ଶାରଦୀୟ ଦୁର୍ଗାପୂଜାର ଆଜି ପଞ୍ଚମୀ ଯୁକ୍ତ ଷଷ୍ଠୀ :ଦେବୀ ଦୁର୍ଗା କାତ୍ୟାୟନୀ ସ୍ୱରୂପରେ ହେବେ ଆରାଧିତା | News Room Odisha

ଶାରଦୀୟ ଦୁର୍ଗାପୂଜାର ଆଜି ପଞ୍ଚମୀ ଯୁକ୍ତ ଷଷ୍ଠୀ :ଦେବୀ ଦୁର୍ଗା କାତ୍ୟାୟନୀ ସ୍ୱରୂପରେ ହେବେ ଆରାଧିତା

ଶାରଦୀୟ ଦୁର୍ଗାପୂଜା ଅବସରରେ ମାଆଙ୍କ ଆଗମନରେ ପୁଲକିତ ହୋଇ ଉଠିଛି ଧରାପୃଷ୍ଠ। ସବୁଠି ଚାଲିଛି ମାଆଙ୍କ ନବରାତ୍ର ପୂଜା। ଆଜି ଷଷ୍ଠୀ ତିଥିରେ ଦେବୀ ଦୁର୍ଗା କାତ୍ୟାୟନୀ ସ୍ୱରୂପ ରେ ଭକ୍ତଙ୍କ ହୃଦୟରେ ଅବିର୍ଭୁତା। ସିଂହବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ ଅଟନ୍ତି । ସିଂହ ଉପରେ ବସି ସେ ଚତୁର୍ଭୁଜା, ଅଷ୍ଟଭୁଜା ବା ଏପରିକି ସହସ୍ରଭୁଜା ମଧ୍ୟ ହୋଇପାରନ୍ତି, କିନ୍ତୁ ସବୁବେଳେ ତାଙ୍କର ଗୋଟିଏ ହାତ ବରଦା ବା ଶାନ୍ତ ମୁଦ୍ରାରେ ଶୋଭିତ । ମା’ ରୂପରେ ସେ ଭକ୍ତ ଓ ଶରଣାଗତମାନଙ୍କ ପାଇଁ ସେ ଅଭୟ, ଦୟା ଓ ବରଦା, କରୁଣାମୟୀ । କିନ୍ତୁ ଦୁରାଚାରୀ, ରାକ୍ଷସ ସ୍ୱଭାବର ବ୍ୟକ୍ତି, ଯେଉଁମାନେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି ସେମାନଙ୍କ ପାଇଁ ସେ ଭୟଙ୍କର ହୋଇ ପଡ଼ନ୍ତି ।

ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା (ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ ।

ଏହି ପବିତ୍ର ନବରାତ୍ରିର ଆଜି ହେଉଛି ଷଷ୍ଠ ଦିନ।ଏହିଦିନ ମାଆ କାତ୍ୟାୟନୀ ରୂପରେ ପୂଜା ପାଆନ୍ତି ।

ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ବ୍ରଜର ଗୋପୀ ମାନେ ତାଙ୍କ ପୂଜା କାଳିନ୍ଦୀ ଯମୁନା ତଟରେ କରିଥିଲେ। ଏହା ବ୍ରଜ ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀଙ୍କ ସ୍ୱରୁପରେ ପ୍ରତିଷ୍ଠିତ ରହିଛନ୍ତି। ମାଆ କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ କଲ୍ୟାଣକାରୀ ଅଟେ। ତାଙ୍କର ଚାରିଟି ଭୂଜା ରହିଛି। ମାତାଙ୍କ ଡାହାଣ ପାର୍ଶ୍ଵ ଉପର ହାତ ଅଭୟ ମୁଦ୍ରାରେ ତଥା ଅଭୟ ମୁଦ୍ରା ରେ ତଥା ତଳ ପାର୍ଶ୍ଵ ବରମୁଦ୍ରା ରେ ରହିଛି। ବାମ ପାର୍ଶ୍ୱରେ ଥିବା ଉପର ହାତରେ ଖଣ୍ଡା ଏବଂ ତଳ ପାର୍ଶ୍ୱରେ ଥିବା ହାତରେ କମଳ ପୁଷ୍ପ ସୁଶୋଭିତ ଅଟେ। ତାଙ୍କର ବାହନ ସିଂହ ଅଟେ।

ପୂଜା ପଦ୍ଧତି-

ପୂଜା ଆରମ୍ଭ କରିବା ସମୟରେ, ହାତରେ ସୁଗନ୍ଧିତ ପୁଷ୍ପ ଦେଇ ଦେବୀଙ୍କୁ ଆବାହନ କରାଯାଏ। ଏହାପରେ ଷୋଡ଼ଶ ଉପଚାର ବିଧିରେ ପୂଜା ସମ୍ପର୍ଣ୍ଣ ପରେ ମା’ଙ୍କୁ ସମସ୍ତ ଶୃଙ୍ଗାର ସାମଗ୍ରୀ ଅର୍ପଣ କରାଯାଏ। ଆଜିର ଦିନରେ ମାଙ୍କୁ ମଧୁ ବା ମହୁ ବିଶେଷ କରି ଅର୍ପଣ କରାଯାଏ। କାରଣ ମା ହେଉଛନ୍ତି ମଧୁ ପ୍ରିୟ।

ମା କାତ୍ୟାୟନୀ ଙ୍କ ମନ୍ତ୍ର-

ଚନ୍ଦ୍ର ହସୋଜ୍ଜୱାଲକରା ଶାର୍ଦୁଲବର୍ ବାହନା ।
କାତ୍ୟୟନି ଶୁଭଂଦଦ୍ୟା ଦେବୀ ଦାନବଘାତିନୀ ।।

ବିବାହ ହୋଇପାରୁନଥିବା ଯୁବତୀ ମାନେ ମାଆଙ୍କ ଆରାଧନା କଲେ ତାଙ୍କୁ ମନ ଲାଖି ସ୍ୱାମୀ ମିଳିବା ସହିତ ତାଙ୍କର ଜାତକରେ ଥିବା ମଙ୍ଗଳ ଦୋଷ ମଧ୍ୟ ନାଶ ହୋଇଥାଏ। ଏହାସହିତ ଆଜି ମାଙ୍କୁ ବିଲ୍ଵବୃକ୍ଷ ମୂଳରେ ପୂଜା କରିବାର ବିଧାନ ରହିଛି। ତେଣୁ ଆଜି ବିଶେଷ ନୀତି ବିଲ୍ଵ ବରଣ କରାଯାଇଥାଏ ।