ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ଥିଲେ ମଣିଦାସ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ ଲୀଳାମୃତ ମଧ୍ୟରୁ ଭକ୍ତ ମଣିଦାସ କଥାଟି ପ୍ରଭୁଙ୍କ ଭକ୍ତ ବତ୍ସଳ ତାର ଏକ ନିଛକ ଉଦାହରଣ।
“ଶରଣ ରକ୍ଷକ ଯା ବାନା, ନ ସହେ ସେକା ବେଦନା।”
ସେତ ଭକ୍ତବତ୍ସଳ ମହାପ୍ରଭୁ ଜଗନ୍ନାଥ ନିଜ ଭକ୍ତଙ୍କ ନିମନ୍ତେ କ’ଣ କରି ନ ପାରନ୍ତି !
ସେ ହେଉଛନ୍ତି ଅନ୍ତର୍ଯ୍ୟାମୀ, କାଠର ଦେବତା। ତାଙ୍କର ହାତ, ଗୋଡ଼ ନାହିଁ। ସେ କିନ୍ତୁ ଦାସିଆ ବାଉରୀ ହାତରୁ ନଡିଆ ନିଅନ୍ତି। ବନ୍ଧୁମହାନ୍ତିଙ୍କୁ ସୁନା ଥାଳିରେ ଅମୃତ ପରସନ୍ତି। ଆଖି ନାହିଁ, କାନ ନାହିଁ। ସେ କିନ୍ତୁ ଲକ୍ଷେ ଯୋଜନ ଦୂରରୁ ଗଜକୁ ଉଦ୍ଧାରନ୍ତି। ମୃଗୁଣୀକୁ ବ୍ୟାଧ ଜାଲରୁ ରକ୍ଷା କରନ୍ତି।
ସେ ଅରକ୍ଷ ରକ୍ଷକ। ବିଶ୍ୱପାଳକ। ମଙ୍ଗଳମୟ । କରୁଣାସାଗାର। ଦୁଃଖହାରୀ। ତାଙ୍କ ମହିମା, ମାହାତ୍ମ୍ୟ ଓ ଲୀଳା ଅବର୍ଣ୍ଣନୀୟ।….
ଅନେକ ଦିନ ତଳର କଥା। ପୂଣ୍ୟ ପୁରୁଷୋତ୍ତମ ରେ ରହୁଥିଲେ ମଣିଦାସ ନାମକ ଜଣେ ଭକ୍ତ । ବାଲ୍ୟକାଳରୁ ଭକ୍ତିଭାବ ମହାପ୍ରଭୁଙ୍କ ପ୍ରତି ରହିଥିଲା। ଅକାଳ ଦୁର୍ଭିକ୍ଷରେ ପରିବାର, କୁଟୁମ୍ଭ ନାଶ ଗଲେ l ସାଧାରଣ ମନୁଷ୍ୟ ତ ଟିକିଏ ବିପଦ ପଡ଼ିଲେ ନିଜର କୁକର୍ମର ଫଳ ସ୍ୱରୂପ ଭଗବାନଙ୍କୁ ଗାଳି ଦିଏ। ( ନଚେତ୍ ଭଗବାନ କାହାକୁ ଦୁଃଖ କାହିଁ ଦେବେ ଅକାରଣରେ, ସେ ତ ସମଦର୍ଶୀ, ନ୍ୟାୟୀ ) l କିନ୍ତୁ ମଣିଦାସଙ୍କ ଭକ୍ତି ଚେତନା ଥିଲା ଉଚ୍ଚ ସ୍ତରରେ l ଭାବିଲେ “ପ୍ରଭୁଙ୍କ କୃପା ମୋ ପ୍ରତି, ସଂସାରର ଜଞ୍ଜାଳ, ମାୟାମୋହର ବନ୍ଧନ କାଟିଦେଲେ । ଏବେ ନିଶ୍ଚଳ ମନରେ ତାଙ୍କ ଭଜନ କରିବି l”
ବୈଷ୍ଣବ ବେଶ ଧରିଲେ l କଣ୍ଠରେ ତୁଳସୀ ମାଳ, ମୁଣ୍ଡରେ ତିଳକ l ହୃଦୟରୁ ଗୀତଭଜନ ଗାଇ ପ୍ରାଣ ପ୍ରିୟ ମହାପ୍ରଭୁଙ୍କୁ ଗେହ୍ଲାରେ ଖୁସି କରିବେ ପରା ! ସ୍ୱର ହୃଦୟର, ଏକାନ୍ତ ନିଜର l କିନ୍ତୁ ବାଦ୍ୟ ଯନ୍ତ୍ର କେଉଁଠୁ ପାଇବେ ? ଦୁଇ ଫାଳ ନଡ଼ିଆ ସଢ଼େଇ ମିଳିଲା lତାକୁ କାଖରେ ଜାକିଧରି ପାଦରେ ଘୁଙ୍ଗୁର ପିନ୍ଧି ପହଞ୍ଚିଗଲେ ଜଗମୋହନରେ l ଆଃକି ଅପୂର୍ବ ଆନନ୍ଦ ! ନିତି ସନ୍ଧ୍ୟା ଧୂପ ବେଳେ ଭୁବନମୋହନ କଳାଶ୍ରୀମୁଖକୁ ଚାହିଁ ଝର ଝର ଅନ୍ତରରେ ଆଖିରୁ ଲୁହ ଝରାଇ ଗାଇଚାଲିଲେ ସରଳ ଅବୋଧ ଭାଷାରେ ଅନ୍ତରର ଭାବ ଆବେଗ ଭରାଗୀତ …..
ସେ ସମୟରେ ଜଗମୋହନରେ ପୁରାଣ ଶାସ୍ତ୍ର ଚର୍ଚ୍ଚା ପ୍ରଚଳିତ ଥିଲା l ମଣିଦାସଙ୍କ ସଢ଼େଇ ତାଳ ସହ ଭାବମୟ ଉଦ୍ଦଣ୍ଡ ନାଚ ପୁରାଣ ପଣ୍ଡାଙ୍କ ଦେହରେ ଗଲାନି l ଲୋକ ଲଗେଇ ଗଳା ଧକା ଦେଇ ବଡ଼ ଦେଉଳରୁ ବାହାର କରିଦେଲେ ତାଙ୍କୁ l ଲାଂଛିତ ହୋଇ କାନ୍ଦି କାନ୍ଦି ମହାପ୍ରଭୁଙ୍କ ଶ୍ରୀମୁଖକୁ ଚାହିଁ ସଢ଼େଇ ଦୁଇ ଫାଳ ତଳେ ପକେଇ ଦେଇ ଚାଲିଗଲେ ଭକ୍ତ l କିଏ ବା ବୁଝିବ ତାଙ୍କ ମରମ କଥା ! ହେଲେ ଯାହା ପାଇଁ ସେ ଭାବରେ ହୃଦୟରୁ ଗାଉଥିଲେ ସେ ଭକ୍ତବତ୍ସଳ ଭାବ ବିନୋଦିଆ ଭଗବାନ କ’ଣ ସହିପାରିଥିବେ ଭୃତ୍ୟର ଅପମାନ?
ସନ୍ଧ୍ୟା ଧୂପ ବେଳକୁ ନିତି ଦିନ ପରି ମଣିଦାସ ନ ଯାଇ ରୁଷିକି ମୁହଁ ମାଡ଼ି ପଡ଼ିଥାନ୍ତି ଉପବାସରେ ଭଙ୍ଗା କୁଡ଼ିଆରେ l ସବୁଦିନ ପରି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସରିଲା, ଦେଉଳର ପହଡ଼ ପଡ଼ିଲା l ହେଲେ ଏଣେ ମହାପ୍ରଭୁଙ୍କ ନୟନରେ ନିଦ୍ରା ନାହିଁ, ମଣୋହୀ ବି କରିନାହାନ୍ତି ଷାଠିଏ ପଉଟି ଛପନଭୋଗୀ ସେ !
ଭକତ ବଶ୍ଚଳ ସେ। ଭକ୍ତର ବେଦନା ବୁଝି ପାରିଲେ !….
ଏଥି ଉତ୍ତାରୁ ଆଦିମୂଳ, ଯେ ପ୍ରଭୁ ଭକତବତ୍ସଳ l
ନସହେ ସେବକ ବେଦନା, ଏଥିନିମନ୍ତେ ଚକ୍ରେବାନା ଉଡ଼ୁଯେ ଅଛି ନିରନ୍ତରେ, ଭୃତ୍ୟଆରତ ଖଣ୍ଡି ବାରେ
ବ୍ୟଥିତ, କ୍ରୋଧିତ ମନ ହୃଦୟ ନେଇ ସ୍ୱୟଂ ଶ୍ରୀ ଜଗନ୍ନାଥ ଆବିର୍ଭାବ ହୁଅନ୍ତି ନିଦ୍ରାଗତ ଗଜପତି ନିକଟରେ। ମହାରାଜାଙ୍କୁ ସ୍ୱପ୍ନାଦେଶରେ, ଆବେଗ ଭରା ଥରଥର କଣ୍ଠରେ ଅଭିଯୋଗ ଭଙ୍ଗୀରେ କହିଲେ ଜଗତଜୀବନ, ଭକ୍ତ ପ୍ରାଣଧନ…
ଗଜପତି ! ତୁମେ ତ ନିଶ୍ଚିତରେ ନିଦ୍ରାଗତ l
ଆଦ୍ୟସେବକ ହୋଇ ପାଇଛ କି ଶ୍ରୀମନ୍ଦିରର ସମାଚାର ? ମୋର ଅତି ସରଳ ସ୍ନେହୀ ମଣିଆ ଦାସକୁ ତୁମ ପୁରାଣପଣ୍ଡା ଲାଂଛିତ କଲେ l ତାର ସେହି ସଢ଼େଇ ତାଳର ଅବୋଧ ନାଚଗୀତ ଥିଲା ମୋ ପାଇଁ ସେପରି ଅମୃତ ସମାନ । ଯେମିତି ତୁମ ପାଇଁ ତୁମ ସାନପୁଅର ଗେହ୍ଲେଇ ଗେହ୍ଲେଇ ଦୋରୋଟି କଅଁଳ ମଧୁର କଥା l ତେଣୁ ମୋର ଭକ୍ତ ନିକଟରେ କ୍ଷମାଭିକ୍ଷା କରି ମନ୍ଦିରକୁ ନ ଆଣିଲା ପର୍ଯ୍ୟନ୍ତ ମୋର ମଣୋହି ନାହିଁ l”
ତେଣୁ ମୁଁ ଉପବାସେ ଅଛି, ତାକୁ ମୁଁ ନପାରେ ମୂରୁଛି
ଭୃତ୍ୟନଇଲା ଯାଏମୋର, ମଣୋହି ନାହିଁଟିମୋହର
ପୁଣି ଆହୁରି କଠୋର ଆଦେଶ ଦେଇ କହିଲେ ରାଜାଧିରାଜ ଭାବଗ୍ରାହୀ ମହାପ୍ରଭୁ…..
ଭକତଜନ ଯହିଁ ମିଳି, ରଙ୍ଗେ ବଜାଇ କରତାଳି l
ମୋରଙ୍ଗା ଅଧରକୁ ଚାହିଁ,ମୋ ପଦପଦ୍ମକୁ ଯେ ଧ୍ୟାୟୀ ମୋ ନାମ କରିଣ କୀର୍ତ୍ତନ, ଆନନ୍ଦ କରୁଥିବେ ମନ ଭାବରେ ଯାଉଥିବେଗଡ଼ି, ଉଠିକପାଳେ କରଯୋଡ଼ି
ତାହା ମୁଁ ଶୁଣୁଥିବି ବସି,
ଭକତ ଜନ ମନ ତୋଷି ।
ଜଗମୋହନ ଏଥିପାଇଁ,
ଆନେମୋ ପ୍ରୟୋଜନ ନାହିଁ ପୁରାଣପଣ୍ଡା ଆଜିଠାରୁ,
ମୋ ଆଗେ ପୁରାଣ ନ କରୁ l
ପାରିଲେ ଲକ୍ଷ୍ମୀଙ୍କ ମୋହନେ,
ପୁରାଣ କରୁ ପ୍ରତିଦିନେ l
ଭୃତ୍ୟକୁ କଲେ ମୋର ଦୂର,
ସହିବି ନାହିଁ ନିରାଧାର ।
ସେତିକିରେ ମନ ବୁଝିଲାନି ମହାପ୍ରଭୁଙ୍କର l ସ୍ୱୟଂ ମଣିଦାସଙ୍କ ନିକଟକୁ ଯାଇ ସ୍ନେହରେ ବୁଝାଇ ତାକୁ ନିଜ ହାତରେ ଅମୃତ ଭୋଜନ କରାଇ ଶ୍ରୀ ମନ୍ଦିର ଫେରିଲେ l
ଏଣେ ଚକିତହୋଇ ନିଦ୍ରାରୁଉଠି ଗଜପତିଅନୁତପ୍ତ ହୋଇ ଚାଲିଲେ ସିଧା ମଣିଦାସଙ୍କ ନିକଟକୁ l ପାଦ ତଳେ ପଡ଼ି କ୍ଷମା ମାଗିଲେ l ପରଦିନ ଆଦରରେ ଗୌରବକରି ଶ୍ରୀମନ୍ଦିର ଅଣାଇ ସନ୍ଧ୍ୟାଧୂପ ସମୟ ରେ ଯଥାପୂର୍ବ ଗୀତନାଚ କରିବାକୁ ନିବେଦନ କଲେ l ରାଜାଙ୍କ ଆଦେଶରେ ସେହିଦିନରୁ ଜଗମୋହନରେ ପୁରାଣ ଚର୍ଚ୍ଚା ବନ୍ଦ ହେଲା l ଶ୍ରୀଜଗନ୍ନାଥଙ୍କ ସମ୍ମୁଖର ସେହିସ୍ଥାନ କେବଳ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସଂରକ୍ଷିତ ହୋଇ ରହିଛି ସେ ଦିନରୁ l
ଅନ୍ତରର ଭାବ, ଭକ୍ତି ରଙ୍କୁଣା ବୋଲି ସିନା ଏ ଲୀଳା ମହାପ୍ରଭୁଙ୍କର l ନ ହେଲେ ଅନନ୍ତ କୋଟି ବ୍ରହ୍ମାଣ୍ଡର ଅଧୀଶ୍ଵରଙ୍କୁ କି ଛନ୍ଦ, ତାଳ, ସ୍ୱରଯୁକ୍ତ ନୃତ୍ୟ ସଙ୍ଗୀତ ଅପୂର୍ଵ ! ବେଦ ବେଦାନ୍ତ, ପୁରାଣ ଚର୍ଚ୍ଚାକୁ ତ ସେ ସ୍ୱୟଂ ବେଦପତି ବ୍ରହ୍ମାଙ୍କର ମୁଖରୁ ବି କର୍ଣ୍ଣପାତ କରନ୍ତିନି !
ସେଥିପାଇଁ ତ ମହାପ୍ରଭୁ ଅନନ୍ୟ l ଅନ୍ତରରୁ ପଦେ ଗାଇଦେଲେ ପଦେ କହିଦେଲେ ଭାବ ଭରା ଆବେଗରେ ବା ଲୁହ ଦି ଟୋପା ଗଡ଼େଇ ଜଣେଇ ଦେଲେ ଅକୁହା କଥା କାନଡେରି ଅତି ଶରଧାରେ ବ୍ୟାକୁଳିତ ହୋଇ ଶୁଣିନିଅନ୍ତି ଭାବଗ୍ରାହୀ, ଗ୍ରହଣ କରି ନିଅନ୍ତି ସେହି ଭାବ । ନ ହେଲେ କି ସରଳ ମଣିଦାସ, ସୁରଦାସ ତାଙ୍କର ପ୍ରିୟ ହୋଇପାରିଥାନ୍ତେ l
ନୃତ୍ୟ ସଙ୍ଗୀତ ବିଶାରଦ ସ୍ୱର୍ଗର ଗନ୍ଧର୍ବ, ଅପ୍ସରାଗଣ ମାନେ ସେ ସ୍ଥାନ ନେଇଥାନ୍ତେ l ସେଥିପାଇଁ ସେ ଭାବର ଠାକୁର “ଭାବଗ୍ରାହୀ”।।