ଗଞ୍ଜାମ ହେବ ପ୍ଲାଷ୍ଟିକମୁକ୍ତ : ଜିଲ୍ଲା ପ୍ରଶାସନର ମାସେ ବ୍ୟାପୀ ସ୍ୱତନ୍ତ୍ର ଅଭିଯାନ

ବ୍ରହ୍ମପୁର:  ନାଁ ଦେଖାଯିବ ପ୍ଲାଷ୍ଟିକ, ନାଁ ବ୍ୟବହୃତ ହେବ ପଲିଥିନ୍। ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିବ ପ୍ଲାଷ୍ଟିକଶୂନ୍ୟ ଦୃଶ୍ୟ। ଗୋଟିଏ ପଟେ ସଫେଇ କରାଯିବ, ଆରପଟେ ଲୋକଙ୍କୁ ଏ ନେଇ ସଚେତନ ମଧ୍ୟ କରାଯିବ। ସେଥିପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନେତୃତ୍ବରେ ଅକ୍ଟୋବର ପହିଲାରୁ ଜିଲ୍ଲାତମାମ ଆରମ୍ଭ ହେଉଛି ମାସେବ୍ୟାପୀ ସାମୂହିକ ସ୍ୱଚ୍ଛତା ଅଭିଯାନ। କେବଳ ପ୍ରଶାସନ ନୁହେଁ, ଏଥିରେ ସାମିଲ ହେବେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ। ଗୋଷ୍ଠୀଗତ ସମ୍ପୃକ୍ତି ସହ ସାମାଜିକସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାକୁ ପ୍ଲାଷ୍ଟିକ୍ ଓ ପଲିଥିନ୍‌ମୁକ୍ତ କରିବାକୁ ଅଣ୍ଟା ଭିଡିଛି ଟିମ୍ ଗଞ୍ଜାମ।

ଅକ୍ଟୋବର ୧ରୁ ସମସ୍ତ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ୱାର୍ଡରେ ଏହି ଅଭିଯାନ ଆରମ୍ଭ ହୋଇଛି। ମାସର ପ୍ରଥମ ଦୁଇ ଦିନ ବ୍ୟାପକ ସାମୂହିକ ସଫେଇ କାର୍ଯ୍ୟକ୍ରମ ହେବ। ବେଳାଭୂମି ସହର ଗୋପାଳପୁରରେ ଏହି ଅଭିଯାନ ଆରମ୍ଭ କରିବା ସହ ଅଂଶଗ୍ରହଣକାରୀଙ୍କୁ ଶପଥପାଠ କରାଇଛନ୍ତି ଜିଲ୍ଲାପାଳ। ଗଞ୍ଜାମକୁ ପ୍ଲାଷ୍ଟିକମୁକ୍ତ କରିବାରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ଅଭିଯାନରେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ ସକାଶେ ଆହ୍ବାନ ଦିଆଯାଇଛି। ସଚେତନତା ରାଲି ହୋଇ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରବାସୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସଜାଗ କରାଯାଇଛି। ”ପ୍ରତ୍ୟେକ ସୋମବାର ଏଣିକି ପ୍ଲାଷ୍ଟିକମୁକ୍ତ ଅଭିଯାନ ଦିବସ ଓ ଜଳ ସ୍ଵଚ୍ଛତା ଦିବସ ଭାବେ ବିବେଚନା କରାଯିବ। ଏକ ଉତ୍ତମ ଅଭିଯାନରେ ସମସ୍ତେ ନିଜର ଶ୍ରମଦାନ କରନ୍ତୁ” ବୋଲି କହିଛନ୍ତି ଜିଲ୍ଲାପାଳ କୁଲାଙ୍ଗେ। ଆଉ ଜିଲ୍ଲା ପ୍ରଶାସନର ଏହି ପ୍ରୟାସକୁ ଜଣାଶୁଣା ପରିବେଶବିତ୍‌ ସୁଧୀର ରାଉତଙ୍କ ଭଳି ବୁଦ୍ଧିଜୀବୀ ସ୍ବାଗତ କରି ଏହା ବ୍ୟାପକ ଭାବେ ସଚେତନତା ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଏଭଳି ଦିବସ ପାଳନ ଜରିଆରେ ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଅକ୍ଟୋବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେଉଛି। ପରେ ମାସ ସାରା ଜନ ସଚେତନତା ପାଇଁ ‘ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ’ ସ୍ଲୋଗାନ ସହ ସାମୂହିକ ପରିଷ୍କାର ଓ ପରିଚ୍ଛନ୍ନତା, କଠିନ ଏବଂ ତରଳ ବର୍ଜ୍ୟବସ୍ତୁର ପ୍ରଭାବଶାଳୀ ପରିଚାଳନାକୁ ବ୍ୟାପକ କରାଯିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ବରିଷ୍ଠ ଅଧିକାରୀଗଣ କ୍ଷେତ୍ର ପରିଦର୍ଶନ କରିବା ସହ ଜନପ୍ରତିନିଧିଙ୍କୁ ଏଥିରେ ସାମିଲ କରି ଅଭିଯାନକୁ ସଫଳ କରିବା ପ୍ରତି ଗୁରୁତ୍ବ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ବିଡିଓ, ସିଡିପିଓମାନେ ସବୁ ବ୍ଲକ୍ ଓ ପଞ୍ଚାୟତରେ ଜନ ଅଭିଯାନ ଆୟୋଜନ ସହ ଜଳ ଊତ୍ସଗୁଡିକୁ ଚିହ୍ନଟ କରି ସଫେଇ ଦିଗରେ ପଦକ୍ଷେପ ନେବେ। ସମସ୍ତ ଜଳାଶୟ ଯେପରି ପ୍ଲାଷ୍ଟିକ୍, ତୃଣ ଓ ଶ୍ରବମୁକ୍ତ ରହିବ ତାହା ଉପରେ ଫୋକସ୍ ରହିବ। ସମସ୍ତ ବାୟୋ-ଡିଗ୍ରେଡେବଲ୍ ବର୍ଜ୍ୟବସ୍ତୁକୁ ପଞ୍ଚାୟତ ଏବଂ ସହରାଞ୍ଚଳର ନିକଟତମ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ପରିବହନ କରାଯିବ। ଗ୍ରାମ ପଞ୍ଚାୟତ ଦ୍ଵାରା ସଂଗୃହୀତ ପ୍ଲାଷ୍ଟିକ୍, ପଲିଥିନ୍ ଭଳି ଅଣ-ବାୟୋ-ଡିଗ୍ରେଡେବଲ୍ ବର୍ଜ୍ୟବସ୍ତୁକୁ ବ୍ଲକ୍‌ର ଗୋଟିଏ ସ୍ଥାନରେ ଜମା କରାଯିବ। ସହରାଞ୍ଚଳରୁ ସଂଗୃହୀତ ଏଭଳି ଆବର୍ଜନାକୁ ନିର୍ଦ୍ଧାରିତ ସିମେଣ୍ଟ କାରଖାନାରେ ବିକ୍ରି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଅଭିଯାନକୁ ବେଳାଭୂମି ସହର ଗୋପାଳପୁରରୁ ଆରମ୍ଭ କରାଯାଇଛି। ଗୋଟିଏ ପଟେ ପର୍ଯ୍ୟଟନ ଦୃଷ୍ଟିରୁ ସ୍ଥାନୀୟ ଓ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ପରିଭ୍ରମଣ ପାଇଁ ଆସିଥାନ୍ତି। ତେଣୁ ଗୋପାଳପୁର ସ୍ବଚ୍ଛ ରହିଲେ ଜିଲ୍ଲାରେ ପରିମଳ ଓ ସଫେଇର ଏକ ସଚେତନ ବାର୍ତ୍ତା ଚାରିଆଡେ ପ୍ରଚାର ପ୍ରସାର ହୋଇପାରିବ ବୋଲି ଆଶା କରାଯାଉଛି। ସମସ୍ତଙ୍କୁ ଏ ଦିଗରେ ଉତ୍ସାହିତ କରିବାକୁ ସଫେଇ କର୍ମଚାରୀ, ଉଠାଦୋକାନୀ ଓ ଘର ମାଲିକଙ୍କ ସକାଶେ ଆର୍ଥିକ ପୁରସ୍କାର ବ୍ୟବସ୍ଥା ମଧ୍ୟ କରିଛି ପ୍ରଶାସନ।

Comments are closed.