କେନ୍ଦ୍ରାଞ୍ଚଳ ଜିଲ୍ଲାମାନଙ୍କରେ ଖୁବ୍‌ ଶିଘ୍ର କାର୍ଯ୍ୟକ୍ଷମ ହେବ ଆଦର୍ଶ ବିଦ୍ୟାଳୟ,  ଉଚ୍ଚମାନର ଶିକ୍ଷା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କେନ୍ଦ୍ରୀୟ ରାଜସ୍ବ ଡିଭିଜନ୍ ଅନ୍ତର୍ଗତ ଜିଲ୍ଲାମାନଙ୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ଶିଘ୍ର କାର୍ଯ୍ୟକ୍ଷମ ହେବ । ଉଚ୍ଚମାନର ଶିକ୍ଷାଦାନ ନିମନ୍ତେ ବିଦ୍ୟାଳୟ ଗୁଡ଼ିକୁ ପୂର୍ଣ୍ଣରୂପେ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟରେ ଶୈକ୍ଷିକ ପରିବେଶକୁ ଅଧିକରୁ ଅଧିକ ରୁଦ୍ଧିମନ୍ତ ନିମନ୍ତେ ଆଗାମୀ ତିନି ବର୍ଷପାଇଁ ସମନ୍ବିତ କାର୍ଯ୍ୟ – ଯୋଜନା ପ୍ରସ୍ତୁତ କରିବାପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଭିଡିଓ କନ୍‌ଫରେନନ୍ସିଂ ମାଧ୍ୟମରେ ଆଦର୍ଶ ବିଦ୍ୟାଳୟ ଏବଂ ମୋ ସ୍କୁଲ୍ କାର୍ଯ୍ୟକ୍ରମ ସମୀକ୍ଷାକରି ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ମୋ ସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନାର କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

ଜିଲ୍ଲାରୀ ସ୍ଥିତିର ସମୀକ୍ଷାକରି ଆଦର୍ଶ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା – ଦାନ ଏବଂ ଶିକ୍ଷା – ଗ୍ରହଣ ବ୍ୟବସ୍ଥା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଥିଲେ । ବିଦ୍ୟାଳୟର ଚତୁଃପାର୍ଶ୍ଵରେ ସବୁଜ ପାଚେରୀ ନିର୍ମାଣ କରିବା ଏବଂ ବିଦ୍ୟାଳୟ ପରିବେଶରେ ଯେପରି ବର୍ଷାପାଣି ଜମି ନରହେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ମଧ୍ୟ ମହାପାତ୍ର ବିଦ୍ୟାଳୟ ନିର୍ମାଣକାରୀ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟକୁ ଭଲ ରାସ୍ତା , ଚତୁଃପାର୍ଶ୍ଵରେ ସବୁଜିମାର ବଳୟ , ବିଦ୍ୟାଳୟ କାନ୍ଥମାନଙ୍କରେ ଦୀର୍ଘସ୍ଥାୟୀ ପାଣିପାଗ ସହନଶୀଳ ରଙ୍ଗର ବ୍ୟବହାର ଆଦି ବିଷୟ ଉପରେ ଦୃଷ୍ଟି ଦେବାପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠତା ହାସଲ କରିଥିବା ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୨୦ , ୦୦୦ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପଦୋନ୍ନତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମଧ୍ୟ ପ୍ରମୁଖ ଶାସନ ସଚିବ ସାହୁ ଜିଲ୍ଲାପାଳମାନଙ୍କୁ କହିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି , ଏବେ ସୁଦ୍ଧା ରାଜ୍ୟରେ ୪୩୭୨ଟି ବିଦ୍ୟାଳୟର ରୂପାନ୍ତରଣ ନିମନ୍ତେ ତ୍ବରାନ୍ବିତ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦୭୨ଟି ଏବଂ ୨ୟ ପର୍ଯ୍ୟାୟରେ ୩୩୦୦ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଉଛି ବୋଲି ପ୍ରମୁଖ ଶାସନ ସଚିବ ସାହୁ କହିଥିଲେ । ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ୍ ଅନ୍ତର୍ଗତ ୧୭ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଛି । ବାଲେଶ୍ବର ଜିଲ୍ଲାର ଓଉପଡ଼ା ଓ ନିଳଗିରି ବ୍ଲକ୍ , କଟକ ଜିଲ୍ଲାର ଆଠଗଡ଼ , ସଦର , ଓ ନରସିଂପୁର ବ୍ଲକ୍ , ଯାଜପୁର ଜିଲ୍ଲାର ବିଂଝାରପୁର ଓ ବଡ଼ଚଣା ବ୍ଲକ୍ , ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା , ଖୋର୍ଦ୍ଧା , ଚିଲିକା , ବୋଲଗଡ଼ ଓ ଜଟଣୀ ବ୍ଲକ୍ , ନୟାଗଡ଼ ଜିଲ୍ଲାର ଗଣିଆ , ରଣପୁର , ଖନତାପଡ଼ା ଓ ଭାପୁର ବ୍ଲକ୍ , ଏବଂ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍‌ରେ ଏହି ସବୁ ବିଦ୍ୟାଳୟ କାର୍ଯ୍ୟକରିବ । ନିଜ ନିଜ ଜିଲ୍ଲା ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯେପରି ଉଚ୍ଚ ଗ୍ରେଡ୍‌ରେ ପାଶ୍ କରିବେ ସେଥିପ୍ରତି ଜିଲ୍ଲାପାଳମାନଙ୍କର ଦୃଷ୍ଟି ଏକାନ୍ତ ଆବଶ୍ୟକ ବୋଲି ମଧ୍ୟ ସେ କହିଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା , ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା , ଅନୁସୂଚୀତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା , ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ , ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର , ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟାନଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.