୨୭ ସେପ୍ଟେମ୍ବର ପର୍ଯ୍ୟଟନ ଦିବସ ଅନ୍ତର୍ଜାତୀୟ ଟୁରିଜିମ୍ ଫିଲ୍ମ ଫେଷ୍ଟରେ ‘କଣ୍ଢେଇ ଯାତ୍ରା’ ପୁରସ୍କୃତ | News Room Odisha

୨୭ ସେପ୍ଟେମ୍ବର ପର୍ଯ୍ୟଟନ ଦିବସ ଅନ୍ତର୍ଜାତୀୟ ଟୁରିଜିମ୍ ଫିଲ୍ମ ଫେଷ୍ଟରେ ‘କଣ୍ଢେଇ ଯାତ୍ରା’ ପୁରସ୍କୃତ

ବ୍ରହ୍ମପୁର: ସେପ୍ଟେମ୍ବର ମାସର ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଉଛି। ପ୍ରକୃତି ନିଜ କୋଳରେ ସଜାଇ ରଖିଥିବା ଦର୍ଶନୀୟ, ଆକର୍ଷଣୀୟ ମନଲୋଭା ସ୍ଥାନକୁ ଦେଖି ଆନନ୍ଦ ଉଠାଇବା ସକାଶେ ଭ୍ରମଣ କରିବାକୁ ପ୍ରୋତ୍ସାହନ ଦେବା ପାଇଁ ପାଳିତ ହେଉଛି ଏହି ଦିବସ। ତେବେ ଏହି ଅବସରରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ସିନେ ମହୋତ୍ସବ (ଇଣ୍ଟରନ୍ୟାସନାଲ ଟୁରିଜିମ୍ ଫିଲ୍ମ ଫେଷ୍ଟିଭଲ)ରେ ରେଶମ ସହରର କଳା ସଂସ୍କୃତିକୁ ପ୍ରଦର୍ଶିତ କରୁଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘କଣ୍ଢେଇ ଯାତ୍ରା’ ୪ଟି ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହେବା କଳା ଓ ସିନେ ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଆଣି ଦେଇଛି।

ବ୍ରହ୍ମପୁରର ପ୍ରାୟ ୩ ଶହ ବର୍ଷରୁ ଅଧିକ ପୁରୁଣା ବଡ଼ବଜାର ଅଞ୍ଚଳର କଣ୍ଢେଇ ଯାତ୍ରା ଯାହା ବାହୁଡ଼ା ଯାତ୍ରା ପରେ ପରେ ଆଷାଢ଼ ପୂର୍ଣ୍ଣିମା ତିଥିରେ ଅନୁଷ୍ଠିତ ହୋଇଥାଏ। ଏହାର ଐତିହାସିକ ମହତ୍ତ୍ବ, ପରମ୍ପରାଗତ ଚଳଣୀକୁ ନେଇ ଯୁବ ସିନେ ନିର୍ଦ୍ଦେଶକ ସନ୍ନ୍ୟାସୀ ମହାରଣା ନିର୍ମାଣ କରିଥିଲେ ଡକ୍ୟୁମେଣ୍ଟାରୀ ଫିଲ୍ମ କଣ୍ଢେଇ ଯାତ୍ରା। ଅନ୍ତର୍ଜାତୀୟ ଟୁରିଜିମ ଫିଲ୍ମ ଫେଷ୍ଟିଭଲରେ ସନ୍ନ୍ୟାସୀଙ୍କ ସିନେମା ୪ ଗୋଟି ବିଭାଗରେ ପୁରସ୍କୃତ ହୋଇଛି। ଶ୍ରେଷ୍ଠ ଟୁରିଜମ ଫିଲ୍ମ ଓ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସନ୍ୟାସୀ ମହାରଣା, ଶ୍ରେଷ୍ଠ ଚିତ୍ରତ୍ତୋଳନ ପାଇଁ ଟୁଟୁ ପ୍ରଧାନ ଏବଂ ଶ୍ରେଷ୍ଠ ପୋଷ୍ଟର ବିଭାଗରେ ଟିକିରି ବେହେରା ପୁରସ୍କୃତ ହୋଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ନିଜ ସଫଳତାର ନୂଆ ଇତିହାସ ରଚିଛି ଏହି ପ୍ରାମାଣିକ ଚଳଚ୍ଚିତ୍ର।

ଏହି ଫିଲ୍ମ ଫେଷ୍ଟରେ ୨୫ ଗୋଟି ଦେଶର ୧୫୦୦ରୁ ଅଧିକା ଚଳଚ୍ଚିତ୍ର ଭାଗ ନେଇଥିଲେ। ଓଡ଼ିଶାରୁ ୪ ଗୋଟି ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ଟୁରିଜିମ ବିଭାଗରେ ଗଞ୍ଜାମରୁ ଏକମାତ୍ର କଣ୍ଢେଇ ଯାତ୍ରା ୪ଟି ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଛି। ଏହି ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ତ୍ରିପତି ନାୟକ, ହୃଷିକେଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ ଏବଂ ଅନନ୍ତରାମ କର କୌଣ୍ଡିନ୍ୟ ତାଙ୍କୁ ସାହାଯ୍ୟ କରିଥିବା କହିଛନ୍ତି ସନ୍ନ୍ୟାସୀ। ବ୍ରହ୍ମପୁର ମାଟିର କଳା ସଂସ୍କୃତି ବିଶ୍ଵ ପର୍ଯ୍ୟଟନ ଦରବାରରେ ପହଞ୍ଚାଇବାକୁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ସେ। ଇଂରାଜୀ, ହିନ୍ଦୀ, ତେଲୁଗୁ, ବଙ୍ଗାଳି, ମରାଠୀ ଭଳି ୭ଟି ଭାଷାରେ ପ୍ରସ୍ତୁତ କରାଯିବ କଣ୍ଢେଇ ଯାତ୍ରା ଡକ୍ୟୁମେଣ୍ଟାରୀ ଫିଲ୍ମ। ଉଲ୍ଲେଖଯୋଗ୍ୟ ଯେ ଏହି ଫିଲ୍ମ ଏଯାବତ୍ ବ୍ଲାକ୍ ବୋର୍ଡ ଫିଲ୍ମ ଫେଷ୍ଟିବଲ (ଲଣ୍ଡନ) ଏବଂ ଜାତୀୟ ଚିତ୍ରଭାରତୀ ସମ୍ମାନ ପାଇଁ ମନୋନୟନ ପର୍ଯ୍ୟାୟରେ ସାମିଲ ହୋଇ ସାରିଛି।

Kandhei YatraTourism International Film Festival 2021