ନବରାତ୍ରିର ଆଜି ପଞ୍ଚମ ଦିନ: ଆଜି ନବଦୁର୍ଗା ମାଁ ସ୍କନ୍ଦମାତା ରୂପରେ ଆରାଧିତ ହେବେ | News Room Odisha

ନବରାତ୍ରିର ଆଜି ପଞ୍ଚମ ଦିନ: ଆଜି ନବଦୁର୍ଗା ମାଁ ସ୍କନ୍ଦମାତା ରୂପରେ ଆରାଧିତ ହେବେ

ନବରାତ୍ରିର ପଞ୍ଚମ ଦିନ ଆଜି ଦେବୀ ନବଦୁର୍ଗା ମାଁ ସ୍କନ୍ଦମାତା ରୂପରେ ଆରାଧିତ ହେବେ। ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ହେଉଛନ୍ତି ଭଗବାନ କାର୍ତ୍ତିକେୟ। ଏହାଙ୍କ ଅନ୍ୟ ନାମ ସ୍କନ୍ଦ। ପୌରାଣିକ କଥା ଅନୁସାରେ ତାରକା- ସୁର ନାମରେ ଏକ ରାକ୍ଷସ ଥିଲା। ଯିଏ ତ୍ରିପୁରକୁ ନିଜର କଠୋର ସାଧନା ବଳରେ ଜୟ କରିପାରି ଥିଲା। କିନ୍ତୁ ଏହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ର କାର୍ତ୍ତିକେୟଙ୍କ ଦ୍ୱାରା ସମ୍ଭବ ଥିଲା। ଏହା ଜାଣିବା ପରେ ମାଁ ପାର୍ବତୀ ପୁତ୍ର କାର୍ତ୍ତିକେୟଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ। ସ୍କନ୍ଦମାତାଙ୍କ ଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକା ସୁରର ବଦ୍ଧ କରିଥିଲେ।

ନବରାତ୍ର ପୂଜାରେ ଦେବୀ ଦୁର୍ଗାଙ୍କ ପଞ୍ଚମ ଅବତାରକୁ ସ୍କନ୍ଦମାତା କୁହାଯାଇଥାଏ । ଭଗବାନ ସ୍କନ୍ଦଙ୍କୁ ନିଜ କୋଳରେ ଧରି ବସିଥିବାରୁ ଏହି ଦେବୀଙ୍କୁ ସ୍କନ୍ଦମାତା ନାମରେ ପୁରାଣରେ ବର୍ଣ୍ଣିତ ହୋଇଛି।

ଦେବୀ ସ୍କନ୍ଦମାତା ବିଶୁଦ୍ଧ ଚକ୍ରର ଅଧିଷ୍ଠାତ୍ରି ଦେବୀ। ନବରାତ୍ର ବ୍ରତ ରଖିଥିବା ସାଧକଙ୍କ ମନ ଏହିଦିନ ବିଶୁଦ୍ଧ ଚକ୍ରରେ ସ୍ଥିର ରହିଥାଏ। ସ୍କନ୍ଦମାତାଙ୍କୁ ମଧ୍ୟ ବିଦ୍ୟବାସିନୀ ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ସ୍କନ୍ଦଙ୍କ ଅନ୍ୟନାମ ହେଉଛି କୁମାର କାର୍ତ୍ତିକେୟ । ଥରେ ଇନ୍ଦ୍ର କାର୍ତ୍ତିକେୟଙ୍କୁ ଉପହାସ କରି କହିଥିଲେ ଯେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁ । ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖି ହୋଇଥିଲେ। ଏହାପରେ ମାତା କାର୍ତ୍ତେକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜମାନ କରି ପ୍ରକଟ ହୋଇ ନିଜ କୋଳରେ କାର୍ତ୍ତିକେୟଙ୍କୁ ଉଠାଇ ନେଇ ବସାଇଥିଲେ। ଏହାପରେ ଦେବରାଜ ଇନ୍ଦ୍ରଙ୍କ ଗର୍ବ ଚୂର୍ଣ୍ଣ ହେବା ସହିତ ଭଗବାନ କାର୍ତ୍ତିକେୟଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ।

ନବରାତ୍ରର ପଞ୍ଚମ ଦିନ ଦେବୀ ସ୍କନ୍ଦମାତାଙ୍କୁ ପୂଜା କରିବାର ବିଧି ହେଉଛି: ମାଆଙ୍କ ଶୃଙ୍ଗାର ପାଇଁ ସୁନ୍ଦର ରଙ୍ଗ ବ୍ୟବହାର କରିବେ ।

ସ୍କନ୍ଦମାତା ଏବଂ ଭଗବାନ କାର୍ତ୍ତିକେୟଙ୍କୁ ନମ୍ରତାର ସହିତ କୁମ୍କୁମ୍, ଅକ୍ଷତ, ଚନ୍ଦନ, ଫୁଲ, ଫଳ ଇତ୍ୟାଦି ସହିତ ଉପାସନା କରିବେ ।

ମାଆଙ୍କ ଆଗରେ ଏକ ଅଖଣ୍ଡ ଘିଅର ଦୀପ ଜଲାଇବେ ।

ଏହି ଦିନ ଭଗବତୀ ଦୁର୍ଗାଙ୍କୁ ବିଶେଷ କରି କଦଳୀ ଭୋଗ ବା କଦଳୀ ପ୍ରସ୍ତୁତ ବରା ନୈବେଦ୍ୟ ଦେବେ। ଏହି ପ୍ରସାଦ ବ୍ରାହ୍ମଣଙ୍କୁ ଭୋଜନ କରାଇବା ଉଚିତ୍ ।

ମନ୍ତ୍ର

ସିଂହାସନଗତା ନିତ୍ୟଂ ପଦ୍ମାଶ୍ରୀତକରଦ୍ବୟା ।
ଶୁଭଦାସ୍ତୁ ସଦା ଦେବୀ ସ୍କନ୍ଦମାତା ଯଶସ୍ୱିନୀ ।।

ମାଁ ସ୍କନ୍ଦମାତାଙ୍କ ସାଧନା କେବଳ ସନ୍ତାନ ସୁଖ ପାଇଁ ନୁହେଁ ବରଂ ରୋଗରୁ ମୁକ୍ତି ହେବା ପାଇଁ ମଧ୍ୟ ପୂଜା କରାଯାଇଥାଏ। ଏହି କାରଣରୁ ଯେଉଁ ମହିଳାମାନେ ସନ୍ତାନ ସୁଖରୁ ବଞ୍ଚିତ ଅଟନ୍ତି ସେମାନେ ନବରାତ୍ରୀ ସମୟରେ ମାଁ ସ୍କନ୍ଦମାତାଙ୍କ ପୂଜା କରିବା ସହ ମାଁଙ୍କୁ ନାଲି ରଙ୍ଗର ବସ୍ତ୍ର, ସିନ୍ଦୁର, ନାଲି ଚୁଡି, ମହାସ୍ୱର, ନାଲି ବିନ୍ଦି, ସେଓ ଏବଂ ନାଲି ଫୁଲ ଏବଂ ଚାଉଳ ବାନ୍ଧି ମାଁଙ୍କ କୋଳରେ ରଖନ୍ତୁ। ଏପରି କରିବା ଦ୍ୱାରା ନିଶ୍ଚୟ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ମତରେ ମା’ ସ୍କନ୍ଦମାତାଙ୍କ ସମ୍ବନ୍ଧ ବୃହସ୍ପତି ନାମକ ଗ୍ରହ ସହିତ ଜଡିତ। ବୃହସ୍ପତି ଗ୍ରହଙ୍କୁ ଶାନ୍ତ କରିବାକୁ ହେଲେ ମା’ ସ୍କନ୍ଦମାତାଙ୍କ ଶରଣାପନ୍ନ ହେବା ଉଚିତ। ପଞ୍ଚମ ଦିନରେ ଭଗବତୀ ସ୍କନ୍ଦମାତାଙ୍କ ଆରାଧନା ସାଧକକୁ ସର୍ଵ ସୌଭାଗ୍ୟ ପ୍ରଦାନ କରିଥାଏ।