲାର ସାଢେ ଚାରି ଲକ୍ଷ ପରିବାର ଏହି ସୁବିଧା ପାଇବେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ପାଟଣାଗଡରେ ମୁଖ୍ୟମନ୍ତ୍ରୀ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ସ୍ମାର୍ଟ ହେଲ୍‌ଥ କାର୍ଡର ବ୍ୟବସ୍ଥା ସାଧାରଣ ଲୋକଙ୍କର ଚିକିତ୍ସା ବ୍ୟବସ୍ଥାରେ ରୂପାନ୍ତର ଆଣିପାରିବ ବୋଲି ମତ ଦେଇଥିଲେ। ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରାଯାଇ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସବୁ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ଦିଆଯାଉଛି । ଏଭଳି ବ୍ୟବସ୍ଥା କରିବାରେ ଓଡିଶା ସାରା ଦେଶର ଏକମାତ୍ର ରାଜ୍ୟ । ସାରା ଓଡିଶାରେ ୯୬ ଲକ୍ଷ ପରିବାର ଏହି ସୁବିଧା ପାଉଥିବା ବେଳେ, ବଲାଙ୍ଗୀର ଜିଲ୍ଲାର ସାଢେ ଚାରି ଲକ୍ଷ ପରିବାର ଏହି ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଡ ପାଖରେ ରହିଲେ, ଚିକିତ୍ସା ପାଇଁ କୌଣସି ଡକୁମେଣ୍ଟ ଦରକାର ନାହିଁ । କେବଳ କାର୍ଡଟିକୁ ନେଇ ଲୋକମାନେ ଦେଶର ୨୦୦ ବଡ ବଡ ହସପିଟାଲରେ ବିନା ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ପାଇପାରିବେ । ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିବ।

ଟଙ୍କା ପାଇଁ କେହି ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ, ଏହା ହିଁ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ । ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତେ ସୁସ୍ଥରେ ରହିଲେ ହିଁ ରାଜ୍ୟର ପ୍ରଗତି ହୋଇପାରିବ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ ଗସ୍ତ କରି ସେଠାରେ ଅନେକ ନୂଆ ପ୍ରକଳ୍ପ ଆରମ୍ଭ କରିଥିଲେ । ଟିଟିଲାଗଡ-ସଇଁତଳା ବ୍ଲକ୍‌ରେ ସଂପୂର୍ଣ୍ଣ ହୋଇଥିବା ପାଇପ ପାଣି ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ଟିଟିଲାଗଡ ଟାଉନ୍‌କୁ ସବୁ ଘରକୁ ପାଇପ ପାଣି ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଥିଲେ ।

ପାଟଣାଗଡରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପ ମଧ୍ୟରେ ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହରିଶଙ୍କର ପୀଠ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ତୀର୍ଥକ୍ଷେତ୍ର ହେବା ସହିତ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ । ଏଠାକୁ ଆସୁଥିବା ଭକ୍ତମାନଙ୍କୁ ଏକ ସୁନ୍ଦର, ଆଧ୍ୟାତ୍ମିକ ଅନୁଭୂତି ଦେବା ପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ପୀଠର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା ଏ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ପ୍ରଚାର ପ୍ରସାର ବୃଦ୍ଧି ହେବ ବୋଲି ସେ କହିଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସେଠାରେ ମଧ୍ୟ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଓ ସ୍ବାସ୍ଥ୍ୟ ହେଉଛି ଆମ ସବୁ ବିକାଶର ମୂଳଦୂଆ । ସେଥିପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ଦୁଇଟି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଆରୋପ କରୁଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ସହିତ ସବୁ ସରକାରୀ ହସ୍‌ପିଟାଲରେ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ୫-ଟିରେ ରାଜ୍ୟର ସ୍କୁଲ ଗୁଡିକର ରୂପାନ୍ତର କରାଯାଉଛି ଓ ପ୍ରଥମ ପର୍ଯ୍ୟାୟରେ ୧୦୭୨ଟି ସ୍କୁଲର ରୂପାନ୍ତର କରାଯାଉଛି ବୋଲି ସେ କହିଥିଲେ ।

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସନ୍ଥ ଭୀମଭୋଇ ମେଡିକାଲ କଲେଜ ପରେ ଏହା ହେଉଛି ଜିଲ୍ଲାର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ । ଏହାକୁ ଏକ ଆଦର୍ଶ ବିଶ୍ବବିଦ୍ୟାଳୟ ରୂପେ ଗଢିତୋଳିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହଯୋଗ କାମନା କରି ଏହାଦ୍ବାରା ବିକାଶ ଓ ସେବା ପାଇଁ ତାଙ୍କର ସଂକଳ୍ପ ଆହୁରି ମଜବୁତ ହେବ ବୋଲି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ନବ ଦାସ, ଟୁକୁନି ସାହୁ, ଦିବ୍ୟଶଙ୍କର ମିଶ୍ର, ସାଂସଦ ସଙ୍ଗୀତା ସିହଦେଓ , ବିଧାୟକ ନରସିଂହ ମିଶ୍ର, ବିଧାୟକ ସରୋଜ ମେହେର, ସନ୍ତୋଷ ସିଂ ସାଲୁଜା, ମୁକେଶ ମହାଲିଙ୍ଗ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଏବଂ ଅନେକ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ ।

Comments are closed.