ରାଧାକୁଣ୍ଡ : ଦ୍ଵାପର ଯୁଗରେ ସୃଷ୍ଟି ହୋଇଥିବା ଶ୍ରୀରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ ସମୟ କ୍ରମେ ଅଦୃଶ୍ୟ ହୋଇଯାଇଥିଲେ। ଏହି ନାମ କେବଳ ଶ୍ରୀମଦ ଭାଗବତ ଓ ପଦ୍ମ ପୁରାଣ ଗ୍ରନ୍ଥରେ ସୀମିତ ରହିଥିଲା। ପଞ୍ଚଦଶ ଶତାବ୍ଦୀରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଆଗମନ ପରେ ଭକ୍ତି ଆନ୍ଦୋଳନ ଏକ ବ୍ୟାପକ ରୂପ ନେଇଥିଲା। ଏହି କ୍ରମରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଭୂମିର ଅନେକ ଲୁପ୍ତ ତୀର୍ଥ ଉଦ୍ଧାର ହୋଇଥିଲା। ଏହି ସମୟରେ ଶ୍ରୀଚୈତନ୍ୟ ମହାପ୍ରଭୁ ଶ୍ରୀକ୍ଷେତ୍ର ଦର୍ଶନ ପରେ ଶ୍ରୀଧାମ ବୃନ୍ଦାବନ ଯାତ୍ରା କରିଥିଲେ। ତାଙ୍କ ସହିତ ନିତ୍ୟ ପରିକର ହିସାବରେ ଷଡ଼ଗୋସ୍ୱାମୀ ଯଥା ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ, ଗୋପାଳ ଭଟ୍ଟ, ରଘୁନାଥ ଦାସ, ଶ୍ରୀଜୀବ ଗୋସ୍ୱାମୀ ଆଦି ଉଚ୍ଚ ଶିକ୍ଷିତ ବର୍ଗ ଯାତ୍ରା କରିଥିଲେ।
ଶ୍ରୀଧାମ ବୃନ୍ଦାବନର ଦ୍ୱାଦଶ ବନ ଭ୍ରମଣ ସମୟରେ ଶ୍ରୀଚୈତନ୍ୟ ମହାପ୍ରଭୁ ଏହି ଆରିଟ ଗ୍ରାମକୁ ଆଗମନ କରିଥିଲେ। ଆରିଟ ଗ୍ରାମବାସୀଙ୍କୁ ଶ୍ରୀରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ ସମ୍ପର୍କରେ ପଚାରିଥିଲେ। କିନ୍ତୁ ଆରିଟ ଗ୍ରାମବାସୀ ଏହି ଲୁପ୍ତ ତୀର୍ଥ ଦ୍ୱୟର କଥା କହି ପାରିଲେ ନାହିଁ। ଏପରିକି ତାଙ୍କ ସାଙ୍ଗରେ ଥିବା ମାଥୁର-ବିପ୍ର ମାନେ ମଧ୍ୟ ଏ ସମ୍ପର୍କରେ ନିରୁତ୍ତର ରହିଲେ। ତାହାପରେ ଏକ ନିର୍ଦ୍ଧିଷ୍ଟ ଧାନ ବିଲ ମଝିରେ ଶ୍ରୀମନ ମହାପ୍ରଭୁ ଶ୍ରୀରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ ସ୍ତୁତି ବୋଳିବାକୁ ଲାଗିଲେ। ସେତେବେଳେ ଏହି ଧାନ ବିଲ ଦ୍ୱୟର ନାମ ଥିଲା ‘କାଳୀ’ ଏବଂ ‘ଗୌରୀ’।
ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଆଦେଶରେ ରଘୁନାଥ ଦାସ ଗୋସ୍ୱାମୀ ଏହି ସ୍ଥାନରେ ଆସି ବାସ କଲେ। ଏବଂ ଏହି କୁଣ୍ଡ ଦ୍ୱୟର ସଂସ୍କାର କରିବାକୁ ପ୍ରଯତ୍ନ କଲେ। ଏଥିପାଇଁ ଆବଶ୍ୟକ ଅର୍ଥ ଅଲୌକିକ ଘଟଣା କ୍ରମରେ ଆସି ତାଙ୍କ ପାଖରେ ପହଁଚିଲା। କୌଣସି ଏକ ଧନୀକ ବ୍ୟକ୍ତି ବଦ୍ରିନାରାୟଣ ଯାଇ ସେଠାରେ ଠାକୁରଙ୍କୁ କିଛି ସ୍ୱର୍ଣ୍ଣ ମୁଦ୍ରା ପ୍ରଣାମି ଦେବାକୁ ଚାହିଁଲେ। କିନ୍ତୁ ସ୍ୱୟଂ ବଦ୍ରିନାରାୟଣ ସ୍ୱପ୍ନରେ କହିଲେ ହେ ବଣିକ ତୁମେ ମୋତେ ଯେଉଁ ସ୍ଵର୍ଣ୍ଣ ମୁଦ୍ରା ଦେବାକୁ ଚାହୁଁଛ ତାକୁ ମୋତେ ନଦେଇ ମୋର ପରମ ଭକ୍ତ ବୈଷ୍ଣବ ଚୁଡାମଣି ଶ୍ରୀରଘୁନାଥ ଦାସ ଗୋସ୍ୱାମୀଙ୍କୁ ଦେଇଆସ। ସିଏ ବୃନ୍ଦାବନରେ ବାସ କରୁଛନ୍ତି। ଯଦି ସିଏ ତୁମ ଅର୍ଥ ଗ୍ରହଣ ନ କରନ୍ତି ତେବେ କହିବ ଏହି ଅର୍ଥରେ ସିଏ ଶ୍ରୀକୁଣ୍ଡ ଦ୍ବୟ ଉଦ୍ଧାର କରିବେ। ଧନୀକ ବ୍ୟକ୍ତି ବୃନ୍ଦାବନରେ ପହଁଚି ଶ୍ରୀରଘୁନାଥ ଦାସ ଗୋସ୍ୱାମୀଙ୍କୁ ଶ୍ରୀବଦ୍ରୀ ବିଶାଳଙ୍କ ଆଦେଶ ଶୁଣାଇ ଅର୍ଥ ପ୍ରଦାନ କଲେ। ଏହାପରେ ସେହି ଅର୍ଥରେ ଶ୍ରୀ ଦାସଗୋସ୍ଵାମୀ କୁଣ୍ଡ ଦ୍ୱୟର ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ। ଯାହା ଆଜିର ଶ୍ରୀରାଧାକୁଣ୍ଡ-ଶ୍ୟାମକୁଣ୍ଡ ନାମରେ ପ୍ରସିଦ୍ଧି ଲାଭ କରିଛି। ଏହି କୁଣ୍ଡ ତୀରରେ ଅସଂଖ୍ୟ ଭକ୍ତ ଭଜନ କରି ବିଭୁକୃପା ପ୍ରାପ୍ତ ହେଉଛନ୍ତି।। କ୍ରମଶଃ..
Comments are closed.