ବ୍ରହ୍ମା କହୁଛନ୍ତି :- ବେଦରୂପୀ ବାୟୁ ବହନ କରି ଆଣିଥିବା ଆପଣଙ୍କ ଚରଣକମଳ-କୋଷର ସୁଗନ୍ଧକୁ ଯେଉଁ ଲୋକେ ନିଜ କର୍ଣ୍ଣକୁହର ଦ୍ବାରା ସେବନ କରନ୍ତି, ସେମାନେ ବାସ୍ତବରେ ପରାଭକ୍ତି ରୂପୀ ଡୋରିରେ ଆପଣଙ୍କ ଚରଣକୁ ସେମାନଙ୍କ ହୃଦୟରେ ବାନ୍ଧିରଖନ୍ତି । ତେଣୁ ଆପଣ ସେମାନଙ୍କ ହୃଦୟକୁ ଛାଡ଼ି କଦାପି ଦୂରକୁ ଯାଆନ୍ତି ନାହିଁ । ଜୀବ ଯେପର୍ଯ୍ୟନ୍ତ ଆପଣଙ୍କ ଅଭୟପଦ ଚରଣାରବିନ୍ଦର ଆଶ୍ରୟ ନେଇ ନ ଥାଏ,ତାକୁ ସେପର୍ଯ୍ୟନ୍ତ ଧନଜନ,ଘରଦ୍ୱାର, ବନ୍ଧୁବାନ୍ଧବ, ଭୟ,ଶୋକ, ଲାଳସା, ଦୀନତା ଓ ଅତିଶୟ ଲୋଭ ଆଦି ଯନ୍ତ୍ରଣା ଦେଉଥାନ୍ତି ଏବଂ ସେପର୍ଯ୍ୟନ୍ତ ତାହାର “ମୁଁ ଓ ମୋର” ରୂପୀ ଦୂରାଗ୍ରହ ଗ୍ରାସକରି ରହିଥାଏ, ଯାହା କି ଦୁଃଖର ଏକମାତ୍ର କାରଣ । ଆପଣଙ୍କ ଚରଣରେ ଭକ୍ତି ହୋଇଗଲେ ସକଳ ପ୍ରକାର ଅମଙ୍ଗଳ ନଷ୍ଟ ହୋଇଯାଏ । ମନୁଷ୍ୟ ଯେପର୍ଯ୍ୟନ୍ତ ଇନ୍ଦ୍ରିୟ ଓ ବିଷୟରୂପୀ ମାୟାର ପ୍ରଭାବରେ ନିଜକୁ ଆପଣଙ୍କ ଠାରୁ ଭିନ୍ନ ବୋଲି ଦେଖୁଥିବ,ସେପର୍ଯ୍ୟନ୍ତ ତାକୁ ସଂସାରଚକ୍ରରୁ ଅବ୍ୟାହତି ମିଳିବ ନାହିଁ । ଯଦ୍ୟପି ଏହି ସଂସାର ଚକ୍ର ମିଥ୍ଯା, ତଥାପି ଏଠାରେ ଯେଉଁ କର୍ମ କରାଯାଏ ଓ ସେଥିରୁ ଯେଉଁ ଫଳମିଳେ, ତାହା ଦୁଃଖ ହିଁ ଦିଏ ଏବଂ ନାନାପ୍ରକାର କର୍ମରେ ମଜ୍ଜି ରହୁଥିବାରୁ ଜୀବ ଦୁଃଖରେ ପୀଡ଼ିତ ହେଉଥାଏ ।
ହେ ଦୟାମୟ ଭଗବାନ୍ ! କେବଳ ଶ୍ରବଣଭକ୍ତି ଦ୍ବାରା ଅର୍ଥାତ୍ ଆପଣଙ୍କର ଗୁଣଲୀଳା ଶ୍ରବଣ କରି କରି ହିଁ ଭକ୍ତ ଆପଣଙ୍କୁ ଲାଭ କରିବାର ମାର୍ଗ ପାଇ ଯାଆନ୍ତି ଏବଂ ଭକ୍ତଙ୍କର ଶ୍ରଦ୍ଧା ଓ ଭକ୍ତି ଦେଖି ଆପଣ ତାହାଙ୍କର ଭକ୍ତିପୂତ ନିର୍ମଳ ହୃଦୟକମଳକୁ ନିଜର ନିବାସସ୍ଥାନ କରିଦିଅନ୍ତି । ହେ ପ୍ରଭୁ ! ଭକ୍ତ ଆପଣଙ୍କୁ ଯେଉଁ ଭାବନାରେ ଚିନ୍ତନ କରନ୍ତି, ଆପଣ ତାହାଙ୍କୁ ସେହି ରୂପରେ ଦର୍ଶନ ଦିଅନ୍ତି ; ଏହା ଆପଣଙ୍କ ପରମ ଅନୁଗ୍ରହ । ହେ ପ୍ରଭୁ ! ଆପଣ ହେଉଛନ୍ତି ଅଦ୍ବିତୀୟ ଓ ସକଳ ପ୍ରାଣୀଙ୍କ ଅନ୍ତଃକରଣ ନିବାସୀ ସବୁରି ପରମ ହିତକାରୀ ଅନ୍ତରାତ୍ମା । ତେଣୁ ସକଳ ପ୍ରାଣୀଙ୍କ ପ୍ରତି ଦୟାଭାବ ରଖିଲେ ଆପଣ ଯେତେ ପ୍ରସନ୍ନ ହୁଅନ୍ତି, ମନରେ ନାନା ପ୍ରକାର କାମନା ପୋଷଣ କରି ବିବିଧ ପ୍ରକାର ବିପୁଳ ସାମଗ୍ରୀରେ ଆପଣଙ୍କୁ ଦେବତାମାନେ ପୂଜା କଲେ ମଧ୍ୟ ଆପଣ ସେପରି ପ୍ରସନ୍ନ ହୁଅନ୍ତି ନାହିଁ । ସୁତରାଂ ସକଳ ପ୍ରାଣୀଙ୍କୁ ଆପଣଙ୍କ ସ୍ବରୂପ ବୋଲି ଗ୍ରହଣ କରି ସମସ୍ତଙ୍କର ଅକୃତ୍ରିମ ସେବା କରିବା ହିଁ ହେଉଛି ଆପଣଙ୍କ ପ୍ରତି ସର୍ବୋତ୍କୃଷ୍ଟ ଭକ୍ତି ।